ଓ୍ବାଶିଂଟନ/ତେହରାନ୍,୧ା୯: କିଛିଦିନର ବିରତି ପରେ ଆମେରିକା ସେନା ରବିବାର ରାତିରେ ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍ରେ ଇରାନୀୟ ରକେଟ ଲଞ୍ଚରଗୁଡ଼ିକ ଉପରେ ଆକ୍ରମଣ କରିଛି। ଏହାର ଜବାବରେ ଇରାନ ଜୋର୍ଡ଼ାନରେ ଥିବା ଆମେରିକା ସେନା ଘାଟି ଉପରେ ପ୍ରତିଆକ୍ରମଣ କରିଥିବା କହିଛି।
ଲାରାକ ଆଇଲାଣ୍ଡରେ ଥିବା ଇରାନର ସାମରିକ ଭିତ୍ତିଭୂମି ଉପରେ ଆମେରିକା ଆକ୍ରମଣ କରିଥିଲା। ଇରାନ ସେନା ପକ୍ଷରୁ ହର୍ମୁଜ୍ ଜଳପଥରେ ସମୁଦ୍ର ମାଇନ ବିଛାଯିବା ଆଶଙ୍କା ଥିବାରୁ ଏଭଳି ଆକ୍ରମଣ କରାଯାଇଥିବା ଓ୍ବାଶିଂଟନ କହିଛି। ଏହାର ପ୍ରତିବାଦରେ ଇସ୍ଲାମିକ୍ ରିଭଲ୍ୟୁଶନାରି ଗାର୍ଡ କର୍ (ଆଇଆର୍ଜିସି) ଜୋର୍ଡାନ୍ସ୍ଥିତ ଆମେରିକା ବେସ୍ ଉପରେ ମିଶାଇଲ ଆକ୍ରମଣ କରିଥିବା କହିଛି। ଏହି ଘଟଣା ପରେ ଦୁଇ ଦେଶ ମଧ୍ୟରେ ପୁଣିଥରେ ଉତ୍ତେଜନା ବଢ଼ିଛି। ଜୁଲାଇ ଶେଷ ଭାଗରୁ ଆକ୍ରମଣ ବନ୍ଦ ରହିଥିବାବେଳେ ଆମେରିକା ପ୍ରଥମ ଥର ପାଇଁ ଇରାନର ଲାରାକ ଆଇଲାଣ୍ଡରେ ଆକ୍ରମଣ କରିଛି।
ଇରାନର ଏକ ଡ୍ରୋନ୍କୁ ୟୁନାଇଟେଡ୍ ଆରବ ଏମିରେଟ୍ସ (ୟୁଏଇ) ସୋମବାର ସମୁଦ୍ର ଉପରେ ପ୍ରତିହତ କରିଥିବା କହିଛି। ଆମେରିକା ଏବଂ ଇରାନ ମଧ୍ୟରେ ଆକ୍ରମଣ ଚାଲିଥିବାବେଳେ ଏହି ଡ୍ରୋନ୍ ଛଡ଼ାଯାଇଥିତ୍ଲା। ଇରାନର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଆମେରିକା ରବିବାର ରାତିରେ ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍ର ଲାରାକ ଆଇଲାଣ୍ଡରେ କରିଥିବା ଆକ୍ରମଣରେ ୨ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକେ ଆହତ ହୋଇଛନ୍ତି।
ଗତ ଫେବୃଆରୀ ୨୮ରେ ଆମେରିକା ଓ ଇସ୍ରାଏଲ୍ ମିଳିତ ଭାବେ ଇରାନ ଉପରେ ଆକ୍ରମଣ କରିବା ପରେ ତେହରାନ୍ ବିଶ୍ୱର ଗୁରୁତ୍ୱପୂର୍ଣ୍ଣ ଜଳପଥ ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍କୁ ବନ୍ଦ କରିଦେଇଥିଲା। ଯୁଦ୍ଧ ପୂର୍ବରୁ ଏହି ଜଳପଥ ଦେଇ ବିଶ୍ୱ ତୈଳ କାରବାରର ଏକ-ପଞ୍ଚମାଂଶ ପରିବହନ ହେଉଥିଲା। ଏହା ଅବରୋଧ ହେବା ପରେ ବିଶ୍ୱ ଅର୍ଥନୀତି ପ୍ରଭାବିତ ହେବା ସହ ତୈଳ ଓ ରନ୍ଧନ ଗ୍ୟାସ୍ ଦର ବୃଦ୍ଧି ପାଇଛି। ରବିବାର ପୁନର୍ବାର ଆକ୍ରମଣ ଆରମ୍ଭ ହୋଇଥିବାରୁ ବ୍ରେଣ୍ଟ କ୍ରୁଡ୍ ଦର ୯୦ ଡଲାର ଟପିଛି। ଯୁଦ୍ଧ ପୂର୍ବର ଦର ତୁଳନାରେ ଏହା ୨୫ ପ୍ରତିଶତ ଅଧିକ। ମଧ୍ୟବର୍ତ୍ତୀକାଳନୀ ନିର୍ବାଚନ ପୂର୍ବରୁ ତୈଳ ଦର ବୃଦ୍ଧି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ପାଇଁ ଅଡ଼ଆ ପରିସ୍ଥିତି ସୃଷ୍ଟି କରିଛି। ଇରାନ ସହ ଯୁଦ୍ଧ ବନ୍ଦ ଏବଂ ହର୍ମୁଜ୍କୁ ଖୋଲିବା ପାଇଁ ତାଙ୍କର ସବୁ ଉଦ୍ୟମ ବ୍ୟର୍ଥ ହୋଇଛି। ହର୍ମୁଜ୍କୁ ନେଇ ତେହରାନ ନିଜ ଜିଦ୍ରେ ଅଟଳ ଥିବାରୁ ଶାନ୍ତି ଆଲୋଚନା ଆଗେଇ ପାରୁନାହିଁ। ଉପସାଗରୀୟ ଦେଶଗୁଡ଼ିକରେ ଥିବା ଅମେରିକା ସେନା ଘାଟି ଓ ଭିତ୍ତିଭୂମିକୁ ଟାର୍ଗେଟ କରି ଇରାନ ଆକ୍ରମଣ ଚଳାଇଥିବାରୁ ଉକ୍ତ ଅଞ୍ଚଳ ପାଇଁ ବିପଦ ସୃଷ୍ଟି ହୋଇଛି।