ଏମ୍‌ଏଲ୍‌ୟୁ ପରୀକ୍ଷା କେନ୍ଦ୍ରରେ ଅନିୟମିତତା

କଟକ ଅଫିସ,୩୧ା୧:ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ (ଏମ୍‌ଏଲ୍‌ୟୁ) ରେ ଚାଲିଥିବା ତିନିବର୍ଷିଆ ଏଲ୍‌ଏଲ୍‌ବିର ପଞ୍ଚମ ସେମିଷ୍ଟାର ପରୀକ୍ଷା କେନ୍ଦ୍ରରେ ଅନିୟମିତତା ଦେଖାଦେଇଛି। ସୋମବାର ପରୀକ୍ଷା ଦେବାରୁ ଜଣେ ଯୋଗ୍ୟ ଛାତ୍ର ବଞ୍ଚିତ ହୋଇଥିବାବେଳେ ଛାତ୍ରମାନଙ୍କୁ କପି ପାଇଁ ମହିଳା ପରୀକ୍ଷକ ଯାଞ୍ଚ କରିବା ନେଇ ଅସନ୍ତୋଷ ଦେଖାଦେଇଥିଲା। ସୂଚନା ମୁତାବକ,ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ଦେବବ୍ରତ ସେନାପତି ପରୀକ୍ଷା ଦେଉଛନ୍ତି। ତେବେ କର୍ତ୍ତୃପକ୍ଷଙ୍କ ଭୁଲ ଯୋଗୁ ଫର୍ମପୂରଣ କରିଥିଲେ ମଧ୍ୟ ତାଙ୍କୁ ଆଡ୍‌ମିଟ କାର୍ଡ ମିଳିପାରି ନ ଥିଲା ବୋଲି ସେ କହିଛନ୍ତି। ସୋମବାର ସେ ପରୀକ୍ଷା କେନ୍ଦ୍ରକୁ ଯିବାରୁ ତାଙ୍କୁ ପରୀକ୍ଷା ଦେବାକୁ ଅନୁମତି ଦିଆଯାଇ ନ ଥିଲା। ଏନେଇ ସେ ଉତ୍କଳ ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକଙ୍କୁ ଏଭଳି ଅସୁବିଧା ବିଷୟରେ ଜଣାଇଥିଲେ। ପରେ ତାଙ୍କୁ ପରୀକ୍ଷା ପାଇଁ ଅନୁମତି ଦେବାକୁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ କହିଥିଲେ ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ। ହେଲେ ଏମ୍‌ଏଲ୍‌ୟୁ କର୍ତ୍ତୃପକ୍ଷ ଅନୁମତି ନ ଦେବାରୁ ଦେବବ୍ରତ ନିରାଶ ହୋଇ ଫେରିଥିଲେ। ଅନ୍ୟପକ୍ଷେ ବିଶ୍ୱବିଦ୍ୟାଳୟ ପରୀକ୍ଷା ପରିଚାଳନାରେ ଏଭଳି ଅବ୍ୟବସ୍ଥା ଯୋଗୁ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଜଣେ ଅଧ୍ୟାପିକା ପରୀକ୍ଷକ ଭାବେ ନିୟୋଜିତ ହୋଇଥିବାବେଳେ ସେ ଛାତ୍ରମାନଙ୍କୁ ଯାଞ୍ଚ କରୁଥିଲେ। ଏହାକୁ ଛାତ୍ରମାନେ ବିରୋଧ କରିଥିଲେ। ଜଣେ ଛାତ୍ରଙ୍କୁ ଅଧ୍ୟାପକ କିମ୍ବା କୌଣସି ପୁରୁଷ କର୍ମଚାରୀ ଯାଞ୍ଚ କରିବାର ବ୍ୟବସ୍ଥା ରହିଛି। ହେଲେ ଏହା ପରିବର୍ତ୍ତେ ଜଣେ ଅଧ୍ୟାପିକା ପରୀକ୍ଷା ହଲ ଭିତରେ କିଭଳି ଛାତ୍ରଙ୍କୁ ଯାଞ୍ଚ କରିଲେ ବୋଲି ପରୀକ୍ଷାର୍ଥୀ ପ୍ରଶ୍ନ କରିଥିଲେ। ଏଥିପାଇଁ ପରୀକ୍ଷା କେନ୍ଦ୍ରରେ ଉଜେନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ସେହିଭଳି ପ୍ରଥମଦିନ ପରୀକ୍ଷାରେ ୧୩ଜଣ ପରୀକ୍ଷାର୍ଥୀ କପି କରି ଧରାପଡିଛନ୍ତି। ଏନେଇ ଏମ୍‌ଏଲ୍‌ୟୁ କୁଳପତି ପ୍ରଫେସର କମଳଜିତ ସିଂ କହିଛନ୍ତି, ସମ୍ପୃକ୍ତ ଛାତ୍ରଜଣକ ଠିକ୍‌ ଭାବେ ଫର୍ମପୂରଣ କରି ନ ଥିବାରୁ ସେ ପରୀକ୍ଷା ଦେବାରୁ ବଞ୍ଚତ୍ତ ହୋଇଛନ୍ତି। ତେବେ ବିଶ୍ୱବିଦ୍ୟାଳୟ କର୍ତ୍ତ୍‌ୃପକ୍ଷଙ୍କ ଦ୍ୱାରା କୌଣସି ତ୍ରୁଟି ହୋଇନାହିଁ।