ତେହରାନ,୨୧ା୬: ସୁଇଜରଲାଣ୍ଡରେ ଆମେରିକା ସହ ଶାନ୍ତି ଆଲୋଚନାରେ ଇସ୍ରାଏଲ୍ ଏବଂ ଲେବାନନ୍ର ଆତଙ୍କବାଦୀ ଗୋଷ୍ଠୀ ହେଜ୍ବୋଲ୍ଲା ମଧ୍ୟରେ ଚାଲିଥିବା ଯୁଦ୍ଧ ମୁଖ୍ୟ ପ୍ରସଙ୍ଗ ହେବ ବୋଲି ଇରାନ ରବିବାର କହିଛି। ଏଥିସହିତ ବିଦେଶରେ ଅଟକି ରହିଥିବା ଇରାନୀୟ ପାଣ୍ଠି ଏବଂ ଦେଶର ତୈଳ ବିକ୍ରି ପ୍ରସଙ୍ଗ ମଧ୍ୟ ଆଲୋଚନାରେ ସ୍ଥାନ ପାଇବ। ଲେବାନନ୍କୁ ନେଇ ଅନ୍ତରୀଣ ଚୁକ୍ତିନାମାରେ ରହିଥିବା ସର୍ତ୍ତକୁ ଇସ୍ରାଏଲ୍ କ୍ରମାଗତ ଭାବେ ଉଲ୍ଲଂଘନ କରିଚାଲିଛି। ତେଣୁ ରବିବାରର ଆଲୋଚନାରେ ଏହାକୁ ମୁଖ୍ୟ ପ୍ରସଙ୍ଗ କରାଯିବ ବୋଲି ଇରାନ ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଇସ୍ମାଇଲ ବାକାଇ ଏକ ଭିଡିଓରେ କହିଥିବାବେଳେ ସେଠାର ସରକାରୀ ଗଣମାଧ୍ୟମ ଆଇଆର୍ଏନ୍ଏ ଏହାକୁ ଶେୟାର କରିଛି। ଯୁଦ୍ଧ ବନ୍ଦ ପାଇଁ ହୋଇଥିବା ଅନ୍ତରୀଣ ଚୁକ୍ତିନାମାରେ ଲେବାନନ୍ରେ ଇସ୍ରାଏଲ୍ ଏବଂ ହେଜବୋଲ୍ଲା ମଧ୍ୟରେ ଯୁଦ୍ଧ ବନ୍ଦ ରହିବ ବୋଲି ସର୍ତ୍ତ ରଖାଯାଇଥିଲା। ଇସ୍ରାଏଲ୍ ଶନିବାର ଲେବାନନ୍ ଉପରେ ଆକ୍ରମଣ କରିବାରୁ ଇରାନ ସେନା ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍ ବନ୍ଦ ଘୋଷଣା କରିଥିଲା। ଶନିବାର ସନ୍ଧ୍ୟା ପରେ ଇସ୍ରାଏଲ୍ ଲେବାନନ୍ ଉପରେ ଆଉ ଆକ୍ରମଣ କରିନାହିଁ। ଶନିବାରଠାରୁ ଏକ ଅସ୍ଥାୟୀ ଅସ୍ତ୍ରବିରତି କାର୍ଯ୍ୟକାରୀ ହୋଇଥିବା ବାକାଇ କହିଛନ୍ତି।