ଆଇପିଏଲ ୨୦୨୭ ପାଇଁ ମିନି ଅକ୍ସନ ଆସନ୍ତା ମାସ ୧୬ ତାରିଖରେ ଗୋଆରେ ଅନୁଷ୍ଠିତ ହେବ। ଏହା ପୂର୍ବରୁ ସମସ୍ତ ୧୦ଟି ଫ୍ରାଞ୍ଚାଇଜ ନିଜ ନିଜ ରିଟେନ୍ସନ ତାଲିକା ଘୋଷଣା କରିସାରିଛନ୍ତି। ଏବେ ଦଳଗୁଡ଼ିକର ଅଧିନାୟକ କିଏ ହେବେ, ତାହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ୬ଟି ଦଳର ଅଧିନାୟକ ପ୍ରାୟ ନିଶ୍ଚିତ ଥିବାବେଳେ ୩ଟି ଦଳର କ୍ୟାପ୍ଟେନ କିଏ ହେବେ, ତାହା ସ୍ପଷ୍ଟ ହୋଇନାହିଁ। ଏହି ତାଲିକାରେ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟ ରହିଛି।
ଗତ କିଛି ସିଜିନରେ ଦିଲ୍ଲୀର ନେତୃତ୍ୱ ନେଉଥିବା ଅକ୍ଷର ପଟେଲଙ୍କୁ ଦଳ ରିଟେନ କରିଛି। କିନ୍ତୁ ପୂର୍ବତନ ଅଧିନାୟକ ଋଷଭ ପନ୍ତଙ୍କ ଦଳକୁ ଫେରିବା ପରେ ନେତୃତ୍ୱ କାହା ହାତକୁ ଯିବ, ତାହାକୁ ନେଇ ପ୍ରଶ୍ନ ଉଠିଛି। ଅନ୍ୟପଟେ ମୁମ୍ବାଇ ଇଣ୍ଡିଆନ୍ସ ଆଜି ନିଜ ନୂଆ ଅଧିନାୟକଙ୍କ ନାମ ଘୋଷଣା କରିବାକୁ ଯାଉଛି। ରୋହିତ ଶର୍ମା ପୁଣିଥରେ ଦଳର ନେତୃତ୍ୱ ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।
ମୁମ୍ବାଇ ଇଣ୍ଡିଆନ୍ସ ଆଜି ନିଜ ଅଧିନାୟକଙ୍କ ନାମ ଘୋଷଣା କରିବ। ଘୋଷଣାର ଏହି ସମୟକୁ ନେଇ ରୋହିତ ଶର୍ମା ପୁଣିଥରେ ମୁମ୍ବାଇର ନେତୃତ୍ୱ ନେବେ ବୋଲି ଅନୁମାନ କରାଯାଉଛି। ରୋହିତଙ୍କ ଜର୍ସି ନମ୍ବର ୪୫ ଏବଂ ତାଙ୍କ ନେତୃତ୍ୱରେ ମୁମ୍ବାଇ ୫ଟି ଆଇପିଏଲ ଟ୍ରଫି ଜିତିଛି।
୧. ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)
ରଜତ ପାଟିଦାରଙ୍କ ନେତୃତ୍ୱରେ ଆରସିବି ୧୮ ବର୍ଷ ପରେ ପ୍ରଥମ ଆଇପିଏଲ ଟାଇଟଲ ଜିତିଥିଲା। ୨୦୨୫ ପରେ ୨୦୨୬ରେ ମଧ୍ୟ ପାଟିଦାରଙ୍କ ନେତୃତ୍ୱରେ ଦଳ ଚାମ୍ପିୟନ ହୋଇଥିବା ଦାବି କରାଯାଇଛି। ତେଣୁ ତାଙ୍କୁ ଅଧିନାୟକ ପଦରୁ ହଟାଇବାର ସମ୍ଭାବନା କମ। ୨୦୨୭ରେ ମଧ୍ୟ ସେ ଦଳର ନେତୃତ୍ୱ ନେଇପାରନ୍ତି।
