ତେହରାନ,୪।୪: ଯୁକ୍ତରାଷ୍ଟ୍ର ଆମେରିକା ପାଇଁ ଗୁଡ ଫ୍ରାଇଡେ ଏକ ‘କଳା ଦିବସ’ ପାଲଟିଛି। ଇରାନ ଅତି କମରେ ଆମେରିକାର ଦୁଇଟି ଲଢ଼ୁଆ ବିମାନ, ପାଞ୍ଚଟି ଡ୍ରୋନ ଏବଂ ଅନେକ କ୍ଷେପଣାସ୍ତ୍ରକୁ ଖସାଇ ଦେଇଛି। ଇରାନ ପକ୍ଷରୁ ଜାରି ଏକ ବିବୃତ୍ତିରେ ଏହି ସୂଚନା ଦିଆଯାଇଛି।
ବିବୃତ୍ତି ଅନୁଯାୟୀ, IRGCର ଏରୋସ୍ପେସ ପ୍ରତିରକ୍ଷା ବାହିନୀର ଲଢ଼ୁଆ ବିମାନ ଖୋମିନ ଏବଂ ଜାଞ୍ଜାନ ଉପରେ ଆକାଶରେ ଦୁଇଟି କ୍ରୁଜ କ୍ଷେପଣାସ୍ତ୍ରକୁ ସଫଳତାର ସହ ଚିହ୍ନଟ କରି ନଷ୍ଟ କରିଛି। ଏହା ସହିତ ଇସ୍ଫାହାନ ଉପରେ ଦୁଇଟି MQ-9 ଆକ୍ରମଣ ଡ୍ରୋନ ଖସାଇ ଦିଆଯାଇଛି, ଏବଂ ବୁଶେହର ଉପରେ ଏକ ହର୍ମସ ଡ୍ରୋନ ନଷ୍ଟ କରାଯାଇଛି। ଏହା ବ୍ୟତୀତ ଇରାନ ଏକ F-35 କୁ ଖସାଇ ଦେଇଥିବା ଦାବି କରିଛି, ଯଦିଓ ଏହି ଦାବି ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ। ଉନ୍ନତ ବାୟୁ ପ୍ରତିରକ୍ଷା ପ୍ରଣାଳୀ ବ୍ୟବହାର କରି ଏହାକୁ କାର୍ଯ୍ୟକାରୀ କରାଯାଇଥିଲା, ଯାହା ଦେଶର ସମନ୍ବିତ ବାୟୁ ପ୍ରତିରକ୍ଷା ନେଟୱାର୍କର ନିର୍ଦ୍ଦେଶରେ କାର୍ଯ୍ୟ କରେ।
ସୂଚନାଯୋଗ୍ୟ, ଆମେରିକା-ଇସ୍ରାଏଲ୍ର ଆକ୍ରମଣ ଓ ଇରାନ୍ର ପ୍ରତିଆକ୍ରମଣ ଜାରି ରହିଛି, ମଧ୍ୟପ୍ରାଚ୍ୟରେ ସାମରିକ ଉତ୍ତେଜନା ଥମୁନାହିଁ। ଇରାନ୍ର ସର୍ବୋଚ୍ଚ ତଥା ଆଇକନିକ୍ ବି୧ ବ୍ରିଜ୍କୁ ମିଳିତ ଏୟାର ଷ୍ଟ୍ରାଇକ୍ରେ ଉଡ଼ାଇ ଦିଆଯିବା ପରେ ତେହରାନ୍ ସମଗ୍ର ଉପସାଗରୀୟ ଅଞ୍ଚଳରେ ଏହାର ପ୍ରତିଶୋଧ ନେବାକୁ ଧମକ ଦେଇଛି। ଇରାନ୍ର ହିଟ୍ ଲିଷ୍ଟ୍ରେ ରହିଛି ଗଲ୍ଫରେ ଥିବା ୮ଟି ହାଇପ୍ରୋଫାଇଲ୍ ସେତୁ, ଯାହାକୁ ଇସ୍ଲାମିକ ରିଭୋଲ୍ୟୁଶନାରି ଗାର୍ଡ କର୍ (ଆଇଆର୍ଜିସି) ଉଡ଼ାଇଦେବାକୁ ପ୍ରସ୍ତୁତି ଚଳାଇଛି। ଏହି ବ୍ରିଜ୍ଗୁଡ଼ିକ ଉପରେ ଆକ୍ରମଣ କରାଗଲେ ଗଲ୍ଫରେ ବାଣିଜି୍ୟକ ପରିବହନ ଓ ଆଞ୍ଚଳିକ ଯୋଗାଯୋଗ କ୍ଷେତ୍ରରେ ବଡ଼ ବାଧା ଉପୁଜିପାରେ। ଏହାକୁ ଦୃଷ୍ଟିରେ ରଖି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କହିଛନ୍ତି, ଇରାନ୍ରେ ଯାହା ବର୍ତ୍ତିଯାଇଛି ସେଗୁଡ଼ିକୁ ଧ୍ୱଂସ କରିବା ଆମେରିକା ଆରମ୍ଭ କରିନାହିଁ। ତେହରାନ୍ ଯଦି ଯୁଦ୍ଧାବସାନ ପାଇଁ ଡିଲ୍ ନ କରୁଛି ତେବେ ବେସାମରିକ ଭିତ୍ତିଭୂମି ଉପରେ ଜୋର୍ଦାର ଷ୍ଟ୍ରାଇକ୍ କରାଯିବ। ଏଭଳି ସ୍ଥିତିରେ ଯୁଦ୍ଧ ବନ୍ଦ ହେବା ନେଇ ୨ ଦିନ ପୂର୍ବରୁ ଯେଉଁ ଆଶା ସଞ୍ଚାର ହୋଇଥିଲା ତାହା ମଉଳିଯାଇଛି।
Dharitri – Odisha’s No.1 Odia Daily

