ଆଇପିଏଲ ବ୍ୟାଟିଂର ପର୍ଦ୍ଦାଫାଶ: ଦୋକାନୀଙ୍କୁ ବାନ୍ଧିଲା ପୋଲିସ

ସୁନ୍ଦରଗଡ଼, ୧।୬ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲାର ବିଭିନ୍ନ ସ୍ଥାନରେ ଅନଲାଇନ୍ ମାଧ୍ୟମରେ ଚାଲୁଥିବା ଆଇପିଏଲ କ୍ରିକେଟ ବେଆଇନ ବ୍ୟାଟିଂ ଉପରେ ପୋଲିସର ଚଢ଼ାଉ ଅଭିଯାନ ଜାରି ରହିଛି। ଏହି କ୍ରମରେ କୁଆଁରମୁଣ୍ଡା ଅଞ୍ଚଳରେ ଚାଲୁଥିବା ବେଆଇନ ଆଇପିଏଲ ବ୍ୟାଟିଂ ର଼୍ୟାକେଟ୍‌ର ପର୍ଦ୍ଦାଫାଶ କରି ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି।

ସୂଚନା ଅନୁଯାୟୀ, ଗତ ୨୮ ତାରିଖରେ ହାତୀବାରି ଥାନା ଅଞ୍ଚଳରେ ଚାଲୁଥିବା ବେଆଇନ ଆଇପିଏଲ ବ୍ୟାଟିଂ ଉପରେ ପୋଲିସ ଚଢ଼ାଉ କରି ଏହାର ମାଷ୍ଟରମାଇଣ୍ଡକୁ ଗିରଫ କରିଥିଲା। ପରେ ରବିବାର ରାତିରେ ବୀରମିତ୍ରପୁର ଥାନା ଅନ୍ତର୍ଗତ କୁଆଁରମୁଣ୍ଡା ଫାଣ୍ଡି ଅଞ୍ଚଳରୁ ପୁଣି ଜଣେ ଅଭିଯୁକ୍ତଙ୍କୁ ଧରିବାରେ ପୋଲିସ ସଫଳ ହୋଇଛି।

କୁଆଁରମୁଣ୍ଡା ଅଞ୍ଚଳରେ ଏହି ବେଆଇନ ବ୍ୟାଟିଂ ଚାଲୁଥିବା ସୂଚନା ପାଇ ପୋଲିସ ରବିବାର ସନ୍ଧ୍ୟାରେ ଏକ ଦୋକାନ ଉପରେ ଚଢ଼ାଉ କରିଥିଲା। ତଦନ୍ତରେ ଏହି ଦୋକାନ ମାଧ୍ୟମରେ ପ୍ରାୟ ୭ ଲକ୍ଷ ଟଙ୍କାର ବେଆଇନ ଖେଳ ଚାଲୁଥିବା ଖୁଲାସା ହୋଇଛି।

ପୋଲିସ ଅଭିଯୁକ୍ତ ଦୋକାନୀଙ୍କୁ ଗିରଫ କରି ବୀରମିତ୍ରପୁର ଥାନାରେ ଅଟକ ରଖି ପଚାରାଉଚାର କରୁଛି। ଏହି ମାମଲାରେ ଜଡିତ ଅନ୍ୟ ୩ ଜଣଙ୍କୁ ଖୁବ ଶୀଘ୍ର ଗିରଫ କରାଯିବା ସହ ୭ ଲକ୍ଷ ଟଙ୍କା ଜବତ କରାଯିବ ବୋଲି ସୁନ୍ଦରଗଡ଼ ଏସପି ଅମ୍ରିତ ପାଲ କୌର  ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଏହି ଘଟଣା ପରେ ଅଞ୍ଚଳରେ ବେଆଇନ ବ୍ୟାଟିଂ ଉପରେ ପୋଲିସର କଡ଼ା ନଜର ରହିଥିବା ଜଣାପଡ଼ିଛି।

Share