୨. ଚେନ୍ନାଇ ସୁପର କିଙ୍ଗ୍ସ (CSK):
ମହେନ୍ଦ୍ର ସିଂ ଧୋନୀ ଦଳରେ ରହି ନୂଆ ଅଧିନାୟକଙ୍କୁ ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ଖେଳୁଥିଲେ ବୋଲି ଆଲୋଚନା ହେଉଥିଲା। ଏବେ ଧୋନି ଆଇପିଏଲରୁ ଅବସର ନେଇଥିବା କୁହାଯାଇଛି। ତାଙ୍କ ଉପସ୍ଥିତିରେ ପ୍ରସ୍ତୁତ ହୋଇଥିବା ଋତୁରାଜ ଗାଏକୱାଡ ଦଳର ଅଧିନାୟକ ଅଛନ୍ତି। ସଞ୍ଜୁ ସାମସନ ଦଳକୁ ଆସିବା ପରେ ଅଧିନାୟକ ପରିବର୍ତ୍ତନ ନେଇ ଚର୍ଚ୍ଚା ହୋଇଥିଲେ ମଧ୍ୟ ତାଙ୍କୁ ଗାଏକୱାଡଙ୍କ ନେତୃତ୍ୱରେ ଖେଳିବାକୁ ପଡ଼ିଥିଲା। ତେଣୁ ଗାଏକୱାଡ ହିଁ ଅଧିନାୟକ ରହିବା ସମ୍ଭାବନା ଅଧିକ।
ଗୁଜରାଟ ଟାଇଟନ୍ସ (GT):
ହାର୍ଦ୍ଦିକ ପାଣ୍ଡ୍ୟା ଗୁଜରାଟ ଛାଡ଼ିବା ପରେ ଶୁଭମନ ଗିଲଙ୍କୁ ଦଳର ଅଧିନାୟକ କରାଯାଇଥିଲା। ପରବର୍ତ୍ତୀ ସମୟରେ ଗିଲ ଭାରତୀୟ ଟେଷ୍ଟ ଓ ଦିନିକିଆ ଦଳର ଅଧିନାୟକ ମଧ୍ୟ ହୋଇଛନ୍ତି। ତେଣୁ ତାଙ୍କୁ ହଟାଇବାର କୌଣସି ବିଶେଷ କାରଣ ଦେଖାଯାଉନାହିଁ। ୨୦୨୭ରେ ମଧ୍ୟ ଗିଲ ଗୁଜରାଟର ନେତୃତ୍ୱ ନେଇପାରନ୍ତି।
ପଞ୍ଜାବ କିଙ୍ଗ୍ସ (PBKS):
ଟ୍ରେଡ ଜରିଆରେ ହାର୍ଦ୍ଦିକ ପାଣ୍ଡ୍ୟା ପଞ୍ଜାବ କିଙ୍ଗ୍ସକୁ ଆସିବା ପରେ ସେ ଦଳର ଅଧିନାୟକ ହେବେ କି ନାହିଁ, ତାହାକୁ ନେଇ ପ୍ରଶ୍ନ ଉଠିଥିଲା। କିନ୍ତୁ ହାର୍ଦ୍ଦିକ ନିଜେ ସ୍ପଷ୍ଟ କରିଥିବା ଦାବି କରାଯାଇଛି ଯେ, ଶ୍ରେୟସ ଆୟର ହିଁ ଦଳର ଅଧିନାୟକ ରହିବେ।
ରାଜସ୍ଥାନ ରୟାଲ୍ସ (RR):
ଗତ ସିଜିନରେ ସଞ୍ଜୁ ସାମସନ ଦଳ ଛାଡ଼ିବା ପରେ ରିୟାନ ପରାଗଙ୍କୁ ରାଜସ୍ଥାନ ରୟାଲ୍ସର ପୂର୍ଣ୍ଣକାଳୀନ ଅଧିନାୟକ କରାଯାଇଥିଲା। ସେ ଜଣେ ଯୁବ ଖେଳାଳି ହୋଇଥିବାରୁ ଭବିଷ୍ୟତକୁ ନଜରରେ ରଖି ତାଙ୍କୁ ଏହି ଦାୟିତ୍ୱ ଦିଆଯାଇଥିଲା। ତେଣୁ ୨୦୨୭ରେ ମଧ୍ୟ ସେ ଅଧିନାୟକ ରହିବା ସମ୍ଭାବନା ଅଧିକ।
