ସେପ୍ଟେମ୍ବରରେ ୨ଲକ୍ଷ ଟପିବା ଆଶଙ୍କା

ଭୁବନେଶ୍ୱର, ୨୩।୯(ବ୍ୟୁରୋ):ରାଜ୍ୟରେ କରୋନା ସଂକ୍ରମଣ କମିବାର ନାଁ ନେଉନି। ଗତ କିଛିଦିନ ହେବ ରାଜ୍ୟରେ ଦୈନିକ ସଂକ୍ରମଣ ୪ହଜାର ଉପରେ ରହୁଛି। ଏହି ଧାରା ଜାରି ରହିଲେ ଚଳିତମାସ ଶେଷବେଳକୁ ଆକ୍ରାନ୍ତ ସଂଖ୍ୟା ୨ଲକ୍ଷ ଟପିଯିବ ବୋଲି ବିଶେଷଜ୍ଞମାନେ ଆଶଙ୍କା କରିଛନ୍ତି। ଶେଷ ୨୪ଘଣ୍ଟାରେ ମଧ୍ୟ ୪,୧୮୯ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ସଂକ୍ରମଣ ୧,୮୮,୩୧୧କୁ ବୃଦ୍ଧି ପାଇଛି। ତେବେ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୭୧୨ଜଣ ଥିବାବେଳେ କଟକ ୫୮୬, ପୁରୀ ୨୬୫, ସୁନ୍ଦରଗଡ଼ ୨୦୧, ଯାଜପୁର ୧୮୭, ମୟୂରଭଞ୍ଜ ୧୭୪, ବାଲେଶ୍ୱର ୧୫୦, ବରଗଡ଼ ୧୨୮, କେନ୍ଦ୍ରାପଡ଼ା ୧୨୬, ବଲାଙ୍ଗୀର ୧୧୪, ସମ୍ବଲପୁର ୧୧୩, କଳାହାଣ୍ଡି ୧୦୫, ଅନୁଗୋଳ ଓ ଜଗତ୍‌ସିଂହପୁରରୁ ୧୦୪ଜଣ ଲେଖାଏ ରହିଛନ୍ତି। ଅନ୍ୟସବୁ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ତଳକୁ ରହିଥିବାବେଳେ ଗଜପତିରୁ ସର୍ବନିମ୍ନ ୨ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨,୪୫୩ଜଣ କ୍ୱାରାଣ୍ଟାଇନ୍‌ରୁ ବାହାରିଥିବାବେଳେ  ୧,୭୩୬ଜଣ ସ୍ଥାନୀୟ ଆକ୍ରାନ୍ତ ରହିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି।

ସେପଟେ ରାଜ୍ୟର ଆଉ ୧୧ଜଣଙ୍କ ଜୀବନ ନେଇଛି ଏହି ମହାମାରୀ।  ଗଞ୍ଜାମ, ବଲାଙ୍ଗୀର, ବାଲେଶ୍ୱର ଓ ମାଲକାନଗିରିରୁ ଦୁଇଜଣ ଲେଖାଏ ଥିବାବେଳେ ପୁରୀ, ଭୁବନେଶ୍ୱର ଓ ଭଦ୍ରକରୁ ଜଣେ ଲେଖାଏ ପ୍ରାଣ ହରାଇଛନ୍ତି। ଫଳରେ ରାଜ୍ୟରେ ଏବେ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୨୧କୁ ଛୁଇଁଛି। ଅନ୍ୟପକ୍ଷରେ ରାଜ୍ୟରେ ପ୍ରତିଦିନ ଭଳି ମଙ୍ଗଳବାର ମଧ୍ୟ ଅନେକ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇଛନ୍ତି। ଆଉ ୩,୮୩୪ ଆକ୍ରାନ୍ତ ସୁସ୍ଥ ହେବାପରେ ରାଜ୍ୟରେ ଆରୋଗ୍ୟ ସଂଖ୍ୟା  ୧,୫୩,୨୧୩କୁ ବୃଦ୍ଧି ପାଇଛି।