୧୦ରେ ବାତ୍ୟା ସମ୍ଭାବନା

ଭୁବନେଶ୍ୱର,୩ା୫(ବ୍ୟୁରୋ)- ଦକ୍ଷିଣ ଆଣ୍ଡାମାନ ଓ ଏହାର ଆଖପାଖ ଅଞ୍ଚଳରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଆସନ୍ତା ୬ ତାରିଖରେ ଏହା ଲଘୁଚାପରେ ପରିଣତ ହେବ। ଏହାର ୨୪ ଘଣ୍ଟା ମଧ୍ୟରେ ଲଘୁଚାପ ଘନୀଭୂତ ହୋଇ ଅବପାତ (ଡିପ୍ରେସନ)ରେ ପରିଣତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ତେବେ ଆସନ୍ତା ୯ କିମ୍ବା ୧୦ ତାରିଖ ବେଳକୁ ଏହା ଗଭୀର ଅବପାତ(ଡିପ୍‌ ଡିପ୍ରେସନ)ରେ ପରିଣତ ହୋଇ ବାତ୍ୟାରୂପ ନେବାର ସମ୍ଭାବନା ରହିଛି। ଯଦି ଲଘୁଚାପ ବାତ୍ୟାରୂପ ନେବ ତେବେ ଏହାର ଗତିପଥ କେଉଁ ଆଡ଼କୁ ହେବ ସେ ନେଇ ପାଣିପାଗ ବିଭାଗ ପକ୍ଷରୁ ଏ ପର୍ଯ୍ୟନ୍ତ କୌଣସି ସୂଚନା ଦିଆଯାଇ ନାହିଁ। ଲଘୁଚାପ ହେବା ପରେ ବାତ୍ୟା ସମ୍ପର୍କରେ ସମ୍ପୂର୍ଣ୍ଣ ଚିତ୍ର ଦିଆଯାଇ ପାରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।