ସଂସ୍କୃତିର ସୁରକ୍ଷା ଦାୟିତ୍ୱ ଆମର

ଡ. ମନୋରଞ୍ଜନ ବିଷୋୟୀ

 

ସଂସ୍କୃତି ହେଉଛି ଏକ ପ୍ରେରଣା-ବ୍ୟକ୍ତିଗତ ଓ ସାମୂହିକ ଆତ୍ମ ଆବିଷ୍କାରର ପ୍ରେରଣା। ସଂସ୍କୃତି ହେଉଛି ଏକ ଗୁଣାତ୍ମକ ଆସ୍ପୃହା। ପ୍ରକୃତପକ୍ଷେ କହିବାକୁ ଗଲେ ସଂସ୍କୃତି ଏକ ଅନ୍ବେଷଣ, ଏକ ସତତ ଉଦ୍ୟମ, ସତତ ଆହ୍ବାନଗୁଡ଼ିକୁ ଆବିଷ୍କାର କରି ସେଗୁଡ଼ିକର ସମ୍ମୁଖୀନ ହେବାର ଏକ ଉଦ୍ୟମ। ଜନ୍ମ ସହ ସାଂସ୍କୃତିକ ବିଚାର ବା ଅବବୋଧ ଯୋଡ଼ି ହୁଏନାହିଁ। ବ୍ୟକ୍ତିର ସାମର୍ଥ୍ୟ ଉପରେ ଏହା ନିର୍ଭରଶୀଳ। ପୁରୁଷାନୁକ୍ରମେ ଧାରାବାହିକ ଭାବରେ ମାନବ ଗୋଟିଏ ଗୋଷ୍ଠୀର ଅଂଶ ଭାବରେ ସାଉଁଟି ନେଇଥିବା ଅନୁଭୂତି ଓ ଅଭିଜ୍ଞତାର ପୁଞ୍ଜିକୁ ଆଧାର କରି ପରମ୍ପରା ‘ସଂସ୍କୃତି’ ଭାବରେ ପରିଚିତ ହୁଏ। ପ୍ରତ୍ୟେକ ମାନବ ଗୋଷ୍ଠୀର ଏକ ନିର୍ଦ୍ଦିଷ୍ଟ ଆଚରଣବିଧି ରହିଥାଏ। ଜନ୍ମ ପରବର୍ତ୍ତୀ ସମୟରେ ମାନବ ଏହାକୁ ଅନୁକରଣ କରିବା ନିମନ୍ତେ ବାଧ୍ୟ ହୁଏ। ଏହାର ପରିସର ମଧ୍ୟ ପରିବ୍ୟାପ୍ତ। ସଂକ୍ଷେପରେ କହିଲେ ମାନବୀୟ ଉତ୍କର୍ଷ କାର୍ଯ୍ୟାବଳୀକୁ ସଂସ୍କୃତି କୁହାଯାଏ।
ମହାଭାରତୀୟ ସଂସ୍କୃତି ବିବିଧତା ମଧ୍ୟରେ ଏକତ୍ୱର ଦୃଷ୍ଟିଭଙ୍ଗୀକୁ ନେଇ ବିଶ୍ୱକୁ ଦେଇଛି ଅଭିନବ ପରିଚିତି। ବହୁ ଚିନ୍ତା, ବହୁ ବିଶ୍ୱାସ ଏବଂ ବହୁ ଆଚରଣର ସମନ୍ବୟ ଭିତରେ ଭାରତୀୟ ସଂସ୍କୃତିର ମହାନତାକୁ ଅନୁଭବ କରିହୁଏ। ନୈତିକ ସଂହତି ଓ ମୂଲ୍ୟବୋଧ ପ୍ରତି ଆନୁଗତ୍ୟ ଭାରତୀୟ ବ୍ୟକ୍ତିମାନସରେ ସାମାଜିକ ଆବଶ୍ୟକତା ଏବଂ ବ୍ୟକ୍ତିଗତ ଆକାଂକ୍ଷା ଭିତରେ ସମନ୍ବୟ ରକ୍ଷା କରିଥାଏ। ଇତିହାସକୁ ଲକ୍ଷ୍ୟକଲେ ଦେଖାଯାଏ ଯେ, ଭାରତୀୟ ଜୀବନଧାରା ପ୍ରାଣସତ୍ତାର ବିକାଶ ଉପରେ ଗୁରୁତ୍ୱ ପ୍ରଦାନ କରିଥାଏ। ମାନବକୁ ମାଧବରେ ରୂପାନ୍ତରିତ କରିବା ଲକ୍ଷ୍ୟରେ ଅନ୍ଧାରରୁ ଆଲୋକ ଦିଗକୁ ଯାତ୍ରା ଥାଏ ଜୀବନର ଲକ୍ଷ୍ୟ। ତେଣୁ ସଂଭ୍ରାନ୍ତ ବଣିକ କିମ୍ବା ପ୍ରତାପୀ ରାଜା ମହାରାଜା ଅପେକ୍ଷା ଏଇ ସଂସ୍କୃତିର ମୂଳ ଆଧାର ମୁନି ଋଷିଙ୍କ ଦ୍ୱାରା ନିର୍ଦ୍ଧାରିତ ହୋଇଥିବା ଲକ୍ଷ୍ୟ କରିହୁଏ।
ପ୍ରକୃତପକ୍ଷେ କହିବାକୁ ଗଲେ ଭାରତୀୟ ସଂସ୍କୃତିର ଆଧାର ହେଉଛି ଆଲୋକର ସନ୍ଧାନ। ଏହା କୌଣସି ଧର୍ମର ପ୍ରଚାର କରେନାହିଁ। ଭାରତୀୟତା ହେଉଛି ଏହାର ମୂଳମନ୍ତ୍ର। ଜୀବନକୁ ଶୃଙ୍ଖଳିତ କରି ଏକ ମହତ୍ତର ପଥରେ ଅବସ୍ଥାପିତ କରିବା ଏଠାରେ ବେଶ୍‌ ଲକ୍ଷଣୀୟ। କାରଣ ବିଶ୍ୱକଲ୍ୟାଣ ହିଁ ହେଉଛି ଏହାର ମୂଳମନ୍ତ୍ର। ‘ସର୍ବଜନ ହିତାୟ, ସର୍ବଜନ ସୁଖାୟ’ ସତ୍ୟରେ ଏ ସଂସ୍କୃତି ବିଶ୍ୱାସ ରଖେ। ଆଜି କିନ୍ତୁ ସମୟର ବିକାଶ ଧାରାରେ ବଦଳିଯାଇଛି ଦୃଷ୍ଟିଭଙ୍ଗୀ। ଗତାନୁଗତିକ ଧାରାରୁ ନିଜକୁ ମୁକୁଳାଇ ଏକ ନୂଆଧାରାରେ ଆପଣାକୁ ପ୍ରକାଶ କରିବା ନିମନ୍ତେ ଚାଲିଛି ପ୍ରଚେଷ୍ଟା। ଅବଶ୍ୟ ଏହାରି ଅନ୍ତରାଳରେ ମାନବର ବୌଦ୍ଧିକ ସଫଳତାକୁ ସ୍ବୀକାର କରାଯାଇପାରେ। ଏପରିକି ପ୍ରବୃତ୍ତି ଦୃଷ୍ଟିରୁ ମଧ୍ୟ ରୂପାନ୍ତରଣ ପ୍ରକ୍ରିୟା ହେଉଛି ମାନବର ସହଜାତ। ତେଣୁ ମାନବ ସଦାସର୍ବଦା ରୂପାନ୍ତରିତ ହେବା ନିମନ୍ତେ ଉଦ୍ୟମ କରିଆସିଛି। କିନ୍ତୁ ଏ ରୂପାନ୍ତରଣ ସଂସ୍କୃତି ସହ ନିବିଡ଼ ସମ୍ପୃକ୍ତି ମଧ୍ୟଦେଇ ହେବା ଆବଶ୍ୟକ। କାରଣ ମାନବୀୟ ଉତ୍କର୍ଷ କାର୍ଯ୍ୟାବଳୀକୁ ସଂସ୍କୃତି