ଓଡ଼ିଶା ରାଜନୀତିରେ ସାମାଜିକ ନ୍ୟାୟ ପ୍ରସଙ୍ଗ

ଅଧ୍ୟାପକ ଗୋପବନ୍ଧୁ

ଓଡ଼ିଶା ରାଜନୀତିରେ ସାମାଜିକ ନ୍ୟାୟକୁ ଏକ ରାଜନୈତିକ ଇସ୍ୟୁ ଭାବେ ଅଦ୍ୟାବଧି ଗ୍ରହଣ କରାଯାଇ ନାହିଁ। ଭାରତବର୍ଷର ଅନେକ ରାଜ୍ୟରେ ଏହାକୁ ନେଇ ରାଜନୀତି ହୋଇଛି ଏବଂ ସଫଳତା ମଧ୍ୟ ମିଳିଛି। ରାଷ୍ଟ୍ରୀୟ ସ୍ତରରେ ମଣ୍ଡଳ କମିଶନ ସୁପାରିସର କାର୍ଯ୍ୟକାରିତା ପରେ ଏ ବିଷୟ ରାଜନୀତିର ପରିସରକୁ ଆସିଛି। ପୂର୍ବରୁ ବାମପନ୍ଥୀମାନେ ଓ ସମାଜବାଦୀମାନେ ଏ ବିଷୟକୁ ଶ୍ରମିକଶ୍ରେଣୀ ସହିତ ମିଶାଇ ଭିନ୍ନ ରୂପରେ ଉପସ୍ଥାପନ କରିଆସିଥିଲେ। ଫଳରେ ଏହାର ସ୍ବତନ୍ତ୍ର ସ୍ଥିତି ନଥିଲା। ମଣ୍ଡଳ କମିଶନ ରିପୋର୍ଟର କାର୍ଯ୍ୟକାରିତା ପରେ ଏହା ଏକ ସ୍ବତନ୍ତ୍ର ରାଜନୈତିକ ପ୍ରସଙ୍ଗଭାବେ ଆତ୍ମପ୍ରକାଶ କରିଛି। ହେଲେ ଓଡ଼ିଶା ରାଜନୀତିରେ ଏ ବିଷୟ କାହିଁକି ଦାନା ବାନ୍ଧିପାରିନାହିଁ ତାହା ଅନୁଧ୍ୟାନର ବିଷୟ। ଉତ୍ତର ଭାରତରେ ଏହା ଦାନା ବାନ୍ଧିଛି। ଦକ୍ଷିଣ ଭାରତରେ ଏହା ପୂର୍ବରୁ ଦାନା ବାନ୍ଧି ସାରିଛି। ହେଲେ ଓଡ଼ିଶା ପରି ଗରିବ ଓ ସାମାଜିକ ଭାବେ ସର୍ବାଧିକ ଉପେକ୍ଷିତ ଲୋକ ବସବାସ କରୁଥିବା ରାଜ୍ୟରେ ଏହା ରାଜନୈତିକ ଭାବେ ଆଗେଇ ନ ପାରିବା ଆଶ୍ଚର୍ଯ୍ୟର ବିଷୟ।
ଓଡ଼ିଶାରେ ସାମାଜିକ ନ୍ୟାୟକୁ ଆଧାର କରି ରାଜନୈତିକ ବାତାବରଣ ତିଆରି ହୋଇ ନ ପାରିବା ପଛରେ ଦୁଇଟି କାରଣ ରହିଛି। ଗୋଟିଏ ହେଉଛି ଦୃଢ଼ ନେତୃତ୍ୱର ଅଭାବ ଓ ଅନ୍ୟଟି ହେଉଛି ରାଜନୈତିକ ସଚେତନତାର ଅଭାବ। ଦେଶରେ ବ୍ୟାପକ ପ୍ରତିକ୍ରିୟାଶୀଳ ନେତୃତ୍ୱର ତିଆରି ଜରୁରିକାଳୀନ ପରିସ୍ଥିତିରୁ ପ୍ରାରମ୍ଭ ହୋଇଥିଲା। ଏହି ସମୟରେ ଯେଉଁ ନେତୃମଣ୍ଡଳୀ ତିଆରି ହୋଇଥିଲା, ତାଙ୍କ ମଧ୍ୟରୁ କିଛି ମଣ୍ଡଳ କମିଶନ ରିପୋର୍ଟ କାର୍ଯ୍ୟକାରିତାର ପକ୍ଷଧର ଥିଲେ। ଏହା କାର୍ଯ୍ୟକାରୀ କରାଯିବାର ଘୋଷଣା ପରେ ଏହାକୁ ପ୍ରତିରୋଧ କରିବା ପାଇଁ ଯେଉଁ କମଣ୍ଡଳ ରାଜନୀତି ଆସିଲା ଓ ତର୍କବିତର୍କର ପରିବେଶ ତିଆରି ହେଲା, ତାହାରି ଭିତରୁ ସାମାଜିକ ନ୍ୟାୟ ପ୍ରସଙ୍ଗ ରାଜନୈତିକ ରୂପ ନେଲା ଏବଂ ଏହାର ପୃଷ୍ଠପୋଷକ ଭାବେ ରାଷ୍ଟ୍ରୀୟ ଓ ପ୍ରାନ୍ତୀୟ ନେତାଙ୍କ ମଧ୍ୟ ଆବିର୍ଭାବ ହେଲା। ଏମାନଙ୍କ ମଧ୍ୟରୁ କେତେକେ ନିଜ ନିଜ ରାଜ୍ୟରେ ପ୍ରମାଣ କରି ଦେଇଛନ୍ତି ଯେ ସାମାଜିକ ନ୍ୟାୟ ଏକ ଦୃଢ଼ ରାଜନୈତିକ ପ୍ରସଙ୍ଗ ଓ ଏହାକୁ ନେଇ କ୍ଷମତା ଦଖଲ କରାଯାଇ ପାରିବ।
ଓଡ଼ିଶାରେ ପ୍ରତିକ୍ରିୟାଶୀଳ ରାଜନୀତିର ପ୍ରାରମ୍ଭ ବିଜୁ ପଟ୍ଟନାୟକଙ୍କ ନେତୃତ୍ୱରେ ଜରୁରିକାଳୀନ ପରିସ୍ଥିତିରେ ହୋଇ ଯାଇଥିଲା। କିନ୍ତୁ ମଣ୍ଡଳ କମିଶନ ରିପୋର୍ଟର କାର୍ଯ୍ୟକାରିତା ଘୋଷଣା ପରେ ଏହା ମଣ୍ଡଳ ବିରୋଧୀ ସ୍ବରୂପକୁ ବଦଳି ଯାଇଥିଲା। ସେ ସମୟରେ ବିଜୁ ପଟ୍ଟନାୟକ ଗରିବର କୌଣସି ଜାତି ନାହିଁ କହି ଏହାକୁ ବିରୋଧ କରିଥିଲେ। କିନ୍ତୁ ସେ ସମୟର କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ମଣ୍ଡଳ ରିପୋର୍ଟର କାର୍ଯ୍ୟକାରିତାକୁ ଦୃଢ଼ ସମର୍ଥନ କରିଥିଲେ, ଯାହାଫଳରେ ଦୁହଁିଙ୍କ ମଧ୍ୟରେ ଏକ ମୁକାବିଲାର ବାତାବରଣ ତିଆରି ହୋଇଥିଲା। କିନ୍ତୁ ସେ ସମୟରେ ଜେନା ଖୋଲାଖୋଲି ଭାବେ ସାମାଜିକ ନ୍ୟାୟ ପ୍ରସଙ୍ଗକୁ ଆଧାର କରି ରାଜ୍ୟରେ ଏକ ବିକଳ୍ପ ରାଜନୀତିର ସମ୍ଭାବନା ତିଆରି କରିବାକୁ ବୋଧହୁଏ ସାହସ କରିପାରିଲେ ନାହିଁ, ଯଦିଓ ରାଜ୍ୟରେ ମଣ୍ଡଳ ସପକ୍ଷରେ ଏକ ପ୍ରଭାବଶାଳୀ ସମର୍ଥକ ଗୋଷ୍ଠୀ ତିଆରି ହୋଇସାରିଥିଲା। ତେବେ ନେତୃତ୍ୱ ଅଭାବରେ ଏ ଆନ୍ଦୋଳନ ରାଜନୈତିକ ରୂପ ନେଇପାରି ନାହିଁ ବୋଲି ଅନେକେ ବିଶ୍ବାସ କରନ୍ତି। ଏହା ସତ୍ୟ ଯେ, ଏ ଦିଗରେ ନେତୃତ୍ୱର ଅଭାବ ରହିଲା। ଆଉ କେହିବି ଏହାର ନେତୃତ୍ୱ ନେଇପାରି ଥାଆନ୍ତେ। ସେପରି ନେତୃତ୍ୱ ଆଉ ଉଭା ହେଲେ ନାହିଁ।
