ଜାଇକା କାର୍ଯ୍ୟ ଶେଷ କରିବାକୁ ଗୁରୁତ୍ୱ

କଟକ ଅଫିସ, ୨୦ା୧: କଟକ ସହରରେ ଜାଇକା କାର୍ଯ୍ୟର ଅଗ୍ରଗତି ନେଇ ମଙ୍ଗଳବାର ନୂଆବଜାରସ୍ଥିତ ଜାଇକା କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଧାୟକ ଇଂ. ମହମ୍ମଦ ମୋକିମ ଯୋଗଦେଇ ତୁଳସୀପୁର ଟିଭି ସେଣ୍ଟରସ୍ଥିତ ପୋଖରୀର ଉନ୍ନତୀକରଣ ଓ ପାର୍କ ନିର୍ମାଣ, ଚହଟା ଓ କୃଷକ ବଜାର ଅଞ୍ଚଳକୁ ଜାଇକା ପ୍ରକଳ୍ପ ଅନ୍ତର୍ଭୁକ୍ତ କରିବାକୁ ପ୍ରସ୍ତାବ ଦେବା ସହିତ ବିଡାନାସୀ ଅଞ୍ଚଳର ବାକି ଥିବା ଜାଇକା କାର୍ଯ୍ୟ ତୁରନ୍ତ ଶେଷ କରିବାକୁ ଗୁରୁତ୍ୱ ଦେଇଥିଲେ। ଏଥିସହ ସହରର ସମସ୍ତ ନାଳ ମରାମତି, ପଙ୍କୋଦ୍ଧାର, ଜଳ ନିଷ୍କାସନ ସମ୍ପର୍କରେ ପଚାରି ବୁଝିଥିଲେ। ମୁଖ୍ୟ ନାଳର କାନ୍ଥ ମରାମତି ଓ ସୁଦୃଢୀକରଣ ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ବର୍ଷାଦିନ ପୂର୍ବରୁ ମୁଖ୍ୟନାଳ ସମେତ ଗଳିକନ୍ଦି ନାଳଗୁଡିକରୁ ପଙ୍କୋଦ୍ଧାର କାର୍ଯ୍ୟ ଶେଷ କରିବାକୁ ବୈଠକରେ ଆଲୋଚନା ହୋଇଥିଲା। ଜାଇକା କାର୍ଯ୍ୟର ମନ୍ଥରତାକୁ ନେଇ ବିଧାୟକ ମୋକିମ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଜାଇକାର ତ୍ରୁଟିପୂର୍ଣ୍ଣ କାର୍ଯ୍ୟ ଯୋଗୁ ବର୍ଷାଦିନେ ସହରବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ବିଧାୟକ କହିଥିଲେ। ୨୦୨୧ ସୁଦ୍ଧା ସ୍ବେରେଜ କାର୍ଯ୍ୟ, ୨୦୨୨ ସୁଦ୍ଧା ବକ୍ସ ଡ୍ରେନ ଓ ଜାଇକା ପ୍ରକଳ୍ପ ଶେଷ କରିବା ପାଇଁ ଅଧିକାରୀମାନେ ପ୍ରତିଶ୍ରୁତି ଦେଇଥିଲେ। ଏଥିସହ ରାସ୍ତାଘାଟ ଓ ନାଳ ନର୍ଦ୍ଦମା ସମସ୍ୟା ଦୂର କରିବାକୁ ଉଦ୍ୟମ ହେଉଥିବା ସେମାନେ ସୂଚନା ଦେଇଥିଲେ। ଏହି ବୈଠକରେ ସିଏମ୍‌ସି କମିଶନର ଅନନ୍ୟା ଦାସ, ଜାଇକାର ଅଧିକାରୀ ଗୋଲଖ ବିହାରୀ ପରିଡା, ବିକ୍ରମ କେଶରୀ ମିଶ୍ର, ବି.ପି. ସିଂ, ମନୋଜ ରାଉତ, ଗିରିବାଳା ବେହେରା, ଶୈଳବାଳା ଜେନା, ଅଜିତ୍‌ ବେହେରା, ମହମ୍ମଦ ଅଲିମ ପ୍ରମୁଖ ଯୋଗଦେଇଥିଲେ।