ଓ୍ବାଶିଂଟନ,୯ା୯: ହର୍ମୁଜ୍ ଜଳପଥର ପ୍ରବେଶପଥଠାରେ ଆମେରିକାର ଏକ କର୍ମଚାରୀବିହୀନ ସମୁଦ୍ର ତଳ ଯାନ (ଡ୍ରୋନ୍)କୁ କବ୍ଜା କରିଥିବା ଇରାନର ରିଭଲ୍ୟୁଶନାରି ଗାର୍ଡସ ଦାବି କରିଛି। ସାମରିକ କାର୍ଯ୍ୟାନୁଷ୍ଠାନରେ ଗଭୀର ଜଳରାଶିରୁ କିପରି ଡ୍ରୋନ୍ ବ୍ୟବହାର ହେଉଛି, ଏହା ତା’ର ବିରଳ ଦୃଶ୍ୟ। ଇରାନ ସରକାରୀ ଗଣମାଧ୍ୟମ ସୂଚନା ଅନୁଯାୟୀ, ଉକ୍ତ ଡ୍ରୋନ୍ ଡାଇଭ୍-ଏଲ୍ଡି ସମୁଦ୍ର ତଳେ କାର୍ଯ୍ୟ କରୁଥିବା ଏକ ବୃହତ୍ ସ୍ବୟଂକ୍ରିୟ ଯାନ ଯାହାକୁ କାଲିଫର୍ନିଆର ପ୍ରତିରକ୍ଷା କମ୍ପାନୀ ଆଣ୍ଡୁରିଲ୍ ନିର୍ମାଣ କରିଛି। ୧୯ ଫୁଟ୍ର ଏହି ଡ୍ରୋନ୍ ମାଇନ୍ ପ୍ରତିହତ କାର୍ଯ୍ୟ କରିବା ସହ, ସମୁଦ୍ର ଶଯ୍ୟାର ମ୍ୟାପିଂ, ଗୋଇନ୍ଦା ତଥ୍ୟ ସଂଗ୍ରହ ଏବଂ ଜଳଭାଗ ତଳେ ରହିଥିବା କେବୁଲ, ପାଇପ୍ଲାଇନ୍ ଆଦି ଭିତ୍ତିଭୂମିକୁ ତଦାରଖ କରିଥାଏ। ଆମେ ଆତଙ୍କବାଦୀ ଆମେରିକା ସେନାର ସବୁଠୁ ଅତ୍ୟାଧୁନିକ, ବୁଦ୍ଧିମାନ ଓ ମାନବବିହୀନ ଯାନକୁ କବ୍ଜା କରିଛୁ, ଯେଉଁଥିରେ ଅତ୍ୟାଧୁନିକ ପ୍ରଯୁକ୍ତି ବ୍ୟବହାର ହୋଇଛି ବୋଲି ଆଇଆର୍ଜିସି କହିଛି। ଅନ୍ୟପକ୍ଷରେ ଉକ୍ତ ସମୁଦ୍ର ତଳ ଡ୍ରୋନ୍ ଗୋଟିଏ ଦିନ ପୂର୍ବରୁ ଅକାମୀ ହୋଇଯାଇଥିଲା ବୋଲି ପେଣ୍ଟାଗନ୍ ମୁଖପାତ୍ର କହିଛନ୍ତି। ଏହା ଆଞ୍ଚଳିକ ଜଳରାଶିର ସର୍ଭେ କରି ଆଗାମୀ କାର୍ଯ୍ୟାନୁଷ୍ଠାନରେ ସହାୟତା କରିଥାଏ। ଖରାପ ହୋଇଥିବା ଉକ୍ତ ଡ୍ରୋନ୍ ଏକ ପୁରଣା ମଡେଲ, ଯାହା ସମ୍ବେଦନଶୀଳ ଡାଟା ସଂଗହ କରୁ ନ ଥିଲା କି ସେଥିରେ ସୋନାର କିମ୍ବା ରାଡାର ଉପକରଣ ନ ଥିଲା ବୋଲି ମୁଖପାତ୍ର କହିଛନ୍ତି।

