ରାଜ୍ୟରେ ସ୍ବାସ୍ଥ୍ୟ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ସହଜ ହେଲା

ଭୁବନେଶ୍ୱର, ୧୩।୧୨(ବ୍ୟୁରୋ): ଏଣିକି ରାଜ୍ୟରେ ସ୍ବାସ୍ଥ୍ୟ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ସହଜ ହେବ। ଗୁଣାତ୍ମକମାନର ସ୍ବାସ୍ଥ୍ୟ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ଏବଂ ଏକ୍ଷେତ୍ରରେ ଘରୋଇ ପୁଞ୍ଜିନିବେଶକୁ ପ୍ରେତ୍ସାହିତ କରିବା ନିମନ୍ତେ ରାଜ୍ୟ ସରକାର ନୋ-ଅବ୍‌ଜେକ୍‌ସନ ପ୍ରମାଣପାତ୍ର ପ୍ରଦାନ ପ୍ରକ୍ରିୟାକୁ ଅଧିକ ସହଜ ଓ ସରଳ କରିଛନ୍ତି । ଏଥିପାଇଁ ମଙ୍ଗଳବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏକ ସ୍ବତନ୍ତ୍ର ବିଜ୍ଞପ୍ତି ଜାରି କରାଯାଇଛି।

ବିଭଗୀୟ ସଚିବ ଶାଳିନୀ ପଣ୍ଡିତ କହିଛନ୍ତି, ପ୍ରଚଳିତ ବ୍ୟବସ୍ଥା ସମ୍ବନ୍ଧରେ ବିଭିନ୍ନ ସ୍ତରରୁ ମିଳିଥିବା ମତାମତକୁ ଏକ ଉଚ୍ଚସ୍ତରୀୟ କମିଟି ପୁଙ୍ଖାନୁପୁଙ୍ଖ ଭାବେ ବିଚାର କରିଥିଲେ । କମିଟିଙ୍କ ନିଷ୍ପତି ଅନୁସାରେ ଆସନ୍ତା ୨୦୨୩-୨୪ ଶିକ୍ଷା ବର୍ଷଠାରୁ ନୂଆ ନର୍ସିଂ, ଡି.ଫାର୍ମା, ବି. ଫାର୍ମା, ଏମ୍‌. ଫାର୍ମା, ଡି.ଏମ୍‌.ଏଲ୍‌.ଟି, ଡି.ଏମ୍‌.ଆର୍‌.ଟି., ଫିଜିଓଥେରାପି, ଅକୁପେସନାଲ୍‌ ଥେରାପି ଓ ଆନୁସାଙ୍ଗିକ ବିଷୟରେ ଶିକ୍ଷା ଅନୁଷ୍ଠାନ ପ୍ରତିଷ୍ଠା କରିବାକୁ ଚାହୁଁଥିବା ଦରଖାସ୍ତକାରୀଙ୍କୁ ଜି.ଆଇ.ଏସ୍‌. ଏବଂ ଗ୍ୟାପ୍‌ ଆନାଲିସିସ୍‌ ତଥ୍ୟ ଦେବାକୁ ପଡିବ ନାହିଁ । ଏସବୁ ଅନୁଷ୍ଠାନଗୁଡିକର ଭିତ୍ତିଭୂମି ଓ ଦକ୍ଷତା ଆକଳନ ସମ୍ପୃକ୍ତ ବିଷୟରେ ବିଶେଷଙ୍କ କମିଟି ଦ୍ୱାରା କରାଯିବ । ଆକଳନରେ ଜିଲାପାଳ, ଅତିରିକ୍ତ ଜିଲାପାଳ, ବି.ଡି.ଓ., ତହସିଲ୍‌ଦାର ଆଦିଙ୍କର ସମ୍ପୃକ୍ତି ଦରକାର ହେବନାହିଁ ବୋଲି ସେ କହିଛନ୍ତି।