ଦ୍ୱିତୀୟ କାରଣ ହେଉଛି ସଚେତନତାର ଅଭାବ। ଉତ୍ତର ଭାରତ ଓ ଦକ୍ଷିଣ ଭାରତରେ ଯେଉଁ ପ୍ରକାର ରାଜନୈତିକ ସଚେତନତା ରହିଛି, ନିଜ ଭାଗୀଦାରି ପ୍ରତି ସତର୍କତା ରହିଛି, ସେ ତୁଳନାରେ ଓଡ଼ିଶାରେ ଏହା ଥିବାପରି ମନେହୁଏ ନାହିଁ। ରାଜ୍ୟରେ ସଂଖ୍ୟାଧିକ ଅଧିବାସୀ ନିଜ ସାମ୍ବିଧାନିକ ଅଧିକାର ବିଷୟରେ ସଚେତନ ନୁହନ୍ତି। ସେଇଥିପାଇଁ ରାଜ୍ୟର ୪୦% ଅନୁସୂଚିତ ଜାତି ଓ ଜନଜାତିର ଲୋକଙ୍କୁ ତାଙ୍କ ସଂଖ୍ୟାନୁପାତିକ ଭାବେ ଶିକ୍ଷାରେ ସଂରକ୍ଷଣ ନ ମିଳି ୨୦% ମିଳୁଥିଲେବି ସେମାନେ ପ୍ରତିକ୍ରିୟା ପ୍ରକାଶ କରୁନାହାନ୍ତି। ସେହିପରି ରାଜ୍ୟର ୫୪% ଓବିସିଙ୍କୁ ଶିକ୍ଷା ଓ ଚାକିରିରେ ୨୭% ସଂରକ୍ଷଣ ମିଳିବା ପରିବର୍ତ୍ତେ କେବଳ ଚାକିରିରେ ୧୧.୨୫% ମିଳୁଥିଲେ ହେଁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଉନାହିଁ। ଯଦି ସଚେତନ ଥାଆନ୍ତେ, ତେବେ ଓଡ଼ିଶାରେ କେବେଠାରୁ ଅଭୂତପୂର୍ବ ଆନ୍ଦୋଳନ ଠିଆ ହୋଇ ସାରନ୍ତାଣି। ତେଣୁ ଏହା ସ୍ପଷ୍ଟ ଯେ, ରାଜ୍ୟରେ ସଚେତନତା ଅଭାବରୁ ସାମାଜିକ ନ୍ୟାୟ ରାଜନୈତିକ ପ୍ରସଙ୍ଗ ଭାବେ ଉଭା ହୋଇ ପାରିନାହିଁ।
ରାଜନୈତିକ ସଚେତନତା ଓଡ଼ିଶାରେ ମନ୍ଥର ହେଲେବି ଚଳମାନ ଅବସ୍ଥାରେ ଅଛି। ସାମାଜିକ ନ୍ୟାୟ ସଚେତନତା ବୃଦ୍ଧି ଦିଗରେ ବିଭିନ୍ନ ସଙ୍ଗଠନ କାର୍ଯ୍ୟ ଆରମ୍ଭ କରିଛନ୍ତି। ବିଭିନ୍ନ ରାଜନୈତିକ ଦଳ ଏହାକୁ ରାଜନୈତିକ ପ୍ରସଙ୍ଗ କରିବାକୁ ଆଗଭର ହେଲେଣି। ନିକଟରେ ଭାଜପା ଓ ବିଜେଡିକୁ ଛାଡ଼ି ୧୦ଟି ବିରୋଧୀ ଦଳର ପ୍ରତିନିଧିମାନେ ‘ସାମାଜିକ ନ୍ୟାୟ ଅଭିଯାନ’ ମଞ୍ଚର ଆନୁକୂଲ୍ୟରେ ଏ ବାବଦରେ ସଚେତନତା ସଭା କରିଛନ୍ତି ଏବଂ ‘ଯାହାର ସଂଖ୍ୟା ଯେତେ, ଭାଗ ପାଇବେ ସେମାନେ ସେତେ’ର ନାରା ଦେଇଛନ୍ତି। ଏମାନଙ୍କ ସହିତ ଓଡ଼ିଶାର ବିଭିନ୍ନ ପ୍ରାନ୍ତରରୁ ଆସିଥିବା ବରିଷ୍ଠ ସଂଗଠକଙ୍କ ସମେତ ଯୁବ ଓ ଛାତ୍ର ନେତୃତ୍ୱଙ୍କ ଉପସ୍ଥିତି କାର୍ଯ୍ୟକ୍ରମକୁ ଅଧିକ ଉତ୍ସାହପ୍ରଦ କରିଛି।
