
ଜି.ଉଦୟଗିରି, ୧୨।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ରଜ୍ୟର ସବୁଠାରୁ ଶୀତଳତମ ସହର ଜି.ଉଦୟଗିରି ଅଞ୍ଚଳରେ ହାଡ଼ଭଙ୍ଗା ଶୀତରେ ଅସ୍ତବ୍ୟସ୍ତ ଅଞ୍ଚଳବାସୀ। ଜାଡ଼ ଥଣ୍ଡା ସହ କୋହଲା ପବନ ଥଣ୍ଡାକୁ ଦ୍ୱିଗୁଣିତ କରୁଛି। ଦୁଇ ଦିନ ହେଲା ଜି.ଉଦୟଗିରିରେ ୩ ଡିଗ୍ରୀ ତାପମାତ୍ରା ରହୁଥିବା ବେଳେ ସହର ସହ ଆଭ୍ୟନ୍ତରୀଣ ଅଞ୍ଚଳରେ ତୁଷାରପାତ ହୋଇଥିବା ଦେଖିବାକୁ ମିଳିଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ସମଗ୍ର ରାଜ୍ୟରେ ଶନିବାର ସକାଳ ସୁଦ୍ଧା ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୩.୧ ଡିଗ୍ରୀ ସେଲସିୟସ ରହିଥିବା ବେଳେ ସେମିଳିଗୁଡ଼ା ୪.୬, ଫୁଲବାଣୀ ୫.୫ ଡିଗ୍ରୀ ଦାରିଙ୍ଗବାଡ଼ିରେ ୬ ଡିଗ୍ରୀ ରେକର୍ଡ ହୋଇଥିବା ସୂଚନା ମିଳିଛି। ପ୍ରତିଦିନ ପାରଦ ତଳ ମୁହାଁ ହେଉଥିବାବେଳେ ଆଭ୍ୟନ୍ତରୀଣ ଅଞ୍ଚଳରେ ତୁଷାରପାତ ହେଉଥିବା ଦେଖିବାକୁ ମିଳିଛି। ଅତ୍ୟଧିକ ଜାଡ଼ ଥଣ୍ଡା ଯୋଗୁ ସକାଳ ୧୦ ଘଣ୍ଟିକା ଯାଏ ଘରୁ ବାହାରିବା କଷ୍ଟକର ହେଉଛି। ଓଡ଼ିଶାର କନ୍ଧମାଳ ଜିଲା ଜି.ଉଦୟଗିରିରେ ଆଜି ମଧ୍ୟ ସର୍ବନିମ୍ନ ତାପମାତ୍ରା ରହିଥିବା ବେଳେ ପ୍ରବଳ ଥଣ୍ଡା ଯୋଗୁ ସମସ୍ତେ ପ୍ରଭାବିତ। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପ୍ରବଳ ଶୀତ ଅନୁଭୂତ ହେଉଛି। ପାହଡ଼ ତଳିଆ ଅଞ୍ଚଳରେ ଆହୁରି ଅଧିକ ଥଣ୍ଡା ହେଉଥିବା ଦାବି ହେଉଛି।ଜି.ଉଦୟଗିରି ରେ ବିଗତ ୮ ଦିନ ହେବ ୫ ଡିଗ୍ରୀ ତଳେ ତାପମାତ୍ରା ରହିଛି । ପ୍ରବଳ ଜାଡ଼ ଶୀତ, କୋହଲା ପବନ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହେବା ସହ ଜୀବନ ଜୀବିକା ପ୍ରଭାବିତ ହେଉଛି। ବିଶେଷ କରି ଯାନବାହାନ ଚଳାଚଳ ଅସୁବିଧା ହେଉଛି ଓ ଦୁର୍ଘଟଣା ମଧ୍ୟ ବଢୁଛି। ଏପଟେ ଶୀତର ମଜା ନେବା ପାଇ ଜିଲା ତଥା ରାଜ୍ୟ ବାହାରୁ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ି ଚାଲିଛି। ଆଗାମୀ ଦିନରେ ଓଡ଼ିଶାର ଜି.ଉଦୟଗିରି ପର୍ଯ୍ୟଟନର ହବ୍ ହେବା ନେଇ ସାଧାରଣରେ ଦାବି ହେଉଛି। କାହିଁକି ନା ଏହାର ୪୦ କିଲୋମିଟର ବଳୟ ଭିତରେ ଅନେକ ପ୍ରାକୃତିକ ସୌନ୍ଦର୍ଯ୍ୟପୂର୍ଣ୍ଣ ପର୍ଯ୍ୟଟନସ୍ଥଳୀ ରହିଛି । ଯେମିତିକି କଳିଙ୍ଗା ଘାଟି,କଳିଙ୍ଗା ବାଟନିକାଲ ଗାର୍ଡେନ, ଡୁଙ୍ଗି ଶିବ ମନ୍ଦିର,ରାଜାଗଡ଼ା ୱାଟର ଫଲ, ସିର୍କି ଇକୋ ପାର୍କ,କାଲିଗାଡୁ ହିଲ ଟପ୍ ,ମୁକଲିଙ୍ଗିଆ ଗୋଲ ଓ ମରିଚ କଫି ବଗିଚା , କଲିନାଯୁ ଡ୍ୟାମ,ଧାଙ୍ଗାଡ଼ାମାହା ମଧୁଝରି ଜଳାଶୟ, ମୁଣ୍ଡାକାଙ୍ଗାର ଗୁମ୍ଫା,ଡଡା ସରୁ ବାଘ ଗୁମ୍ଫା,ବଲାସରୁରେ ମେଘ ମାଳାର ଦୃଶ୍ୟ ଓ କତିଙ୍ଗିଆ ଗଡ଼ିଶିଲା ୱାଟର ଫଲ ସହ ଅଞ୍ଚଳରେ ଥିବା ପାହାଡ଼ ପାଦ ଦେଶରେ ସାହସୀକ ଜଙ୍ଗଲ ଟ୍ରାକିଙ୍ଗ ଇତ୍ୟାଦି ପର୍ଯ୍ୟଟକଙ୍କୁ ଭରପୂର ଆନନ୍ଦ ଦେବ । ଅଞ୍ଚଳର ସବୁଜିମା ସମସ୍ତଙ୍କୁ ଆକର୍ଷଣ କରୁଥିବାରୁ ପର୍ଯ୍ୟଟନସ୍ଥଳୀ ଗୁଡ଼ିକର ବିକାଶକୁ ଗୁରୁତ୍ୱ ଦେବା ପାଇଁ ସରକାରଙ୍କ ନିକଟରେ ଅଞ୍ଚଳବାସୀ ଦାବି କରିଛନ୍ତି ।