୬. ସନରାଇଜର୍ସ ହାଇଦ୍ରାବାଦ (SRH)
ପ୍ୟାଟ କମିନ୍ସ ଆଇପିଏଲ ୨୦୨୭ ଖେଳିବା ପାଇଁ ଭାରତ ଆସିବେ ବୋଲି ସ୍ପଷ୍ଟ କରିଥିବା କୁହାଯାଉଛି। ଏପରିକି ସେ ଅଧା ସିଜିନ ପାଇଁ ଆସିଲେ ମଧ୍ୟ ଦଳର ଅଧିନାୟକ ରହିପାରନ୍ତି। ତାଙ୍କ ଅନୁପସ୍ଥିତିରେ ଈଶାନ କିଶନ ଦଳର ନେତୃତ୍ୱ ନେଇପାରନ୍ତି।
୭. ଦିଲ୍ଲୀ କ୍ୟାପିଟାଲ୍ସ (DC)
ଅକ୍ଷର ପଟେଲ ଗତ ସିଜିନ୍ରେ ଦିଲ୍ଲୀର ଅଧିନାୟକ ଥିଲେ। କିନ୍ତୁ ଟ୍ରେଡ ଜରିଆରେ ପୂର୍ବତନ ଅଧିନାୟକ ଋଷଭ ପନ୍ତ ଦଳକୁ ଫେରିବା ପରେ ନେତୃତ୍ୱକୁ ନେଇ ଦ୍ୱନ୍ଦ୍ୱ ବଢ଼ିଛି। ଏହା ସହିତ ଦଳର କୋଚିଂ ଷ୍ଟାଫ୍ରେ ମଧ୍ୟ ଅନେକ ପରିବର୍ତ୍ତନ ହୋଇଛି। ସୌରଭ ଗାଙ୍ଗୁଲି ମୁଖ୍ୟ କୋଚ ଏବଂ ଯୁବରାଜ ସିଂ ବ୍ୟାଟିଂ କୋଚ ହୋଇଥିବା କୁହାଯାଉଛି। ଏବେ ଦିଲ୍ଲୀର ଅଧିନାୟକ କିଏ ହେବେ, ତାହା ସ୍ପଷ୍ଟ ହୋଇନାହିଁ।
୮. କୋଲକାତା ନାଇଟ ରାଇଡର୍ସ (KKR)
ଗତ ସିଜିନରେ ଅଜିଙ୍କ୍ୟ ରାହାଣେ କୋଲକାତାର ଅଧିନାୟକ ଥିଲେ। ସେ ଅବସର ନେଇଥିବାରୁ ଏବେ ଦଳକୁ ନୂଆ ଅଧିନାୟକ ଖୋଜିବାକୁ ପଡ଼ିବ। କୋଲକାତା ପକ୍ଷରୁ ଏପର୍ଯ୍ୟନ୍ତ ନୂଆ ଅଧିନାୟକଙ୍କ ନାମ ଘୋଷଣା ହୋଇନାହିଁ। ରିଙ୍କୁ ସିଂ ଏହି ଦୌଡ଼ରେ ଆଗରେ ଥିବା କୁହାଯାଉଛି।
୯. ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG)
ରିଷଭ ପନ୍ତ ଦଳ ଛାଡ଼ିବା ପରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ମଧ୍ୟ ଏପର୍ଯ୍ୟନ୍ତ ନୂଆ ଅଧିନାୟକଙ୍କ ନାମ ଘୋଷଣା କରିନାହିଁ। ତେଣୁ ଆଗାମୀ ସିଜିନରେ କିଏ ଦଳର ନେତୃତ୍ୱ ନେବେ, ତାହାକୁ ନେଇ ଚର୍ଚ୍ଚା ଜାରି ରହିଛି।