ଝାଡ଼ୁ କିଣିବାକୁ ଶୁଭ ମନେ କରାଯାଏ

ଧନତେରସ ଦିନରେ ଝାଡ଼ୁ କିଣିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। ବିଶ୍ୱାସ କରାଯାଏ ଯେ ଏହି ଦିନ ଝାଡ଼ୁ କିଣିବା ଦ୍ୱାରା ମା’ ଲକ୍ଷ୍ମୀଙ୍କ ବାସସ୍ଥାନ ଘରେ ରହିଥାଏ। ହେଲେ ଝାଡ଼ୁ କିଣିବା ପୂର୍ବରୁ ଏହାର କିଛି ନିୟମ ଥିବା ନେଇ ଲୋକବିଶ୍ୱାସ ରହିଛି।
ଉଦୟା ତିଥି ଆଧାରରେ ୨୩ ଅକ୍ଟୋବରରେ ଧନତେରସ ପର୍ବ ପାଳନ କରାଯାଉଛି। ଏହି ଦିନ ସୁନା, ପିତ୍ତଳ ଏବଂ ରୁପା ବାସନ କିଣିବାର ଏକ ପରମ୍ପରା ରହିିଛି। ଏହି ଦିନ ବାସନ କିଣିବା ଦ୍ୱାରା ଧନ ଏବଂ ସମୃଦ୍ଧି ଆସିଥାଏ ବୋଲି ବିଶ୍ୱାସ ରହିଛି। ଏହାଛଡ଼ା ଏହି ଦିନ ଅନ୍ୟ କିଛି ପଦକ୍ଷେପକୁ ଅତ୍ୟନ୍ତ ଲାଭଦାୟକ ମନେକରାଯାଏ, ଯେମିତିକି ଝାଡ଼ୁ କିଣିବା। ତାହାକୁ ଅତ୍ୟନ୍ତ ଶୁଭ ବୋଲି ଧରିନିଆଯାଏ। ଏପରି କି ତାହାକୁ ଦେବୀ ଲକ୍ଷ୍ମୀଙ୍କ ପ୍ରତିନିଧିତ୍ୱ ଭାବେ ବିବେଚନା କରାଯାଏ। ତେବେ ଝାଡ଼ୁ କିଣିବାବେଳେ କିଛି ନିୟମ ପାଳନ କରିବା ଆବଶ୍ୟକ, ନଚେତ ଦେବୀ ଲକ୍ଷ୍ମୀ ଖୁସି ହେବା ପରିବର୍ତ୍ତେ କ୍ରୋଧିତ ହୋଇପାରନ୍ତି ବୋଲି ଜନଶ୍ରୁତି ରହିଛି। ସେହି ନିୟମ ମଧ୍ୟରେ- ଧନତେରସ ଦିନ କିଣାଯାଇଥିବା ଝାଡ଼ୁକୁ ତିରସ୍କାର କରିବା ଉଚିତ ନୁହେଁ। ଭୁଲ୍‌ରେ ମଧ୍ୟ ସେଥିରେ ଯେଭଳି ଗୋଡ଼ ନ ବାଜିବ ସେଥିପ୍ରତି ଧ୍ୟାନ ଦେବାକୁ ହୋଇଥାଏ। କାରଣ ଏପରି କାର୍ଯ୍ୟ ମା’ ଲକ୍ଷ୍ମୀଙ୍କୁ କ୍ରୋଧିତ କରିଥାଏ। ସେହିପରି ଉକ୍ତ ଝାଡ଼ୁକୁ କିଣି ଘର ଭିତରକୁ ଆଣିବା ପୂର୍ବରୁ ତାହାର ହ୍ୟାଣ୍ଡେଲ୍‌ରେ ଏକ ଧଳା ରଙ୍ଗର ସୂତା ବନ୍ଧାଯାଏ। ବିଶ୍ୱାସ କରାଯାଏ ଯେ, ଏହି କାରଣରୁ ମା’ ଲକ୍ଷ୍ମୀ ଘରେ ସ୍ଥିର ହୋଇରହିଥାନ୍ତି। ସେହିପରି ଗୋଟିଏ, ଦୁଇଟି କିମ୍ବା ୪ଟି ଝାଡ଼ୁ କିଣି ଘରକୁ ଅଣାଯାଇ ନ ଥାଏ। ଏକାଥରକେ ୩ଟି ଝାଡ଼ୁ କିଣିବାକୁ ଶୁଭ ବୋଲି ବିବେଚନା କରାଯାଏ। ଧନତେରସ୍‌ରେ କିଣାଯାଉଥିବା ଝାଡ଼କୁ ଖୋଲାରେ ରଖିଲେ ଘରେ କଳହ ସୃଷ୍ଟି ହୋଇଥାଏ। ତେଣୁ ତାହାକୁ ଘୋଡ଼େଇ ରଖିବାର ବିଧି ରହିଛି। ଏହି ଦିନ ନୂଆ ଝାଡ଼ୁ ଆଣିଲେ, ପୁରୁଣା ଝାଡ଼ୁକୁ ଫିଙ୍ଗାଯାଇ ନ ଥାଏ। ପର୍ବ ଦିନ ସନ୍ଧ୍ୟାରେ ପ୍ରଥମେ ପୁରୁଣା ଝାଡ଼ୁକୁ ପୂଜା କରାଯାଏ, ତା’ପରେ ନୂଆ ଝାଡ଼ୁକୁ ପୂଜା କରାଯାଇ ସମୃଦ୍ଧି ପାଇଁ ପ୍ରାର୍ଥନା କରାଯାଏ। ସେହିପରି ପୁରୁଣା ଝାଡ଼ୁକୁ ଭୁଲ୍‌ରେ ମଧ୍ୟ ଖଟ କିମ୍ବା ରୋଷେଇ ଘରେ ରଖାଯାଇ ନ ଥାଏ। ସେଥିରେ ଏକ କଳା ସୂତା ବାନ୍ଧି ନଜର ପଡ଼ୁ ନ ଥିବା ସ୍ଥାନରେ ଲୁଚାଇ ରଖାଯାଏ। ଏହାଦ୍ୱାରା ନକାରାତ୍ମକ ଶକ୍ତି ଘରେ ପ୍ରବେଶ କରେ ନାହିଁ ବୋଲି ଏହି ପର୍ବ ପାଳୁଥିବା ଲୋକଙ୍କ ମଧ୍ୟରେ ବିଶ୍ୱାସ ରହିଛି।