ନୂଆଦିଲ୍ଲୀ, ୨୫।୧୧: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ୨୦୨୭ ନିଲାମ ପାଇଁ ଖେଳାଳିମାନେ ନିଜ ନାମ ପଞ୍ଜୀକରଣ କରିସାରିଛନ୍ତି। ଇଂଲଣ୍ଡର ଅଲରାଉଣ୍ଡର ବେନ ଷ୍ଟୋକ୍ସ ମଧ୍ୟ ନିଲାମ ପାଇଁ ନିଜ ନାମ ଦାଖଲ କରିଛନ୍ତି। ଏବେ ସେ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛନ୍ତି। ଆଇପିଏଲ ନିଲାମ ପାଇଁ ମୋଟ ୧୨୨୦ ଜଣ ଖେଳାଳି ନାମ ପଞ୍ଜୀକରଣ କରିଛନ୍ତି। ଏଥିରେ ଅଧିକାଂଶ ଅନକ୍ୟାପ୍ଡ ଖେଳାଳି ରହିଛନ୍ତି। ଯେଉଁ ଖେଳାଳିମାନେ ଅନ୍ତର୍ଜାତୀୟ କ୍ରିକେଟ ଖେଳିନାହାନ୍ତି, ସେମାନଙ୍କୁ ସାଧାରଣତଃ ‘ଅନକ୍ୟାପ୍ଡ’ କୁହାଯାଏ। ତେବେ ୨୦୨୪ରେ ବିସିସିଆଇ ଏକ ନୂଆ ନିୟମ ଆଣିଥିଲା। ଏହି ନିୟମ ଯୋଗୁଁ ଏବେ ଈଶାନ୍ତ ଶର୍ମାଙ୍କ ସମେତ କିଛି ଖେଳାଳି ନିଲାମରେ ଅନକ୍ୟାପ୍ଡ ବର୍ଗରେ ନିଜ ନାମ ପଞ୍ଜୀକରଣ କରିଛନ୍ତି।
୨୦୨୪ରେ ବିସିସିଆଇ ଆଇପିଏଲ ପାଇଁ ଏକ ନୂଆ ନିୟମ ଲାଗୁ କରିଥିଲା। ଏହା ଅନୁଯାୟୀ, ଯଦି କୌଣସି ଖେଳାଳି ଦେଶ ପାଇଁ ୫ ବର୍ଷ କିମ୍ବା ତା’ଠାରୁ ଅଧିକ ସମୟ ଧରି ଅନ୍ତର୍ଜାତୀୟ ମ୍ୟାଚ ଖେଳିନଥିବେ, ତେବେ ତାଙ୍କୁ ‘କ୍ୟାପ୍ଡ’ ବଦଳରେ ‘ଅନକ୍ୟାପ୍ଡ’ ଖେଳାଳିଙ୍କ ତାଲିକାରେ ସାମିଲ କରାଯିବ। ଇଶାନ୍ତ ଶର୍ମା ଶେଷ ଥର ପାଇଁ ନଭେମ୍ବର ୨୦୨୧ରେ ଭାରତ ପାଇଁ ମ୍ୟାଚ ଖେଳିଥିଲେ। ସେ କାନପୁରରେ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚରେ ଖେଳିଥିଲେ। ଏହା ପରଠାରୁ ସେ ଭାରତୀୟ ଦଳରୁ ବାଦ ପଡ଼ିଥିଲେ। ଇଶାନ୍ତ ଭାରତ ପାଇଁ ୧୦୫ଟି ଟେଷ୍ଟ ମ୍ୟାଚ ଖେଳି ୩୧୧ଟି ଉଇକେଟ୍ ନେଇଛନ୍ତି।