କୁହାଯାଏ। ତେଣୁ ସଂସ୍କୃତିର ପ୍ରତିକୂଳ ନୁହେଁ ବରଂ ସଂସ୍କୃତିର ସମ୍ମୋହନ ଆକର୍ଷଣ ପ୍ରଗତିର ପଥକୁ ପ୍ରସାରିତ କରିଥାଏ। କାରଣ ଆଜିର ମାନବ ହେଉଛି ଆତ୍ମ ସଚେତନ, ସମୟ ସଚେତନ ତଥା ଐତିହ୍ୟ ସଚେତନ। ତା’ପାଇଁ ପରମ୍ପରା ଓ ସଂସ୍କୃତି; ଅତୀତ ପ୍ରତି ଏକ ବିହ୍ବଳ ସମ୍ପୃକ୍ତି କେବଳ ନୁହେଁ। ଏହା ହେଉଛି ମାନବ ଜୀବନର ସାରତତ୍ତ୍ୱ। ତେଣୁ ସମସ୍ତ ପ୍ରକାର ପରିବର୍ତ୍ତନ ଓ ପ୍ରଗତି ସତ୍ତ୍ୱେ ପରମ୍ପରାର ଅନୁରଣନ ସମସ୍ତ ପ୍ରକାର ପ୍ରଗତି ଅନ୍ତରାଳରେ ସୁସ୍ପଷ୍ଟ।
ବାସ୍ତବିକ କହିବାକୁ ଗଲେ ସଂସ୍କୃତିରୂପକ ଏକ ସାମୂହିକ ଚେତନାକୁ ସ୍ବୀକାର କରି ଅନାୟାସରେ କାଳାତିପାତ କରୁଥିଲା ମାନବ। ଆଜି କିନ୍ତୁ ସମୟର ଧାରାରେ ମାନବ ଏପରି ଏକ ଉପତ୍ୟକାର ଅଧିବାସୀ ସାଜିଛି; ଯେଉଁଠାରେ ଆପଣାର ଅନିଚ୍ଛା ସତ୍ତ୍ୱେ ମଧ୍ୟ ସେ ଦୁଃଖ ଓ ଦୁର୍ବିପାକର ଅଂଶୀଦାର ହେବା ପାଇଁ ବାଧ୍ୟ। ଆଜି କେଉଁଠାରେ ପରମାଣୁ ପରୀକ୍ଷଣ ଘଟିଲେ ବଦଳିଯାଏ ସମଗ୍ର ବିଶ୍ୱର ଜଳବାୟୁ। କେଉଁଠାରେ ଯୁଦ୍ଧର ଆୟୋଜନ ହେଲେ ଛାତିରେ ପଶେ ଛନକା। ଆଜି ସମଗ୍ର ବିଶ୍ୱ ଏପରି ଏକ ସୂତ୍ରରେ ବନ୍ଧା, ଯାହା କ୍ଷଣିକ ମଧ୍ୟରେ ସର୍ବତ୍ର ଆଣିପାରେ ପରିବର୍ତ୍ତନ। ବିଶ୍ୱକୁ ଧ୍ୱଂସ କରିବାର ସାମର୍ଥ୍ୟ ନେଇ ଆମେ ଭସ୍ମାସୁରରେ ରୂପାନ୍ତରିତ ହୋଇସାରିଲେଣି। ତେଣୁ ତ ଆମ ସ୍ବପ୍ନରେ- ସମ୍ଭାବନାରେ- ସାମର୍ଥ୍ୟରେ; ବିପର୍ଯ୍ୟୟ ଭଳି ଏକ ସତ୍ୟକୁ ଅଣଦେଖା କରିହେବ ନାହିଁ।
ସ୍ନାତକୋତ୍ତର ଓଡ଼ିଆ ବିଭାଗ,
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ
ମୋ: ୮୮୯୫୧୪୧୭୨୭


