ଆହୁରି ୪ ଦିନ ବର୍ଷିବ

ଭୁବନେଶ୍ବର,୨୦।୬: ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରବିବାର ସୂଚନା ଦିଆଯାଇଛି।

ପାଣି ପାଗ ବିଭାଗର ସୂଚନା ମୁତାବକ, ଜୁନ ୨୧ ଓ ୨୨ତାରିଖରେ ରାଜ୍ୟର ନୂଆପଡ଼ା, ବଲାଙ୍ଗୀର, ସୁବର୍ଣ୍ଣପୁର, ସୁନ୍ଦରଗଡ଼ ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼, କେନ୍ଦୁଝର, ମୟୁରଭଞ୍ଜ, ଗଜପତି, ଗଞ୍ଜାମ ଓ ବରଗଡ଼ ଆଦି ଜିଲାରେ ବର୍ଷା ସାଙ୍ଗକୁ ବଜ୍ରପାତ ହେବା ନେଇ ସତର୍କ କରାଯାଇଛି। ଏନେଇ ଉକ୍ତ ଜିଲାଗୁଡିକୁ ୟେଲୋ ୱାର୍ନିଂ ଦିଆଯାଇଛି।

ସେହିପରି ୨୩ ତାରିଖରେ ମଧ୍ୟ ରାଜ୍ୟର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ରବିବାର ଛତ୍ରପୁରରେ ସର୍ବାଧିକ ୩୩.୦ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ଫୁଲବାଣୀରେ ସର୍ବନିମ୍ନ ୧୯.୦ଡିଗ୍ରୀ ତାପମାତ୍ରା ରହିଥିଲା।