Categories: ଜାତୀୟ

ଅବିବାହିତା ଝିଅଙ୍କୁ ଭରଣପୋଷଣ ଦେବା ମାତାପିତାଙ୍କ ପାଇଁ ବାଧ୍ୟତାମୂଳକ: ହାଇକୋର୍ଟଙ୍କ ରାୟ…

ପ୍ରୟାଗରାଜ,୧୮।୧ : ଆହ୍ଲାବାଦ ହାଇକୋର୍ଟ ଏହାର ଏକ ନିଷ୍ପତ୍ତିରେ ସ୍ପଷ୍ଟ କରିଛନ୍ତି ପରିବାରର ଅବିବାହିତ ଝିଅମାନେ ମଧ୍ୟ ସେମାନଙ୍କ ମାତାପିତାଙ୍କଠାରୁ ଭରଣପୋଷଣ ପାଇବାକୁ ହକଦାର। କୋର୍ଟ ଏହା ମଧ୍ୟ କହିଛନ୍ତି ଏହି ଝିଅମାନେ ଯେ କୌଣସି ଧର୍ମ କିମ୍ବା ବୟସର ହୁଅନ୍ତୁ ନା କାହିଁକି, ସେମାନଙ୍କ ପରିବାରକୁ ଦେଶର ଘରୋଇ ହିଂସା ଅଧିନିୟମ ଅନୁଯାୟୀ ଭରଣପୋଷଣ ଦେବାକୁ ପଡିବ। ଏକ ମାମଲାରେ ବାପା ଏବଂ ସାବତ ମା ତିନି ଭଉଣୀଙ୍କ ବିରୋଧରେ ଘରୋଇ ହିଂସା କରୁଥିଲେ।

ହାଇକୋର୍ଟଙ୍କ ପୂର୍ବରୁ ଏହି ମାମଲା ନିମ୍ନ ଅଦାଲତରେ ପହଞ୍ଚିଥିଲା। ନିମ୍ନ ଅଦାଲତ ତିନି ଝିଅଙ୍କୁ ଭରଣପୋଷଣ ଦେବା ପାଇଁ ମାତାପିତାଙ୍କୁ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଜାରି କରିଥିଲେ। ନିମ୍ନ ଅଦାଲତର ଏହି ଆଦେଶକୁ ଆହ୍ଲାବାଦ ହାଇକୋର୍ଟରେ ପିତା ନାଇମୁଲ୍ଲା ଶେଖ ଚ୍ୟାଲେଞ୍ଜ କରିଥିଲେ, ଯାହା ବର୍ତ୍ତମାନ ହାଇକୋର୍ଟଙ୍କ ଦ୍ୱାରା ପ୍ରତ୍ୟାଖ୍ୟାନ କରାଯାଇଛି। ହାଇକୋର୍ଟଙ୍କ ଏହି ଆଦେଶ ସହିତ ଅନ୍ୟାନ୍ୟ ମାମଲାର ଶୁଣାଣି ଏବଂ ନିଷ୍ପତ୍ତି ତ୍ୱରାନ୍ବିତ ହେବ।

ପିତାଙ୍କ ପକ୍ଷରୁ କୋର୍ଟରେ ହାଜର ହୋଇଥିବା ଓକିଲ ଯୁକ୍ତି ବାଢ଼ିଥିଲେ ଏହି ତିନି ଝିଅ ସାବାଳିକା। ସେମାନେ ଚାକିରି ମଧ୍ୟ କରୁଛନ୍ତି ଏବଂ ନିଜର ଖର୍ଚ୍ଚ ବହନ କରିବାକୁ ସେମାନେ ସକ୍ଷମ। ଏପରି ପରିସ୍ଥିତିରେ, ନିମ୍ନ ଅଦାଲତର ନିର୍ଦ୍ଦେଶ ଅନୁସାରେ ମାତାପିତା ସେମାନଙ୍କୁ କୌଣସି ପ୍ରକାର ଭରଣପୋଷଣ ଦେବା ଜରୁରୀ ନୁହେଁ ଏବଂ ଏହାକୁ ଖାରଜ କରାଯିବା ଉଚିତ। ମାତ୍ର ହାଇକୋର୍ଟ ନିମ୍ନ ଅଦାଲତଙ୍କ ରାୟକୁ କାଏମ ରଖି ମାତାପିତାଙ୍କୁ ଭରଣପୋଷଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

Share