ଆଇଟିଆର୍‌ ଗୁପ୍ତ ତଥ୍ୟ ଲିକ୍‌ ଘଟଣା: ବାଲେଶ୍ୱରରେ ୪ ଜଣିଆ ଟିମ୍‌ର ତଦନ୍ତ ଆରମ୍ଭ

ବାଲେଶ୍ୱର ଅଫିସ,୧୬ା୯: ବାଲେଶ୍ବର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନ ଆଇଟିଆର ତଥ୍ୟ ବିଦେଶୀ ତଥା ଶତ୍ରୁ ପାକିସ୍ତାନକୁ ଲିକ୍‌ ଅଭିଯୋଗ ପ୍ରସଙ୍ଗରେ ତଦନ୍ତ ଜୋରଦାର ଜାରି ରହିଛି । ବୁଧବାର ଗିରଫ ହୋଇଥିବା ୪ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯିବା ପରେ ଜାମିନ ନାମଞ୍ଜୁର ହୋଇ ବିଚାର ବିଭାଗୀୟ ଅଦାଲତକୁ ପଠାଇ ଦିଆଯାଇଛି। ଚାନ୍ଦିପୁର ଆଇଟିଆରରୁ ଗୁପ୍ତତଥ୍ୟ ଲିକ୍‌ ପ୍ରସଙ୍ଗ ତଦନ୍ତ ପାଇଁ ବାଲେଶ୍ବରରେ ଏସ୍‌ଆଇଟି ଟିମ୍‌ ପହଞ୍ଚିଛନ୍ତି। ଅନ୍ୟପଟେ ଦେଶର ସୁରକ୍ଷା ସହ ଜଡ଼ିତ ଏହି ସମ୍ବେଦନଶୀଳ ପ୍ରସଙ୍ଗର ଅଧିକ ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚକୁ ତଦନ୍ତ ଭାର ଦିଆଯାଇଛି। ତଦନ୍ତ ଭାର ପାଇବା ପରେ ଏକ ୪ ଜଣିଆ ତଦନ୍ତକାରୀ ଦଳ ବାଲେଶ୍ବରରେ ବୁଧବାର ମଧ୍ୟ ରାତିରେ ପହଞ୍ଚି ଗୁରୁବାର ପୂର୍ବାହ୍ନରେ ପ୍ରାଥମିକ ତଦନ୍ତ ଆରମ୍ଭ କରିଛନ୍ତି। କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଗଠିତ ଏସ୍‌ଆଇଟି(ସ୍ବତନ୍ତ୍ର ତଦନ୍ତକାରୀ ଦଳ) ଗଠନ ହୋଇଛି। ଟିମ୍‌ର ନେତୃତ୍ୱ ନେଉଛନ୍ତି ଅତିରିକ୍ତ ଏସ୍‌ପି ପ୍ରଶାନ୍ତ କୁମାର ବିଶୋୟୀ। ତାଙ୍କୁ ତଦନ୍ତରେ ସହଯୋଗ କରିବା ପାଇଁ କ୍ରାଇମବ୍ରାଞ୍ଚ ସାଇବର ସେଲର ଜଣେ ଇନ୍ସିପେକ୍ଟର ଓ ଜଣେ ସବ-ଇନ୍ସିପେକ୍ଟର ଥିବାବେଳେ ଅନ୍ୟଜଣେ ଅଫିସର ମଧ୍ୟ ସାମିଲ ଅଛନ୍ତି। ଅନ୍ୟପକ୍ଷରେ ଚାନ୍ଦିପୁର ଥାନାରେ ରୁଜୁ ହୋଇଥିବା ମାମଲା(କେସ୍‌ ନମ୍ବର ୭୬/୨୦୨୧)କୁ ବାଲେଶ୍ବର ଏସ୍‌ପି ସୁଧାଂଶୁ ଶେଖର ମିଶ୍ର ଆଜି କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଛନ୍ତି। ଏହାବ୍ୟତୀତ ବର୍ତ୍ତମାନ ସୁଦ୍ଧା ତଦନ୍ତରେ ହୋଇଥିବା ଅଗ୍ରଗତି ନେଇ କ୍ରାଇମବ୍ରାଞ୍ଚ ଟିମ୍‌କୁ ଅବଗତ କରାଇବେ । ତେବେ ବିଧିବଦ୍ଧ ଭାବେ ତଦନ୍ତ ଭାର ନେବା ପରେ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଅଣାଯିବ କି ନାହିଁ ତାହା ପରେ ନିଷ୍ପତ୍ତି ନିଆଯିବ ବୋଲି ତଦନ୍ତକାରୀ ଅଧିକାରୀ କହିଛନ୍ତି।