Posted inଖେଳ

ଆଇପିଏଲ-୨୦୨୦: ଆରସିବିର ବିଜୟ ଅଭିଯାନ

ଦୁବାଇ, ୨୨।୯-
ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ର ସୋମବାର ଅନୁଷ୍ଠିତ ମ୍ୟାଚରେ ସନ୍‌ ରାଇଜର୍ସ ହାଇଦ୍ରାବାଦକୁ ୧୦ ରନରେ ହରାଇ ଅଭିଯାନ ଆରମ୍ଭ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)। ବାଙ୍ଗାଲୋର ପକ୍ଷରୁ ଧାର୍ଯ୍ୟ ୧୬୪ ରନ ବିଜୟ ଲକ୍ଷ୍ୟର ପିଛାକରି ହାଇଦ୍ରାବାଦ ଦଳ ୧୯.୪ ଓଭରରେ ୧୫୩ ରନକରି ଅଲଆଉଟ ହୋଇ ଯାଇଥିଲା।
ଓପନିଂ ଯୋଡ଼ିରେ ମାତ୍ର ୧୮ ରନ ଯୋଗହେବାପରେ ଅଧିନାୟକ ଡେଭିଡ ଓ୍ବାର୍ନରଙ୍କ ଉଇକେଟ ହରାଇଥିଲା ସନ୍‌ରାଇଜର୍ସ। ଓ୍ବାର୍ନର ମାତ୍ର ୬ ରନ କରି ରନଆଉଟ ହୋଇଥିଲେ। ଜନି ବେୟାରଷ୍ଟୋ ଓ ମନୀଷ ପାଣ୍ଡେ ଦ୍ୱିତୀୟ ଉଇକେଟରେ ୭୧ ରନ ଯୋଗକରି ମ୍ୟାଚକୁ ନିୟନ୍ତ୍ରଣକୁ ଆଣିଥିଲେ। ମନୀଷ ୩୩ ବଲ୍‌ରୁ ୩୪(୩ ଚୌକା, ୧ ଛକା) ରନ କରି ଆଉଟ ହୋଇଥିଲେ। ବେୟାରଷ୍ଟୋ କିନ୍ତୁ ଆକ୍ରମଣାତ୍ମକ ଖେଳି ଆରସିବି ଶିବରରେ ନୈରାଶ୍ୟ ଖେଳାଇ ଦେଇଥିଲେ। ୧୫ ଓଭର ବେଳକୁ ସନରାଇଜର୍ସ ୨ ଉଇକେଟ ହରାଇ ୧୨୧ ରନ ସଂଗ୍ରହ କରି ନେଇଥିଲା। ମାତ୍ର ୧୬ତମ ଓଭର ବୋଲିଂ କରିବାକୁ ଆସିଥିବା ୟୁଜବେନ୍ଦ୍ର ଚହଲ ମ୍ୟାଚର ମୋଡ଼ ବୁଲାଇଥିଲେ। ସେ ଏହି ଓଭରର ଦ୍ୱିତୀୟ ବଲ୍‌ରେ ବେୟାରଷ୍ଟୋ (୬୧ ରନ, ୪୩ ବଲ, ୬ ଚୌକା, ୨ ଛକା) ଓ ତୃତୀୟ ବଲ୍‌ରେ ବିଜୟ ଶଙ୍କର(୦)ଙ୍କୁ ଆଉଟ କରି ଦଳ ପାଇଁ ଆଶା ସଞ୍ଚାର କରିଥିଲେ। ବେୟାରଷ୍ଟୋଙ୍କ ଆଉଟ ମ୍ୟାଚର ଟର୍ନିଂ ପଏଣ୍ଟ ହୋଇଥିଲା। ୧୭ତମ ଓଭରର ୩ୟ ବଲ୍‌ରେ ସ୍କୁପ୍‌ ଶଟ୍‌ ଖେଳିବାକୁ ଯାଇ ପ୍ରିୟମ୍‌ ଗର୍ଗ ବୋଲ୍ଡ ହୋଇଥିବାବେଳେ ୬ଷ୍ଠ ବଲ୍‌ରେ ୨ ରନ ନେବାକୁ ଯାଇ ରଶିଦ୍‌ ଖାଁଙ୍କ ସହ ଧକ୍କା ଖାଇ ଅଭିଷେକ ଶର୍ମା ରନ୍‌ଆଉଟ ହୋଇ ଯାଇଥିଲେ। ନବଦୀପ ସଇନୀ ୧୮ତମ ଓଭରରେ ଭୁବନେଶ୍ୱର କୁମାର ଓ ରଶିଦ ଖାଁଙ୍କୁ ଆଉଟ କରିଥିଲେ। ଶେଷ ୩୨ ରନରେ ସନ୍‌ରାଇଜର୍ସ ୮ ଉଇକେଟ ହରାଇଥିଲା।
