ନୂଆଦିଲ୍ଲୀ,୨୦ା୧୦(ପି.ଟି.) : ୮.୮୨ ଲକ୍ଷରୁ ଊର୍ଦ୍ଧ୍ୱ କୋର୍ଟ ନିର୍ଦ୍ଦେଶନାମା କାର୍ଯ୍ୟକାରୀ ହୋଇନାହିଁ। ଏଥିପାଇଁ ନିଷ୍ପାଦନ ଆବେଦନ ବିଚାର ଅପେକ୍ଷାରେ ପଡ଼ିରହିଥିବାରୁ ସୁପ୍ରିମକୋର୍ଟ ଏହାକୁ ଅତ୍ୟନ୍ତ ଦୁଃଖଦାୟକ ଏବଂ ଭୟଙ୍କର ଘଟଣା ବୋଲି କହିଛନ୍ତି। ମକଦ୍ଦମାରେ ଡିକ୍ରି ହାସଲ କରିଥିବା ବ୍ୟକ୍ତି ଜମିଜମା ବିବାଦରେ କୋର୍ଟ ନିର୍ଦ୍ଦେଶନାମାର କାର୍ଯ୍ୟକାରିତା ପାଇଁ ନିଷ୍ପାଦନ ଆବେଦନ (ଏକ୍ଜିକ୍ୟୁଟିଭ୍ ପିଟିଶନ) ଦାଏର କରିଥାନ୍ତି। ଜଷ୍ଟିସ୍ ଜେ.ବି. ପର୍ଦିଓ୍ବାଲ ଏବଂ ପଙ୍କଜ ମିଥାଲଙ୍କ ଖଣ୍ଡପୀଠ ଏହାର ମାର୍ଚ୍ଚ ୬ ନିର୍ଦ୍ଦେଶନାମାର ଅନୁପାଳନ ସମୀକ୍ଷା କରିବା ବେଳେ ଉପରୋକ୍ତ ଟିପ୍ପଣୀ ଦେଇଛନ୍ତି। ଏକ୍ଜିକ୍ୟୁଶନ ପିଟିଶନଗୁଡ଼ିକ ଉପରେ ୬ ମାସ ମଧ୍ୟରେ ନିଷ୍ପତ୍ତି ନେବାକୁ ସିଭିଲ୍ କୋର୍ଟଗୁଡ଼ିକୁ ପରାମର୍ଶ ଦେବାକୁ ସେତେବେଳେ ଖଣ୍ଡପୀଠ ସମସ୍ତ ହାଇକୋର୍ଟଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଉକ୍ତ ନିର୍ଦ୍ଦେଶନାମା କାର୍ଯ୍ୟକାରୀ ନ ହେଲେ ପ୍ରିଜାଇଡିଂ ଅଫିସରମାନେ ଦାୟୀ ରହିବେ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଥିଲେ। ଆମକୁ ମିଳିଥିବା ପରିସଂଖ୍ୟାନ ଅତ୍ୟନ୍ତ ଦୁଃଖଦାୟକ। ଆଜିର ତାରିଖରେ ଦେଶର ବିଭିନ୍ନ ଅଦାଲତରେ ୮,୮୨,୫୭୮ ନିଷ୍ପାଦନ ଆବେଦନ ବିଚାର ଅପେକ୍ଷାରେ ପଡ଼ିରହିଥିବା ଖଣ୍ଡପୀଠ କହିଛନ୍ତି।
Dharitri – Odisha’s No.1 Odia Daily