ସମସ୍ତେ ଦୁଇଟି ବିନ୍ଦୁ ଉପରେ ଆନ୍ଦୋଳନ କରିବାକୁ ସହମତି ପ୍ରକାଶ କରିଛନ୍ତି। ଗୋଟିଏ ହେଉଛି ରାଜ୍ୟରେ ଓବିସିଙ୍କୁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ୨୭% ସଂରକ୍ଷଣ ପ୍ରଦାନ କରାଯାଉ। ଅନ୍ୟଟି ହେଉଛି ଏସ୍‌ଟି ଓ ଏସ୍‌ସିଙ୍କୁ ତାଙ୍କ ସଂଖ୍ୟା ଅନୁପାତରେ ଶିକ୍ଷା କ୍ଷେତ୍ରରେ ୪୦% ସଂରକ୍ଷଣ ପ୍ରଦାନ କରାଯାଉ। ଆନ୍ଦୋଳନକୁ ବ୍ୟାପକ କରିବା ପାଇଁ ସମସ୍ତ ଅଣବିଜେଡି ଓ ଅଣଭାଜପା ବିରୋଧୀ ଦଳ ମିଳିତ ଭାବେ ପଦକ୍ଷେପ ନେବାର ସମ୍ଭାବନା ତିଆରି ହୋଇଛି। ଆନ୍ଦୋଳନକୁ ଓଡ଼ିଶାର ପ୍ରତ୍ୟେକ ଅଞ୍ଚଳକୁ ପହଞ୍ଚାଇବାର ଦୃଢ଼ ଘୋଷଣା ନେତାମାନେ କରିଛନ୍ତି। ଆଗକୁ ଦେଖାଯିବ ଆନ୍ଦୋଳନ କେତେ ଦୃଢ଼ତାର ସହିତ ବଢୁଛି ଅଥବା ପୂର୍ବ ସ୍ଥିତିକୁ ଫେରିଆସୁଛି।
ଓଡ଼ିଶାରେ ସାମାଜିକ ନ୍ୟାୟ ଆନ୍ଦୋଳନର ଆବଶ୍ୟକତା ରହିଛି। ଏହି ଅଭାବକୁ ଏ ମଞ୍ଚ କେତେ ପୂରଣ କରିପାରିବ, ତାହା ଭବିଷ୍ୟତ କହିବ। ଯେଉଁ ଦୁଇଟି ବିନ୍ଦୁକୁ ନେଇ ଆନ୍ଦୋଳନ କରିବାର ଘୋଷଣା ଆୟୋଜକମାନେ କରିଛନ୍ତି, ତାହାର ବ୍ୟାପକ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ସପକ୍ଷରେ ଅନୁକୂଳ ବାତାବରଣ ତିଆରି ହେଉଥିବା ପରି ମନେହେଉଛି। ଏ ଆନ୍ଦୋଳନ ଆଗାମୀ ଦିନରେ କେଉଁ ପ୍ରକାର ରାଜନୈତିକ ପ୍ରଭାବ ପକାଇବ ତାହା ଜାଣିବା ମଧ୍ୟ ସମୟସାପେକ୍ଷ। ସାମାଜିକ ନ୍ୟାୟ ପ୍ରସଙ୍ଗକୁ ନେଇ ୨୦୨୪ ସାଧାରଣ ନିର୍ବାଚନରେ କିଛି ଚମତ୍କାରିତା ହେବାର ସମ୍ଭାବନାକୁ ବି ଏଡ଼ାଇ ଦିଆଯାଇନପାରେ।
ଦର୍ଶନ ବିଭାଗ (ଅବସରପ୍ରାପ୍ତ)
ବାରିପଦା, ମୟୂରଭଞ୍ଜ
ମୋ: ୭୦୦୮୯୭୬୧୮୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri