ଟ୍ରମ୍ପ୍‌ଙ୍କ ଧମକ ପରେ ନରମିଲା ଇରାନ

ଦୁବାଇ,୧୩ା୧: ଇରାନରେ ମୁଦ୍ରାସ୍ଫୀତି ଓ ଆର୍ଥତ୍କ ସଙ୍କଟକୁ ନେଇ ସରକାରଙ୍କ ବିରୋଧରେ ୨ ସପ୍ତାହରୁ ଊର୍ଦ୍ଧ୍ୱ ସମୟ ହେଲା ଦେଶବ୍ୟାପୀ ବିକ୍ଷୋଭ ଜାରି ରହିଥିବା ବେଳେ ସୁରକ୍ଷାବଳର କାର୍ଯ୍ୟାନୁଷ୍ଠାନରେ ଅନୂ୍ୟନ ୫୪୪ ଜଣଙ୍କ ମୃତ୍ୟୁ ଘଟିଲାଣି। ଆନ୍ଦୋଳନକୁ ଚାପିଦେବା ଲାଗି ଇରାନ ସରକାରଙ୍କ ରକ୍ତାକ୍ତ କାର୍ଯ୍ୟାନୁଷ୍ଠାନ ବିରୋଧରେ ଇସ୍‌ଲାମିକ୍‌ ରିପବ୍ଲିକ୍‌ ଉପରେ ଆକ୍ରମଣ କରିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଧମକ ଦେଇଥିଲେ। ଇରାନ ଏବେ ଓ୍ବାଶିଂଶନ ସହ ବୁଝାମଣା ଚାହୁଁତ୍ଥିବା ଟ୍ରମ୍ପ୍‌ କହିଛନ୍ତି। ଟ୍ରମ୍ପ୍‌ଙ୍କ ମନ୍ତବ୍ୟ ଉପରେ ଇରାନ ସିଧାସଳଖ ପ୍ରତିକ୍ରିୟା ଦେଇ ନ ଥିବାବେଳେ ଓ୍ବାଶିଂଟନ ଏବଂ ତେହରାନ ମଧ୍ୟରେ ଦୀର୍ଘଦିନ ଧରି ମଧ୍ୟସ୍ଥତା କରିଆସୁଥିବା ଓମାନ୍‌ର ବହିର୍ବ୍ୟାପାର ମନ୍ତ୍ରୀ ବୁଝାମଣା ସମ୍ପର୍କରେ ସୂଚନା ଦେଇଛନ୍ତି। ତେବେ ଇରାନର ଆଣବିକ କାର୍ଯ୍ୟକ୍ରମ ଏବଂ ବାଲିଷ୍ଟିକ୍‌ ମିଶାଇଲ୍‌ ଅସ୍ତ୍ରାଗାର ବନ୍ଦ ପାଇଁ ଟ୍ରମ୍ପ୍‌ କଠୋର ଦାବି ରଖିଥିବାବେଳେ ତେହରାନ କି ପ୍ରକାର ପ୍ରତିଶ୍ରୁତି ଦେବ, ତାହା ସ୍ପଷ୍ଟ ହୋଇନାହିଁ।
ବିଦେଶୀ କୂଟନୀତିଜ୍ଞମାନଙ୍କୁ ଇରାନ ବହିର୍ବ୍ୟାପାର ମନ୍ତ୍ରୀ ଆବ୍ବାସ ଆରାଘଚି କହିଛନ୍ତି, ସ୍ଥିତି ଏବେ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସିଛି। ହିଂସା ପାଇଁ ସେ ଇସ୍ରାଏଲ୍‌ ଏବଂ ଆମେରିକାକୁ ଦାୟୀ କରିଥିବାବେଳେ ଏନେଇ କୌଣସି ପ୍ରମାଣ ଦେଇନାହାନ୍ତି। ଆମେରିକା ସହ କୂଟନୈତିକ ଆଲୋଚନା ଲାଗି ଦ୍ୱାରା ଖୋଲା ରହିଥିବା ଇରାନ ବହିର୍ବ୍ୟାପାର ମନ୍ତ୍ରଣାଳୟ କହିଛି। ତେବେ ପାରସ୍ପରିକ ସ୍ବାର୍ଥ ଓ ଉଦ୍‌ବେଗର ଗ୍ରହଣୀୟତା ଆଧାରରେ ଆଲୋଚନା ହେବା ଆବଶ୍ୟକ। ଏକପାଖିଆ ଏବଂ ଏକଚ୍ଛତ୍ରବାଦ ଆଧାରିତ ଆଲୋଚନା ନୁହେଁ ବୋଲି ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର କହିଛନ୍ତି।

 

Dharitri – The Largest & Most Trusted Odia Daily