ବଲାଙ୍ଗୀର, ୨୫।୯ (ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ସରକାରୀ ମହାବିଦ୍ୟାଳୟ ପରିସରରେ ଶୁକ୍ରବାର ଏଡ୍ସ ସଚେତନତା ଓ ସମ୍ବେଦନଶୀଳତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ଜିଲା ମୁଖ୍ୟ ଚିକିତ୍ସାଳୟର ଏଚଆଇଭି ଏଡ୍ସ ବିଭାଗର ବରିଷ୍ଠ ଅଧିକାରୀ ହେମନ୍ତ କୁମାର ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ।
କାର୍ଯ୍ୟକ୍ରମରେ ଶ୍ରୀ ଦାସ ଏଡ୍ସ ସଂକ୍ରମଣର କାରଣ, ଲକ୍ଷଣ, ପ୍ରତିରୋଧର ଉପାୟ ଏବଂ ଏଚଆଇଭି ଏଡ୍ସକୁ ନେଇ ସମାଜରେ ରହିଥିବା ବିଭିନ୍ନ ଭ୍ରାନ୍ତ ଧାରଣା ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଏଥିସହ ଏଡ୍ସ ସମ୍ପର୍କରେ ସଠିକ ତଥ୍ୟ ଜାଣିବା ଓ ସଚେତନତା ସୃଷ୍ଟି କରିବାର ଗୁରୁତ୍ୱ ଉପରେ ସେ ଆଲୋକପାତ କରିଥିଲେ।
ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. କୌତୁକ ପନ୍ଦର କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ। ଅର୍ଥନୀତି ବିଭାଗ ମୁଖ୍ୟ ସହକାରୀ ପ୍ରଫେସର ଲେଫ୍ଟନାଣ୍ଟ କୁଶ କହଁର, ଇତିହାସ ବିଭାଗ ମୁଖ୍ୟ ଡ. ରମଣୀ ନାଏକ ଏବଂ ଶିକ୍ଷା ବିଭାଗ ମୁଖ୍ୟ ମଧୁସ୍ମିତା ମିଶ୍ର ଉପସ୍ଥିତ ରହି ଏଡ୍ସ ସଚେତନତା ସମ୍ପର୍କିତ ନିଜର ବାର୍ତ୍ତା ରଖିଥିଲେ।
ଏଡ୍ସ ସଚେତନତାକୁ ନେଇ ମହାବିଦ୍ୟାଳୟ ପକ୍ଷରୁ ପ୍ରବନ୍ଧ, ଚିତ୍ରାଙ୍କନ ଓ କୁଇଜ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ପ୍ରବନ୍ଧ ପ୍ରତିଯୋଗିତାରେ ଓଡ଼ିଆ ବିଭାଗର ସ୍ନାତକ ପ୍ରଥମ ବର୍ଷର ଛାତ୍ର ରଶ୍ମିରଞ୍ଜନ ଛତ୍ରିଆ ପ୍ରଥମ, ଶିକ୍ଷା ବିଭାଗର ରଞ୍ଜିତ ନାଏକ ଦ୍ୱିତୀୟ ଏବଂ ବନ୍ଦନା ଦୀପ ତୃତୀୟ ସ୍ଥାନ ହାସଲ କରିଥିଲେ। କୁଇଜ ପ୍ରତିଯୋଗିତାରେ ଓଡ଼ିଆ ବିଭାଗର ସ୍ନାତକ ପ୍ରଥମ ବର୍ଷର ଛାତ୍ରୀ ବଲ୍ଲଭୀ ବନଛୋର, ଅର୍ଥନୀତି ବିଭାଗର ସୁଶୀଲ ଚୌହାନ ଏବଂ ଇଂରାଜୀ ବିଭାଗର ସୁଶାନ୍ତ କୁମାର ସାହୁ ବିଜୟୀ ହୋଇଥିଲେ। ସେହିପରି ଚିତ୍ରାଙ୍କନ ପ୍ରତିଯୋଗିତାରେ ଗ୍ରନ୍ଥାଗାର ଓ ସୂଚନା ବିଜ୍ଞାନ ବିଭାଗର ଛାତ୍ର ସାଗର ନାଏକ, ଯୁକ୍ତଦୁଇ କଳାର ଛାତ୍ରୀ ଲିପି ପଟେଲ ଏବଂ ଇଂରାଜୀ ବିଭାଗର ଅମିତ କୁମାର ରଣା ପୁରସ୍କୃତ ହୋଇଥିଲେ। କାର୍ଯ୍ୟକ୍ରମକୁ ଅଧ୍ୟାପିକା ସଙ୍ଗୀତା ସାହୁ ସଞ୍ଚାଳନା କରିଥିବାବେଳେ ଶେଷରେ ସହକାରୀ ପ୍ରଫେସର ଡ. ଶ୍ରୀକାନ୍ତ କୁମାର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।