ଶୃଙ୍ଖଳା ରକ୍ଷା ପ୍ରଶାସନ ପାଇଁ ହେବ ଚ୍ୟାଲେଞ୍ଜ

ବରୀ,୨୩ା୨(ଡି.ଏନ.ଏ.): ଆସନ୍ତା ୨୪ ତାରିଖରେ ବରୀ ବ୍ଲକ୍‌ରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ମତଦାନ ଅନୁଷ୍ଠିତ ହେବ। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ତେବେ ଏହି ବ୍ଲକ୍‌ର ୩୮୦ବୁଥ୍‌ ମଧ୍ୟରୁ ୩୩୩ ବୁଥ୍‌ ବରୀ ରାମଚନ୍ଦ୍ରପୁର ଥାନା ଅଧୀନରେ ରହିଛି। ଉକ୍ତ ୩୮୦ ବୁଥ୍‌ରୁ ୨୦୧ ସମ୍ବେଦନଶୀଳ ହୋଇଥିବାବେଳେ ୬୮ ବୁଥ୍‌ ଅତି ସମ୍ବେଦନଶୀଳ ବୋଲି ଚିହ୍ନଟ କରାଯାଇଛି। ତେଣୁ ଶୁଙ୍ଖଳିତ ନିର୍ବାଚନ ପରିଚାଳନା କରିବା ପ୍ରଶାସନ ପାଇଁ ଚ୍ୟାଲେଞ୍ଜ ହେବ। ଅନ୍ୟପକ୍ଷରେ ପ୍ରଶାସନ ତରଫରୁ ସ୍ବଚ୍ଛ ଓ ଶୃଙ୍ଖଳିତ ନିର୍ବାଚନ ନିମନ୍ତେ ପଦକ୍ଷେପ ନିଆଯାଉଛି ବୋଲି ବ୍ଲକ୍‌ ନିର୍ବାଚନ ଅଧିକାରୀ ଶିବାନନ୍ଦ ସ୍ବାଇଁ ସୂଚନା ଦେଇଛନ୍ତି। ମାତ୍ର ବାସ୍ତବପକ୍ଷେ ପ୍ରଶାସନର ତାଲିକାକୁ ଛାଡ଼ି ଏହି ବ୍ଲକ୍‌ର ଅନେକ ବୁଥ୍‌ ଅତି ସମ୍ବେଦନଶୀଳ ରହିଛି। ତେଣୁ ସେହି ବୁଥ୍‌ଗୁଡ଼ିକୁ ତାଲିକାଭୁକ୍ତ କରା ଯାଇ ନ ଥିବାରୁ ସେଠାରେ ବିଶୃଙ୍ଖଳା ସୃଷ୍ଟି ହେଲେ ପ୍ରଶାସନ ପାଇଁ ଏହା ଅଡୁଆ ସୃଷ୍ଟି କରିବ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି। ତେବେ ସାଧାରଣ ନିର୍ବାଚନ ହେଉ କି ପଞ୍ଚାୟତ ନିର୍ବାଚନ ବ୍ଲକ୍‌ର ବିଭିନ୍ନ ପଞ୍ଚାୟତରେ ଅସାମାଜିକ ବ୍ୟକ୍ତି ବୁଥ୍‌ ଜବରଦଖଲ କରିବା ଓ ଭୋଟରଙ୍କୁ ଭୋଟ୍‌ କେନ୍ଦ୍ରରେ ପ୍ରଭାବିତ କରି ସେମାନଙ୍କ ସପକ୍ଷରେ ମତଦାନ ନେବା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି। କିନ୍ତୁ ଚଳିତ ପଞ୍ଚାୟତ ନିର୍ବାଚନକୁ ସ୍ବଚ୍ଛ, ଅବାଧ ଓ ନିରପେକ୍ଷ କରିବା କ୍ଷେତ୍ରରେ ପ୍ରଶାସନ ତପତ୍ର ହୋଇ ଉଠିଛି। ମାତ୍ର ପ୍ରଥମ ଓ ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଯାଜପୁର ଜିଲାରେ ବୁଥ୍‌ ଜବରଦଖଲ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ ଘଟଣା ବେଶ୍‌ ଚର୍ଚ୍ଚାରେ ରହିଛି। ତେବେ ବରୀରେ ହେବାକୁ ଥିବା ନିର୍ବାଚନକୁ ପ୍ରଶାସନ କିଭଳି ଭାବେ ପରିଚାଳନା ତାହା ଦେଖିବାକୁ ଅପେକ୍ଷା ରହିଛି।