ରାସ୍ତା ପ୍ରଶସ୍ତୀକରଣରେ ଅନିୟମିତତା

ଚଣ୍ଡିଖୋଲ,୫ା୧୨(ଡି.ଏନ୍‌.ଏ.):ଚାରିବାଟିଆ ପୂର୍ତ୍ତ ଡିଭିଜନର ବଡ଼ଚଣା ଉପଖଣ୍ଡ ଅନ୍ତର୍ଗତ ବାଲିଚନ୍ଦ୍ରପୁରଠାରୁ ବେଣୀପୁର ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତୀକରଣ କାର୍ଯ୍ୟ ଚାଲିଛି। ମାତ୍ର ଏହି କାର୍ଯ୍ୟରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଏହି କାର୍ଯ୍ୟ ପୂର୍ବରୁ ରାସ୍ତାକଡ଼ରେ ଥିବା ଗଛ ଓ ବିଦ୍ୟୁତ୍‌ ଖୁଣ୍ଟ ଉଠାଯିବ ବୋଲି ନିଷ୍ପତ୍ତି ହୋଇଥିଲା। ଏଥିସହିତ ଚାରିନଙ୍ଗଳ ଓ ଟିଗିରିଆଠାରେ ଥିବା ଜବରଦଖଲକାରୀଙ୍କୁ ଉଚ୍ଛେଦ କରାଯିବାର ଘୋଷଣା ହୋଇଥିଲା। ତେବେ ଏହା ମଧ୍ୟରେ ୫ କିଲୋମିଟର ରାସ୍ତାକାର୍ଯ୍ୟ ଶେଷ ହେବାକୁ ବସିଲାଣି। କିନ୍ତୁ ରାସ୍ତାକଡ଼ରେ ଥିବା ବିଦ୍ୟୁତ୍‌ ଖୁଣ୍ଟ ଓ ଗଛ ହଟା ଯାଇନାହିଁ। ଫଳରେ ଠିକା ସଂସ୍ଥା ରାସ୍ତା ପ୍ରଶସ୍ତୀକରଣ ୨୪ଫୁଟ ବଦଳରେ ୨୦ ଫୁଟ୍‌ କରି ନେଇଯାଉଛି। ଯଦ୍ଦ୍ବାରା ବିଭାଗ ତରଫରୁ କରାଯାଇଥିବା ଆକଳନ ଅନୁଯାୟୀ କାର୍ଯ୍ୟ ହୋଇପାରୁନାହିଁ। ଅନ୍ୟପକ୍ଷରେ ଏହି ରାସ୍ତା ୧୦ କିଲୋମିଟର ହୋଇଥିବାବେଳେ ବିଭାଗ ତରଫରୁ ଏହାକୁ ୧୧ କିଲୋମିଟର ଦର୍ଶାଯାଇଛି। ତେଣୁ ୧୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେଉଥିବା ଏହି ରାସ୍ତାର ପ୍ରଶସ୍ତୀକରଣରେ ବାଧାସୃଷ୍ଟି ହୋଇଛି। ରାଜ୍ୟ ସରକାରଙ୍କ ତରଫରୁ ପୂର୍ତ୍ତ ବିଭାଗ ଜରିଆରେ ବିପୁଳ ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ଏହାର ଏଷ୍ଟିମେଟକୁ ଅଣଦେଖା କରାଯାଇ କାର୍ଯ୍ୟ ଚାଲିଛି। ଫଳରେ ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ତେଣୁ ତୁରନ୍ତ ରାସ୍ତାକଡ଼ରୁ ଗଛ ଓ ବିଦ୍ୟୁତ୍‌ ଖୁଣ୍ଟ ହଟାଇ କାର୍ଯ୍ୟ କରିବାକୁ ଦାବି ହୋଇଛି।
ପୂର୍ବରୁ ଏହି ରାସ୍ତାଟି ଜଳ ସମ୍ପଦ ବିଭାଗ ଅଧୀନରେ ଥିଲା। ୨୦୧୯ରେ ଜଳ ସମ୍ପଦ ବିଭାଗରୁ ଏହାକୁ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରାଗଲା। ପୂର୍ତ୍ତ ବିଭାଗକୁ ହସ୍ତାନ୍ତର ପରେ ୧୦ କିଲୋମିଟର ରାସ୍ତାକୁ ୨ଟି ଟେଣ୍ଡର ଜରିଆରେ ନିର୍ମାଣ କାର୍ଯ୍ୟ କରାଯାଉଛି। ରାସ୍ତା ପ୍ରଶସ୍ତୀକରଣ ନେଇ ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ପ୍ରଫୁଲ୍ଲ କୁମାର ବେହେରା କହିଛନ୍ତି, ରାସ୍ତା କଡ଼ରେ ଥିବା ଅବରୋଧକାରୀଙ୍କୁ ହଟାଇବା ପାଇଁ ଆମେ ଦର୍ପଣ ତହସିଲ କାର୍ଯ୍ୟାଳୟରେ ଜୁଲାଇ ୧୫ରେ ଏକ ପତ୍ର ମାଧ୍ୟମରେ ନିବେଦନ କରିଥିଲୁ। ହେଲେ କୌଣସି ପଦକ୍ଷେପ ନିଆ ଯାଇ ନ ଥିଲା। ତେଣୁ ସେପ୍ଟେମ୍ବର ୧୩ରେ ଦ୍ୱିତୀୟ ଥର ନିବେଦନ କରାଯାଇଥିଲେ ମଧ୍ୟ ଫଳ ଶୂନ। ରାଜସ୍ବ ବିଭାଗ ତରଫରୁ ଅବରୋଧ କାରୀଙ୍କୁ ନ ହଟାଇଲେ ରାସ୍ତା ପ୍ରଶସ୍ତୀକରଣ ହୋଇପାରୁନାହିଁ। ଏ ସମ୍ପର୍କରେ ଦର୍ପଣ ଅତିରିକ୍ତ ତହସିଲଦାର ନିରଞ୍ଜନ ଗୁରୁଙ୍କୁ ପଚାରିବାରେ ସେ କୁହନ୍ତି, ଯେବେ ବିଭାଗ ତରଫରୁ ଚିଠି ଦିଆଯାଇଥିଲା ସେ ସମୟରେ ବର୍ଷା ଋତୁ ଥିଲା। ବର୍ଷା ଋତୁ ପରେ ରାସ୍ତା କାମ ହେବ ବୋଲି ସେମାନେ କହିଥିଲେ। କିନ୍ତୁ ଏହାପରେ ପୁନଃର୍ବାର ଯୋଗାଯୋଗ କରିନାହାନ୍ତି।