ଇସ୍ରାଏଲ-ହମାସ ଯୁଦ୍ଧ: କ୍ଷତି ସହିବେ ଭାରତୀୟ ରପ୍ତାନିକାରୀ…

ନୂଆଦିଲ୍ଲୀ,୯।୧୦ : ଭାରତୀୟ ରପ୍ତାନିକାରୀମାନଙ୍କୁ ଇସ୍ରାଏଲ ଏବଂ ହମାସ ଯୁଦ୍ଧରେ କ୍ଷତି ସହିବାକୁ ପଡ଼ିବ। ଭାରତ ଇସ୍ରାଏଲକୁ ବହୁ ପରିମାଣର ସାମଗ୍ରୀ ରପ୍ତାନି କରେ। ବିଶେଷଜ୍ଞମାନେ କହିଛନ୍ତି ଯୁଦ୍ଧ ଯୋଗୁ ରପ୍ତାନିକାରୀମାନଙ୍କୁ ଅଧିକ ବୀମା ପ୍ରିମିୟମ ଏବଂ ପରିବହନ ଖର୍ଚ୍ଚର ସାମ୍ନା କରିବାକୁ ପଡିପାରେ।
ଅନ୍ତର୍ଜାତୀୟ ବାଣିଜ୍ୟ ବିଶେଷଜ୍ଞମାନେ କହିଛନ୍ତି ଯଦି ଯୁଦ୍ଧ ଜାରି ରହିଲେ ଭାରତୀୟ ରପ୍ତାନିକାରୀଙ୍କ ଲାଭ ହ୍ରାସ ହୋଇପାରେ, ତେବେ ରପ୍ତାନି ପରିମାଣ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ। ଏହି ଯୁଦ୍ଧରେ ଭାରତର ବାଣିଜି୍ୟକ ରପ୍ତାନି ପାଇଁ ବୀମା ପ୍ରିମିୟମ ଏବଂ ପରିବହନ ମୂଲ୍ୟ ବୃଦ୍ଧି ହୋଇପାରେ ବୋଲି ଥିଙ୍କ ଟ୍ୟାଙ୍କ ଗ୍ଲୋବାଲ ଟ୍ରେଡ ରିସର୍ଚ୍ଚ ଇନିସିଏଟିଭ କହିଛି।

ଟେକ୍ନୋକ୍ରାଫ୍ଟ ଇଣ୍ଡଷ୍ଟ୍ରିଜ ଇଣ୍ଡିଆର ପ୍ରତିଷ୍ଠାତା ଚେୟାରମ୍ୟାନ ତଥା ମୁମ୍ବାଇର ରପ୍ତାନିକାରୀ ଶରଦ କୁମାର ସରଫେ କହିଛନ୍ତି ଯଦି ଯୁଦ୍ଧ ତୀବ୍ର ହୁଏ ତେବେ ରପ୍ତାନିକାରୀଙ୍କ ପାଇଁ ପରିସ୍ଥିତି କଷ୍ଟସାଧ୍ୟ ହୋଇପାରେ। ଇସ୍ରାଏଲର ତିନୋଟି ପ୍ରମୁଖ ବନ୍ଦର ହାଇଫା, ଅଶଦୋଦ ଏବଂ ଏଲାଟରେ ଯୁଦ୍ଧ ଯୋଗୁ କାର୍ଯ୍ୟ ବ୍ୟାହତ ହେବ। ଫଳରେ ବାଣିଜ୍ୟ ଉପରେ ଗୁରୁତର ପ୍ରଭାବ ପଡିପାରେ।

ଜିଟିଆର ସହ-ପ୍ରତିଷ୍ଠାତା ଶ୍ରୀବାସ୍ତବ କହିଛନ୍ତି ଯେ ବନ୍ଦର କାର୍ଯ୍ୟ ଦ୍ୱାରା ଯୁଦ୍ଧ ପ୍ରଭାବିତ ହେବାର କୌଣସି ଖବର ନାହିଁ। ଭାରତ-ଇସ୍ରାଏଲ ଦ୍ୱିପାକ୍ଷିକ ସେବା ବାଣିଜ୍ୟ ପ୍ରାୟ ୧.୩ ବିଲିୟନ ଡ଼ଲାର୍‌ ବୋଲି ଆକଳନ କରାଯାଇଛି।

୨୦୨୨-୨୩ ଆର୍ଥିକ ବର୍ଷରେ ସାମଗ୍ରୀ ଏବଂ ସେବା କ୍ଷେତ୍ରରେ ଇସ୍ରାଏଲ ସହ ବାଣିଜ୍ୟ ୧୨ ବିଲିୟନ ଡ଼ଲାର ହେବ ବୋଲି ଆକଳନ କରାଯାଇଛି ।

 

Share