ଇଶାନ୍ତ ଶର୍ମାଙ୍କ ବ୍ୟତୀତ ଭାରତୀୟ ଦଳ ପାଇଁ ଖେଳିଥିବା ଆଉ ୬ ଜଣ ଖେଳାଳି ଆଇପିଏଲ ୨୦୨୭ ନିଲାମରେ ଅନକ୍ୟାପ୍ଡ ବର୍ଗରେ ସାମିଲ ହୋଇଛନ୍ତି। ସନ୍ଦୀପ ୱାରିୟର, ଚେତନ ସକାରିଆ, ନବଦୀପ ସାଇନି ଏବଂ ନୀତିଶ ରାଣା ଜୁଲାଇ ୨୦୨୧ରେ ଶ୍ରୀଲଙ୍କା ବିପକ୍ଷ ଟି-୨୦ ଅନ୍ତର୍ଜାତୀୟ ସିରିଜରେ ଭାରତ ପାଇଁ ଶେଷ ଥର ଖେଳିଥିଲେ। ଏବେ ସେମାନେ ମଧ୍ୟ ଅନକ୍ୟାପ୍ଡ ଖେଳାଳି ହୋଇଯାଇଛନ୍ତି। ସେହିପରି ମୟଙ୍କ ମାର୍କଣ୍ଡେ ଫେବୃଆରୀ ୨୦୧୯ରେ ଏବଂ ମନଦୀପ ସିଂହ ୨୦୧୬ରେ ଭାରତ ପାଇଁ ଶେଷ ମ୍ୟାଚ ଖେଳିଥିଲେ। ସେମାନେ ମଧ୍ୟ ଏବେ ଅନକ୍ୟାପ୍ଡ ଖେଳାଳିଙ୍କ ବର୍ଗରେ ସାମିଲ ହୋଇଛନ୍ତି।
ନିଲାମରେ ଅନକ୍ୟାପ୍ଡ ଖେଳାଳି ହେବା ଦ୍ୱାରା ସିଧାସଳଖ କୌଣସି ଫାଇଦା ମିଳିନଥାଏ। ତେବେ ମେଗା ଅକ୍ସନ ପୂର୍ବରୁ ଫ୍ରାଞ୍ଚାଇଜିଗୁଡ଼ିକ ଅନକ୍ୟାପ୍ଡ ଖେଳାଳିଙ୍କୁ କମ ଟଙ୍କାରେ ରିଟେନ କରିପାରିବେ। ଗତ ମେଗା ଅକ୍ସନ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ ୨୦୧୯ରେ ଭାରତ ପାଇଁ ଶେଷ ମ୍ୟାଚ ଖେଳିଥିବା ଏମ.ଏସ. ଧୋନୀଙ୍କୁ ଅନକ୍ୟାପ୍ଡ ଖେଳାଳି ଭାବେ ମାତ୍ର ୪ କୋଟି ଟଙ୍କାରେ ରିଟେନ କରିବାରେ ସଫଳ ହୋଇଥିଲା।
ଆଇପିଏଲ ୨୦୨୮ ପୂର୍ବରୁ ମେଗା ଅକ୍ସନ ହେବାକୁ ଯାଉଛି। ଏଭଳି ସ୍ଥିତିରେ ଫ୍ରାଞ୍ଚାଇଜିଗୁଡ଼ିକ ଚାହିଁଲେ ଏହି ଭାରତୀୟ ଖେଳାଳିମାନଙ୍କୁ କିଣି ଆଗାମୀ ମେଗା ଅକ୍ସନରେ ଅନକ୍ୟାପ୍ଡ ଖେଳାଳି ଭାବେ କମ ମୂଲ୍ୟରେ ରିଟେନ କରିପାରିବେ।
ଆଇପିଏଲ ୨୦୨୭ ନିଲାମରେ ସମସ୍ତ ୧୦ଟି ଦଳକୁ ମିଶାଇ ମୋଟ ୬୬ଟି ସ୍ଥାନ ଖାଲି ରହିଛି। ଏହି ନିଲାମ ପାଇଁ ୧୨୨୦ ଜଣ ଖେଳାଳି ନାମ ପଞ୍ଜୀକରଣ କରିଛନ୍ତି। ସେମାନଙ୍କ ମଧ୍ୟରେ ୯୩୯ ଜଣ ଭାରତୀୟ ଏବଂ ୨୮୧ ଜଣ ବିଦେଶୀ ଖେଳାଳି ଅଛନ୍ତି। ଡିସେମ୍ବର ୧ ତାରିଖ ସୁଦ୍ଧା ସମସ୍ତ ୧୦ଟି ଫ୍ରାଞ୍ଚାଇଜି ୧୨୨୦ ଜଣ ଖେଳାଳିଙ୍କ ମଧ୍ୟରୁ ନିଜ ପସନ୍ଦର ଖେଳାଳିଙ୍କୁ ସର୍ଟଲିଷ୍ଟ କରି ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ କରିବେ।