ଛତ୍ରପୁର,୨୯।୫( ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଆଜି ଏକ ନୂତନ ପ୍ରଶାସନିକ ଅଧ୍ୟାୟ ଆରମ୍ଭ ହୋଇଛି। ଜିଲାର ନୂତନ ଆରକ୍ଷୀ ଅଧୀକ୍ଷକ (SP) ଭାବେ ଆଜି ଆନୁଷ୍ଠାନିକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ୨୦୨୦ ବ୍ୟାଚର ଦକ୍ଷ ଆଇପିଏସ (IPS) ଅଫିସର ହରିଶ ବିଶି । ପୂର୍ବରୁ ଗଞ୍ଜାମ ଏସ୍ପି ଭାବେ ଦାୟିତ୍ୱରେ ଥିବା ଶୁଭେନ୍ଦୁ ପାତ୍ରଙ୍କ ଠାରୁ ସେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ପୂର୍ବରୁ ସେ ରାୟଗଡ଼ା ଏବଂ କନ୍ଧମାଳ ଜିଲାରେ ଏସପି ଭାବେ ସଫଳତାର ସହ କାର୍ଯ୍ୟ କରିବା ପରେ, ଆଜି ଗଞ୍ଜାମ ଜିଲାର ସୁରକ୍ଷା ଓ ଆଇନଶୃଙ୍ଖଳା ରକ୍ଷା ଭାର ନିଜ ହାତକୁ ନେଇଛନ୍ତି। ଗଞ୍ଜାମ ଏକ ବୃହତ ଏବଂ ସମ୍ବେଦନଶୀଳ ଜିଲା ହୋଇଥିବାରୁ ଏଠାରେ ଅପରାଧ ନିୟନ୍ତ୍ରଣ କରିବା ସବୁଠାରୁ ବଡ଼ ଆହ୍ବାନ। ଦାୟିତ୍ୱ ଗ୍ରହଣ କରିବା ପରେ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇ ନୂତନ ଏସ୍ପି ବିଶି କହିଛନ୍ତି, ଜିଲାକୁ ସମ୍ପୂର୍ଣ୍ଣ ଅପରାଧମୁକ୍ତ କରିବା ତାଙ୍କର ପ୍ରଥମ ପ୍ରାଥମିକତା ରହିବ। ବିଶେଷ କରି ଜିଲାରେ ସକ୍ରିୟ ଥିବା ପଥର ଓ ବାଲି ମାଫିଆଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅପରାଧୀଙ୍କ ଚରାଭୂଇଁ ପାଲଟିଥିବା ଅଞ୍ଚଳଗୁଡ଼ିକ ଉପରେ ପୋଲିସର କଡ଼ା ନଜର ରହିବ ବୋଲି ସେ ସ୍ପଷ୍ଟ କରିଛନ୍ତି।
ଜନସାଧାରଣଙ୍କ ସହ ସୁସମ୍ପର୍କ ଓ ସେମାନଙ୍କ ସୁରକ୍ଷା ଉପରେ ସବୁଠାରୁ ବଡ଼ ପ୍ରତିଶ୍ରୁତି ଦେଇଛନ୍ତି ନୂତନ ଏସ୍ପି। ସେ କହିଛନ୍ତି, ସାଧାରଣ ଲୋକଙ୍କର ଯେକୌଣସି ସମସ୍ୟା ହେଉ, ସେମାନେ ସିଧାସଳଖ ମୋ ମୋବାଇଲ ନମ୍ବରକୁ କଲ କରି ଜଣାଇପାରିବେ। ଲୋକଙ୍କ ସୁବିଧା ଏବଂ ସହାୟତା ପାଇଁ ମୋ ନମ୍ବର ୨୪ ଘଣ୍ଟା ଖୋଲା ରହିବ।”
ସାଧାରଣ ଲୋକେ ଯେପରି ବିନା ଭୟରେ ପୋଲିସର ସହାୟତା ପାଇପାରିବେ ଏବଂ ପୋଲିସ ଉପରେ ସେମାନଙ୍କର ଆସ୍ଥା ବୃଦ୍ଧି ପାଇବ, ସେଥିପାଇଁ ପୋଲିସ ପ୍ରଶାସନ ସଦାସର୍ବଦା ତତ୍ପର ରହିବ ବୋଲି ସେ ପ୍ରକାଶ କରିଛନ୍ତି । ତାଙ୍କର ଏହି ଜନହିତକର ଆଭିମୁଖ୍ୟ ଯୋଗୁ ଆଗାମୀ ଦିନରେ ଜିଲାରେ ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ ସମ୍ପର୍କ ଆହୁରି ମଜବୁତ ହେବ ବୋଲି ଆଶା କରାଯାଉଛି।