Categories: ଗଞ୍ଜାମ

ରାସ୍ତା ନିର୍ମାଣ କାର୍ଯ୍ୟରେ ଅନିୟମିତତା ଅଭିଯୋଗ, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଦାବିପତ୍ର

ଗଞ୍ଜାମ,୬।୯(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ ୱାର୍ଡ ୯ ବରପଲ୍ଲୀ ଗ୍ରାମକୁ ଉପଯୁକ୍ତ ରାସ୍ତା ଟିଏ ନଥିଲା । ଦୀର୍ଘ ବର୍ଷ ହେବ ମୋରମ ବିଛା ରାସ୍ତାରେ ଗ୍ରାମବାସୀ ଯିବା ଆସିବା କରୁଥିଲେ । ଚାରି ଚକିଆ ଯାନ ତଥା କାର ବସ୍ ବିପଦ ସଂକୁଳ ଭାବେ ଯାତାୟାତ କରୁଥିବା ବେଳେ ବର୍ଷା ଦିନ ହେଲେ ସମସ୍ୟା ଦ୍ଵିଗୁଣିତ ହୋଇ ପଡୁଥିଲା ।  ଗ୍ରାମବାସୀଙ୍କ ବାରମ୍ବାର ଅଭିଯୋଗ ପରେ ଗାଁ ରାସ୍ତା ନିମନ୍ତେ ଏନଏସି ପ୍ରଶାସନ ପକ୍ଷରୁ ରାସ୍ତା ନିର୍ମାଣ ପାଇଁ ୧୧ ଲକ୍ଷ ୯୧ ହଜାର ଟଙ୍କା ବ୍ୟୟ ବରାଦ ପରେ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ।

ବର୍ତ୍ତମାନ ରାସ୍ତା ନିର୍ମାଣ କାର୍ଯ୍ୟରେ ଅନିୟମିତତା ହେଉଥିବା ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ । ରାସ୍ତା ଖୋଳା ନଯାଇ ରାସ୍ତା ଉପରେ ମେଟାଲିକ କରୁଥିବା ନେଇ ଶନିବାର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅପର୍ଣ୍ଣା ଡାଙ୍ଗୁଆଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି ଗ୍ରାମର ଯୁବ ଗୋଷ୍ଠୀ । ଏହା ଦ୍ୱାରା ରାସ୍ତା କମ ଦିନରେ ଖରାପ ହୋଇଯିବ ବୋଲି ଯୁବ ଗୋଷ୍ଠୀ ଇଓ ଡାଙ୍ଗୁଆଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଠିକା ନେଇଥିବା ଠିକାଦାରଙ୍କୁ ଏଭଳି ନ କରିବାକୁ ବାରଣ କଲେ ସୁଦ୍ଧା କୌଣସି ସୁଫଳ ମିଲୁ ନଥିବା ଦାବିପତ୍ରରେ ଉଲେଖ ରହିଛି । ରାସ୍ତାରେ ପୁନଶ୍ଚ ମେଟାଲିକ କରାଯାଉ, ନିରୀକ୍ଷଣ ଯନ୍ତ୍ରୀଙ୍କ ଗୋଚରରେ ସମସ୍ତ କାର୍ଯ୍ୟ ହେବା, ରାସ୍ତା ନିର୍ମାଣ କାର୍ଯ୍ୟର ଇସ୍ଟିମେଟ କପି ପ୍ରଦାନ କରିବାକୁ ଯୁବ ଗୋଷ୍ଠୀ ଦାବୀ କରିଛନ୍ତି । ଦାବିପତ୍ର ଦେବା ବେଳେ ନଳିନୀ କାନ୍ତ ଦାସ, ଶିବାନନ୍ଦ ପଲାଇ, ବିଘ୍ନରାଜ ଦାସ, ସଂଗ୍ରାମ ପଲାଇ, ସୁବ୍ରତ ପଲାଇ, ତାପସ ପରିଡା, ରାହୁଲ ତରାଇ, ପପୁ ସାହୁ, ଡମ୍ବୁରୁ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଏସମ୍ପର୍କରେ ଇଓ ଅପର୍ଣ୍ଣା ଡାଙ୍ଗୁଆଙ୍କୁ ପଚାରିବାରୁ ଅଭିଯୋଗ ହୋଇଛି ତଦନ୍ତ ପରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ନିର୍ବାହୀ ଅଧିକାରୀ କହିଛନ୍ତି ।

 

Dharitri – Odisha’s No.1 Odia Daily

Share