ବୁଷ୍ଟର ଡୋଜ ନେବା ଜରୁରୀ କି ? କେବେ ଦିଆଯିବ ଚତୁର୍ଥ ଟିକା: ଜେଏନ.୧ ଭାରିଆଣ୍ଟ ନେଇ ସତର୍କ ସୂଚନା ଜାରି…

ନୂଆଦିଲ୍ଲୀ,୨୫।୧୨ : ଭାରତରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏଥି ସହିତ, ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା କରୋନାର ନୂତନ ସବ-ଭାରିଆଣ୍ଟ ଜେଏନ.୧ ଭାରତରେ ପ୍ରବେଶ କରିଛି। କେରଳରେ ପ୍ରଥମ ମାମଲା ରିପୋର୍ଟ ହେବା ପରେ ଗୋଆ ଏବଂ ମହାରାଷ୍ଟ୍ର ସମେତ ଅନେକ ରାଜ୍ୟରେ ଦ୍ରୁତ ଗତିରେ ଏହାର ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ରାଜ୍ୟ ସରକାରଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସରକାର ସ୍ପଷ୍ଟ କରିଛନ୍ତି ବର୍ତ୍ତମାନ ସମୟରେ ବୁଷ୍ଟର ଡୋଜ କିମ୍ବା ଚତୁର୍ଥ ଟିକା ନେବାର କୌଣସି ଆବଶ୍ୟକତା ନାହିଁ। ଇଣ୍ଡିଆ ସାର୍ସ-କୋଭ-୨ଜେନୋମିକ୍ସ କନ୍ସୋର୍ଟିୟମ ମୁଖ୍ୟ ଏନ.କେ. ଆରୋରା କହିଛନ୍ତି ନୂତନ ସବ-ଭାରିଆଣ୍ଟର ଆର୍ବିଭାବ ପରେ ମଧ୍ୟ ଏବେ କରୋନା ଟିକା ର ଏକ ବୁଷ୍ଟର୍‌ ଡୋଜର ଆବଶ୍ୟକତା ନାହିଁ ।
ଡକ୍ଟର ଆରୋରା କହିଛନ୍ତି, ’୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି, ଯେଉଁମାନେ ଗୁରୁତର ରୋଗରେ ପୀଡିତ, ସେମାନେ ସତର୍କତାମୂଳକ ପଦକ୍ଷେପ ଭାବରେ ତୃତୀୟ ଡୋଜ ଗ୍ରହଣ କରିପାରିବେ। ଯଦି ସେମାନେ ଏପର୍ଯ୍ୟନ୍ତ ଗୋଟିଏ ମାତ୍ର ଡୋଜ ମଧ୍ୟ ନେଇ ନ ଥାନ୍ତି ତେବେ ଏଭଳି କରାଯିବ। ବର୍ତ୍ତମାନ ସାଧାରଣ ଜନତାଙ୍କ ପାଇଁ ଚତୁର୍ଥ ଡୋଜର ଆବଶ୍ୟକତା ନାହିଁ । ଆମେ ଲୋକଙ୍କୁ ଆତଙ୍କିତ କରିବୁ ନାହିଁ।

ସେ କହିଛନ୍ତି, ’ଓମିକ୍ରନର ଏହି ନୂତନ ସବ-ଭାରିଆଣ୍ଟରେ ରିପୋର୍ଟ ହୋଇଥିବା ମାମଲା ଅତ୍ୟନ୍ତ ଗୁରୁତର ନୁହେଁ ଏବଂ ସଂକ୍ରମିତ ଲୋକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିବ ନାହିଁ। ଜେଏନ.୧ ସବଭାରିଆଣ୍ଟର ଲକ୍ଷଣ ମଧ୍ୟରେ ଜ୍ୱର, ରନିଂ ନୋଜ, କାଶ, ବେଳେବେଳେ ଡାଇରିଆ ଏବଂ ଶରୀରର ଯନ୍ତ୍ରଣା ହୋଇଥାଏ। ଯାହା ସାଧାରଣତଃ ଏକ ସପ୍ତାହ ମଧ୍ୟରେ ଭଲ ହୋଇ ଯାଇଥାଏ। ପରୀକ୍ଷା ବୃଦ୍ଧି ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପୂର୍ବରୁ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେଇ ସାରିଛନ୍ତି।

Share