Categories: ରାଜ୍ୟ

ଦୁବାଇରୁ ଓଡ଼ିଶା ଯାଏ ଚାଲିଛି ଆଇପିଏଲ୍‌ ବେଟିଂ

ଝାରସୁଗୁଡ଼ା ଅଫିସ,୨୩ା୯: ଦୁବାଇରେ ଆଇପିଏଲ୍‌ କ୍ରିକେଟ୍‌ ମ୍ୟାଚ୍‌ ଚାଲିଥିବାବେଳେ ପୂରା ଦେଶରେ ସକ୍ରିୟ ହୋଇ ଉଠିଛି ବେଟିଂ ର଼୍ୟାକେଟ୍‌। ଝାରସୁଗୁଡ଼ାରେ ଏହାର ଲିଙ୍କ୍‌ ଉନ୍ମୋଚନ କରିବାରେ ସଫଳ ହୋଇଛି ପୋଲିସ। ବେଟିଂରେ ସମ୍ପୃକ୍ତ ଥିବା ୨ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଝାରସୁଗୁଡ଼ା ଟାଟାଗଳିର ମହମ୍ମଦ ଅକିଲ୍‌ ଆଜିଜ୍‌ ମୋତିବାଲା(୩୨) ଓ ଗୋଶାଳାର ହରିଶ ସାହୁ(୩୪)। ଏମାନଙ୍କ ନିକଟରୁ ପୋଲିସ ୬ଲକ୍ଷ ୮୦ହଜାର ଟଙ୍କା, ଏକ ନୋଟ୍‌ବୁକ୍‌ ଓ ୫ ମୋବାଇଲ୍‌ ଜବତ କରିଛି। ଏ ନେଇ ପୋଲିସ ଝାରସୁଗୁଡା ଥାନା (କେସ୍‌ ନଂ୪୭୨/୨୧)ରେ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଛି ା

ଏସ୍‌ପି ବିକାଶ ଚନ୍ଦ୍ର ଦାସ, ଏସ୍‌ଡିପିଓ ନିର୍ମଳ ମହାପାତ୍ର ଓ ଆଇଆଇସି ସାବିତ୍ରୀ ବଳଙ୍କ ଉପସ୍ଥିତିରେ ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ଏସ୍‌ପି ଦାସ କହିଛନ୍ତି, ଝାରସୁଗୁଡ଼ାରେ ଆଇପିଏଲ୍‌ ବେଟିଂ ର଼୍ୟାକେଟ୍‌ ଚାଲିଛି ବୋଲି ବିଶେଷ ସୂତ୍ରରୁ ଖବର ମିଳିଥିଲା। ପରେ ଏସ୍‌ଡିପିଓ ମହାପାତ୍ରଙ୍କ ନେତୃତ୍ୱରେ ଆଇଆଇସି ବଳ ଏହାର ତଦନ୍ତ କରି ର଼୍ୟାକେଟ୍‌ ଠାବ କରିବାରେ ସକ୍ଷମ ହୋଇଥିଲେ।