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଉତ୍ତରପ୍ରଦେଶର ଧୀରଜ ବର୍ମା ବିନା ମାଟି ଅର୍ଥାତ୍‌ କେବଳ ପାଣି (ହାଇଡ୍ରୋପୋନିକ୍ସ ପଦ୍ଧତି)ରେ ଚାଷକରି ପ୍ରଥମ ପର୍ଯ୍ୟାୟରେ ୫ ଟନ୍‌ ଷ୍ଟ୍ରବେରି ଉତ୍ପାଦନ କରିବାକୁ ସକ୍ଷମ ହୋଇଛନ୍ତି।…

ବିଶ୍ୱାସ ଅଛି, ଭରସା ନାହିଁ

ଆଗକୁ ଅନ୍ଧାରପକ୍ଷ ଆସୁଛି। କୁଞ୍ଜବଦଳିଆ, ଦାଆଗେଣ୍ଡାଳିଆ, ସାରସ, ପାତିହଂସ, ଜଡ଼ାହଂସ ସମସ୍ତଙ୍କ ମଧ୍ୟରେ ଭାଳେଣି, ମାଫିଆଙ୍କ ହାତରୁ ଏଥର ନିସ୍ତାର ନାହିଁ। କାକଟପୁର, ଅସ୍ତରଙ୍ଗ, ଦେବୀନଦୀ ମୁହାଣ,…

ଆତଙ୍କବାଦର ପୃଷ୍ଠପୋଷକ କିଏ

ୟୁରୋପୀୟ ପାର୍ଲାମେଣ୍ଟରେ ରୁଷିଆକୁ ‘ଆତଙ୍କବାଦ ପୃଷ୍ଠପୋଷକ ରାଷ୍ଟ୍ର’ ବୋଲି ଘୋଷଣା କରିଥିଲା ବେଳେ ଆମେରିକା ପାକିସ୍ତାନକୁ ସହଯୋଗର ହାତ ବଢ଼ାଇ ନିଜର ମିତ୍ର ରାଷ୍ଟ୍ରର ପରିଚୟ ଦେଇଥିଲା।…

ଆତ୍ମସମର୍ପଣ

ସାର୍ବଭୌମତ୍ୱ ଉଲ୍ଲଂଘନକୁ ଏକ ଦେଶର ଆଞ୍ଚଳିକ ଅଖଣ୍ଡତାର ଉଲ୍ଲଂଘନ କିମ୍ବା ସରକାରୀ କାର୍ଯ୍ୟରେ ହସ୍ତକ୍ଷେପ ବୋଲି କୁହାଯାଏ। ଜଣେ ଆତ୍ମସମର୍ପଣ କରେ ଯେତେବେଳେ ସେ ବିନା ପ୍ରତିରୋଧରେ…

ଶେଷାନ ଓ ଗାଈଆଳ ପିଲା

ଆଲେଖ୍ୟଟିକୁ ଆରମ୍ଭ କରିବା ସ୍ବର୍ଗତଃ ଶେଷାନଙ୍କ ଅଙ୍ଗେଲିଭା ଏକ ଘଟଣାରୁ। ତିରୁନେଲାଇ ନାରାୟଣ ଆୟାର ଶେଷାନ ହେଉଛନ୍ତି ସେହି ଭାରତୀୟ ପ୍ରଶାସନିକ ଅଧିକାରୀ, ଯିଏକି ମୁଖ୍ୟ ନିର୍ବାଚନ…

କର୍ପୋରେଟ୍‌ଙ୍କ ସ୍ବାର୍ଥରେ

ଦେଶର ଦୁର୍ବଳ ହେଉଥିବା ଅର୍ଥନୀତି ଓ ବିଶେଷକରି ଆମେରିକା ପରି ପାଶ୍ଚାତ୍ୟ ସାମ୍ରାଜ୍ୟବାଦୀ ଶକ୍ତିମାନଙ୍କ ଭାରି ଚାପ ମଧ୍ୟରେ କେନ୍ଦ୍ର ସରକାର ବଜେଟ ଆଗତ କରିଛନ୍ତି। ୨୦୨୪…

କଡ଼ା ନିୟମ

ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସଦ୍ୟ ନିର୍ଦ୍ଦେଶନାମା ଜାରି କରିଛି ଯେ, ୨୦୧୧ ଓ ତା’ପର ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀଙ୍କୁ କେନ୍ଦ୍ରରେ ଇନ୍ସପେକ୍ଟର ଜେନେରାଲ ପଦବୀ ପାଇଁ ତାଲିକାଭୁକ୍ତ ହେବା…

ବହି କଥା

ଦିନ ଥିଲା ବହି ସହିତ ଅନ୍ତରଙ୍ଗ ହେବାପାଇଁ ନିଭୃତ କକ୍ଷଟିଏ ଲୋଡ଼ା ହେଉଥିଲା। ଯାହାର ନାଁ ଥିଲା ପଢ଼ା ଘର। ସେଇ ପଢ଼ାଘର ସବୁ ଆଜି ବି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri