ଥୁଆମୂଳ ରାମପୁର,୨୫ା୭(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ବିରିକୋଟ ପଞ୍ଚାୟତସ୍ଥିତ ବଲଙ୍ଗି ଗ୍ରାମର ପ୍ରାଥମିକ ବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥା ଅତ୍ୟନ୍ତ ଦୟନୀୟ। ଏଠାରେ ପ୍ରଥମରୁ ପଞ୍ଚମ ଶ୍ରେଣୀର ୩୮ ଜଣ ପିଲାଙ୍କୁ ୨ଜଣ ଶିକ୍ଷକ ଶିକ୍ଷାଦାନ କରନ୍ତି। ପିଲାଏ ପଢ଼ିବେ କ’ଣ ଏବଂ ବୁଝିବେ କ’ଣ? ଏଠାରେ ଜଳଜଳ ହୋଇ ବାରି ପଡୁଛି କେତେ ଉଜ୍ଜ୍ୱଳ ଏଇ ଶିଶୁଙ୍କ ଭବିଷ୍ୟତ। ସରକାରୀ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଏଇ ଗରିବ ଛୁଆଙ୍କ ହକ୍ ଓ ଅଧିକାରକୁ କ୍ଷୁଣ୍ଣ କଲାଭଳି ଚିତ୍ର ଏଠାରେ ଦୃଶ୍ୟମାନ। ସବୁକିଛି ବୁଝିବା ପୂର୍ବରୁ ଅବୁଝା ହୋଇପଡ଼େ ସରକାରୀ ବ୍ୟବସ୍ଥା। ସରକାର ଶିକ୍ଷାକ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ଗ୍ରାମାଞ୍ଚଳରେ ବିଦ୍ୟାଳୟମାନ ସ୍ଥାପନା କରିଥିଲେ। ଛୁଆଙ୍କୁ ପାଠପଢ଼ା ପାଇଁ ଆଉ ବେଶୀ ଦୂର ଯିବାକୁ ପଡ଼ିବନି। ନିଜ ନିଜ ଗାଁ ସ୍କୁଲରେ ପାଠ ପଢ଼ିବାର ସୁଯୋଗ ପାଇପାରିବେ। ଏଥିପାଇଁ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ଶିକ୍ଷାର ବିକାଶ ପାଇଁ ପଦକ୍ଷେପ ନେଇଛନ୍ତି। ୧୯୬୮ରେ ସ୍ଥାପିତ ଏହି ପ୍ରାଥମିକ ବିଦ୍ୟାଳୟ କୋଠା ଦୟନୀୟ ଅବସ୍ଥା ବା ଛାତ୍ରୀଛାତ୍ର ପାଠ ପଢ଼ିବା ପାଇଁ ଅନୁପଯୋଗୀ ଥିବାରୁ ଏକ ନୂଆ ବିଦ୍ୟାଳୟ କୋଠା ନିର୍ମାଣ କରାଗଲା। ୧୦ ଲକ୍ଷ ଟଙ୍କାରେ ଦୁଇଟି କୋଠରି ଓ ଗୋଟିଏ ବାରଣ୍ଡା ନିର୍ମାଣ କରାଯାଇଛି। ଏହି କାମ ବିଭାଗୀୟ ଅଧିକାରୀ ଦ୍ୱାରା ସମ୍ପାଦନ ହୋଇଥିବା ଜଣାପଡ଼ିଛି। ବର୍ତ୍ତମାନ ଏହି ସ୍କୁଲ କୋଠା ହସ୍ତାନ୍ତର ହୋଇ ନ ଥିବା ବେଳେ ଛାତ ସବୁ ଉଜୁଡ଼ିଗଲାଣ। ତଳ ଫ୍ଲୋରିଙ୍ଗ ମଧ୍ୟ ଫାଟି ଗଲାଣି। ଆବାସ ଯୋଜନାରେ ୧ ଲକ୍ଷ ୩୦ ହଜାର ଟଙ୍କାରେ ଏକ ସୁନ୍ଦର ପକ୍କା ଘର, ତା’ ସହିତ ଶୌଚାଳୟ ଏବଂ ଘରେ ଟାଇଲ୍ ମଧ୍ୟ ଲାଗୁଛି। ହେଲେ ୧୦ ଲକ୍ଷ ଟଙ୍କାରେ ଏଠାରେ ନିର୍ମାଣ ହୋଇଥିବା ସ୍କୁଲ କୋଠା ଛାତରେ ନିମ୍ନମାନର ଟିଣ ଦିଆଯାଇଥିବା ବେଳେ ତଳେ ସିମେଣ୍ଟ ଫ୍ଲୋରିଙ୍ଗ କରାଯାଇଛି। ନିର୍ମାଣ ହୋଇଛି ୧୦ ଲକ୍ଷରେ କିନ୍ତୁ ଦେଖିଲେ ଦେଢ଼ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ଭଳି ଲାଗୁଛି। ନିମ୍ନମାନର କାମ ଯୋଗୁ ତାହା ଭାଙ୍ଗିରୁଜି ଗଲାଣି।
ଅନ୍ୟପକ୍ଷରେ ଦୁର୍ନୀତିକୁ ଚପାଇ ଦେବା ପାଇଁ ସୂଚନାଫଳକକୁ ମଧ୍ୟ ଭାଙ୍ଗି ଦିଆଯାଇଛି। ବିଭାଗୀୟ ଅଧିକାରୀ, ଠିକାଦାର ମିଶି ସବୁ ଟଙ୍କା ଖାଇଦେଇ ନିମ୍ନମାନର କାମ କରିଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ସବୁଠୁ ପରିତାପର କଥା ବିଡିଓଙ୍କ ଦସ୍ତଖତରେ ବିଲ୍ ଉଠୁଥିବା ବେଳେ ବିଡିଓ ଜାଣିନାହାନ୍ତି କେତେ ଟଙ୍କାର ସ୍କୁଲ କୋଠା ଓ ଏହା କେଉଁଠି ନିର୍ମାଣ ହୋଇଛି। ଦୁର୍ଗମ ଅଞ୍ଚଳ ବୋଲି ସରଳ ଅଧିବାସୀମାନଙ୍କୁ ଭକୁଆ ବନାଇ ଅଧିକାରୀ ଓ କର୍ମଚାରୀମାନେ ଦୁର୍ନୀତି କରୁଥିବା ନେଇ ଏହାର ଏକ ଭିଜିଲାନ୍ସ ସ୍ତରୀୟ ତଦନ୍ତ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏନେଇ ଥୁଆମୂଳ ରାମପୁର ବିଡିଓ ଧ୍ରୁବ ଚରଣ ମୁଦୁଲିଙ୍କୁ ପଚାରିବାରୁ ବିଦ୍ୟାଳୟ କୋଠା କେତେ ଟଙ୍କା ବ୍ୟୟ ଅଟକଳ ଓ କେଉଁଠି ନିର୍ମାଣ ହୋଇଛି ତାହା ମତେ ଜଣାନାହିଁ । ମୁଁ ପଚାରି ବୁଝିକି କହିବି ବୋଲି କହିଥିଲେ।

