ଚାଷୀଙ୍କ କାମରେ ଆସୁନି ମେଗା ଜଳସେଚନ ପ୍ରକଳ୍ପ

ଭବାନୀପାଟଣା,୧୧।୮(ସ୍ବ.ପ୍ର.): କୃଷକଙ୍କ ବିକାଶ ପାଇଁ ସରକାରଙ୍କ ଅନେକ ଯୋଜନା ରହିଛି। ପ୍ରକଳ୍ପ ନିର୍ମାଣ ହୋଇଛି, କିନ୍ତୁ ଚାଷୀଙ୍କ କାମରେ ଆସିପାରୁନି । ରାଜ୍ୟର ଅଣଜଳସେଚିତ ଅଞ୍ଚଳରେ ଚାଷୀଙ୍କୁ ଜଳ ଯୋଗାଣ ପାଇଁ ସରକାରଙ୍କ ରହିଛି ଉଠା ଜଳସେଚନ ବିଭାଗ। ହେଲେ କାର୍ଯ୍ୟକାରିତା ଫଳଶୂନ। କାର୍ଯ୍ୟକାରୀ ହେଉନି ରାଜ୍ୟର ପ୍ରଥମ ମେଗା ଜଳସେଚନ ପ୍ରକଳ୍ପ। ଜମିକୁ ପାଣି ନ ମିଳିବାରୁ ହତାଶରେ ଚାଷୀକୂଳ। କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଲଇତରା ଗ୍ରାମରେ ଏଭଳି ଅବସ୍ଥା ଦେଖିବାକୁ ମିଳିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୫ରେ କଳାହାଣ୍ଡିର ଲଇତରାରେ ରାଜ୍ୟର ପ୍ରଥମ ମେଗା ଉଠାଜଳ ସେଚନ ପ୍ରକଳ୍ପ ନିର୍ମାଣ ହୋଇଥିଲା। ଏଥିନିମନ୍ତେ ପ୍ରାୟ ୯ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଥିଲା। ଏହି ପ୍ରକଳ୍ପ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ। ୫୦୦ ହେକ୍ଟର ଚାଷ ଜମିରେ ଜଳ ଯୋଗାଣ ଲକ୍ଷ୍ୟ ନେଇ ନିର୍ମିତ ହୋଇଥିଲା ଏହି ଜଳସେଚନ ପ୍ରକଳ୍ପ। କିନ୍ତୁ ଆଜି ଯାଏଁ ଚାଷୀଙ୍କ କାମରେ ଆସୁନି। ଯାନ୍ତ୍ରିକ ତ୍ରୁଟି ଯୋଗୁ ଆବଶ୍ୟକ ସମୟରେ ପମ୍ପରୁ ପାଣି ଉଠୁନି। ଧାନ ବୁଣିଲା ଦିନଠାରୁ ବର୍ଷା ନାହିଁ। ଏହି ସମୟରେ ଧାନ ଗଜା ହୋଇଥାଏ, ମାତ୍ର ଜମି ମାଟି ଫାଟି ଆଁ କରିଛି। ହେଲେ ନଦୀ ଗର୍ଭରେ ପାଣି ନ ଥିବାରୁ କାମ କରୁନି ମେଗା ଉଠା ଜଳସେଚନ ପ୍ରକଳ୍ପ। ଫଳରେ ପାଣି ଅଭାବରୁ ଚାଷୀ ସମସ୍ୟାରେ ରହିଛନ୍ତି। ମେଗା ପ୍ରକଳ୍ପକୁ ୭ ବର୍ଷ ପୂରିବାକୁ ଯାଉଛି। କିନ୍ତୁ ଆଜି ପର୍ଯ୍ୟନ୍ତ ଚାଷୀଙ୍କ କାମରେ ଲାଗୁନି। ଚାଷୀମାନେ କହିଛନ୍ତି ମେଗା ଜଳସେଚନ ପ୍ରକଳ୍ପ ଯୋଗାଇ ସରକାର ଗୋଟିଏ ବଦଳରେ ଦୁଇ ଦୁଇଟି ଚାଷ କରିବାକୁ କହିଥିଲେ। ହେଲେ ଗୋଟିଏ ଚାଷ ପାଇଁ ପାଣି ନିଅଣ୍ଟ ପଡୁଛି। ସରକାରଙ୍କ ଏହି ଯୋଜନାକୁ ନେଇ ଚାଷୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହି ପ୍ରକଳ୍ପର ପୁନମରାମତି ପାଇଁ ଚାଷୀ ଅନେକ ସମୟରେ ରାଜରାସ୍ତାକୁ ଓହ୍ଲାଇଛନ୍ତି। କିନ୍ତୁ ଆଜିଯାଏ କୌଣସି ସୁଫଳ ମିଳିନାହିଁ। ସତେ ଯେମିତି ପ୍ରକଳ୍ପ ନିର୍ମାଣ କରି ସରକାର ନିଜ ଦାୟିତ୍ୱ ସାରିଦେଇଛନ୍ତି।