ଓଡ଼ିଶାରେ ଖୁବ୍‌ଶୀଘ୍ର ଆଇଟିଏମ୍‌ଏସ୍‌

ଭୁବନେଶ୍ୱର,୯ା୯(ବ୍ୟୁରୋ): ରାଜ୍ୟରେ ଖୁବ୍‌ଶୀଘ୍ର ଆରମ୍ଭ ହେବ ଅନ୍‌ଲାଇନ ମନ୍ଦିର ଦର୍ଶନ। ଏଥିପାଇଁ ରାଜ୍ୟ ସରକାର କର୍ନାଟକ ଓ ତାମିଲନାଡୁ ଭଳି ସମନ୍ବିତ ମନ୍ଦିର ପରିଚାଳନା ବ୍ୟବସ୍ଥା (ଆଇଟିଏମ୍‌ଏସ୍‌) ପ୍ରଚଳନ କରିବେ। ଏଥିପାଇଁ ଏକ ଓ୍ବେବ୍‌ପୋର୍ଟାଲ ଓ୍ବାନ-ଷ୍ଟପ୍‌-ସପ୍‌ ବିକାଶ କରାଯିବ। ଆଇଟିଏମ୍‌ଏସ୍‌ ଜରିଆରେ ଶ୍ରଦ୍ଧାଳୁମାନେ ରାଜ୍ୟର ବିଭିନ୍ନ ମନ୍ଦିର ଦର୍ଶନ, ପୂଜା ଏବଂ ପ୍ରସାଦ ପାଇଁ ଅର୍ଡର ଦେଇପାରିବେ। ଏପରି କି ଏହି ବ୍ୟବସ୍ଥା ଜରିଆରେ ଭକ୍ତମାନେ ମନ୍ଦିର ଖୋଲିବା, ବନ୍ଦ ହେବା ଓ ପୂଜା ବିଧି ସମୟ ଇତ୍ୟାଦି ବିଷୟରେ ଜାଣି ପାରିବେ। ଯେଉଁମାନେ ମନ୍ଦିରକୁ କିଛି ଦାନ କରିବାକୁ ଚାହିଁବେ ସେମାନେ ଏହି ପୋର୍ଟାଲ ଜରିଆରେ ଦେଇ ପାରିବେ। ମନ୍ଦିରର ଆକାଉଣ୍ଟ ଏକ ପବ୍ଲିକ ସେକ୍ଟର ବ୍ୟାଙ୍କରେ ଖୋଲାଯିବ। ଏହାକୁ ଆଇଟିଏମ୍‌ଏସ୍‌ ସହିତ ଲିଙ୍କ୍‌ କରାଯିବ। ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା କହିଛନ୍ତି ଯେ ଶ୍ରଦ୍ଧାଳୁମାନଙ୍କ ପାଇଁ ସରକାରଙ୍କର ଏହା ଏକ ଭଲ ପଦକ୍ଷେପ। ରାଜ୍ୟ ଓ ରାଜ୍ୟ ବାହାରୁ ଲକ୍ଷ ଲକ୍ଷ ଭକ୍ତ ଏହାର ସୁବିଧା ନେଇପାରିବେ। ପରବର୍ତ୍ତୀ ପର୍ଯ୍ୟାୟରେ ଶ୍ରୀମନ୍ଦିରକୁ ମଧ୍ୟ ଆଇଟିଏମ୍‌ଏସ୍‌ ପରିସର ଭୁକ୍ତ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।
ଏଠରେ ଉଲ୍ଲେଖଯୋଗ୍ୟ ଯେ କର୍ନାଟକ ସରକାର ଚଳିତ ବର୍ଷ ମାର୍ଚ୍ଚ ମାସରେ ଆଇଟିଏମ୍‌ଏସ୍‌ ବ୍ୟବସ୍ଥା କାର୍ଯ୍ୟକାରୀ କରିଛନ୍ତି। ଉତ୍ତରପ୍ରଦେଶ ସରକାର ମଧ୍ୟ ଏହି ବ୍ୟବସ୍ଥା ଲାଗୁ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଆଇଟିଏମ୍‌ଏସ୍‌ ବ୍ୟବସ୍ଥାରେ ଭକ୍ତମାନଙ୍କୁ ମନ୍ଦିର ସେବା ଯୋଗାଇ ଦିଆଯିବା ସହ ରାଜସ୍ବ ଆଦାୟ ବୃଦ୍ଧି ପାଇବ।