ପଦାର୍ପଣରେ ପଡିକାଲଙ୍କ ଚମକ
ହାଇ ପ୍ରୋଫାଇଲ ଆଇପିଏଲ ପଦାର୍ପଣରେ ଚମକ ସୃଷ୍ଟି କରିଥିଲେ ଯୁବ ଓପନର ଦେବଦତ୍ତ ପଡିକାଲ। ସନ୍‌ରାଇଜର୍ସର ଅଭିଜ୍ଞ ବୋଲରଙ୍କ ବିରୋଧରେ ଚମତ୍କାର ଖେଳିବା ସହ ମାତ୍ର ୩୬ ବଲ୍‌ରୁ ଅର୍ଦ୍ଧଶତକ ପୂରଣ କରି ନିଜ ଉଜ୍ଜ୍ୱଳ ଭବିଷ୍ୟତର ସୂଚନା ଦେଇଥିଲେ କେରଳର ଏହି ୨୦ ବର୍ଷୀୟ ଯୁବ ବ୍ୟାଟ୍ସମ୍ୟାନ। ଅଭିଜ୍ଞ ଅଷ୍ଟ୍ରେଲୀୟ ଖେଳାଳି ଆରୋନ ଫିଞ୍ଚ୍‌ଙ୍କ ସହ ସେ ଓପନିଂ ଯୋଡ଼ିରେ ୬୬ ବଲ୍‌ରୁ ୯୦ ରନ ଯୋଗ କରିବାପରେ ବିଜୟ ଶଙ୍କରଙ୍କ ବଲ୍‌ରେ ଆଉଟ ହୋଇଥିଲେ। ୪୨ଟି ବଲ୍‌ର ସମ୍ମୁଖୀନ ହୋଇଥିବା ପଡିକାଲ ମୋଟ ୫୬ ରନ କରି ବିଜୟ ଶଙ୍କରଙ୍କ ବଲ୍‌ରେ କ୍ଲିନ୍‌ ବୋଲ୍ଡ ହୋଇ ଯାଇଥିଲେ। ଭଲ ଆରମ୍ଭ କରିଥିଲେ ହେଁ ଫିଞ୍ଚ୍‌ ତାହାକୁ ବଡ଼ ସ୍କୋରରେ ପରିଣତ କରିପାରି ନ ଥିଲେ। ସେ ୨୭ ବଲ୍‌ରୁ ୧ ଚୌକା ଓ ୨ ଛକା ସହାୟତାରେ ୨୯ ରନ କରି ପାରିଥିଲେ। ଅଧିନାୟକ ବିରାଟ କୋହଲି ମାତ୍ର ୧୪(୧୩ ବଲ୍‌)ରେ ଆଉଟ ହେବା ରୟାଲ ଚ୍ୟାଲେଞ୍ଜର୍ସ ପାଇଁ ଶକ୍ତ ଝଟ୍‌କା ସଦୃଶ ହୋଇଥିଲା। କୋହଲିଙ୍କୁ ରଶିଦ ଖାଁଙ୍କ ହାତରେ କ୍ୟାଚ କରାଇ ବଡ଼ ଅନୁଭୂତି ଲାଭ କରିଥିଲେ ବାମହାତୀ ପେସର ଟି. ନଟରାଜନ। ଅଧିନାୟକଙ୍କ ଶୀଘ୍ର ବିଦାୟ ଫଳରେ ଦଳର ବଡ଼ ସ୍କୋର ଆଶା ମଉଳିଥିଲା। ତେବେ ଏବି ଡିଭିଲର୍ସ ସ୍ବାଭାବିକ ଢଙ୍ଗରେ ବିସ୍ଫୋରକ ଅର୍ଦ୍ଧଶତକ ହାସଲ କରିବାରୁ ଦଳ ୧୬୩ ରନର ଏକ ସମ୍ମାନ ଜନକ ସ୍କୋର କରି ପାରିଥିଲା। ୩୦ଟି ବଲ୍‌ର ସମ୍ମୁଖୀନ ହୋଇଥିବା ଏବି ୪ ଚୌକା ଓ ୨ ଛକା ସହାୟତାରେ ୫୧ ରନ ସ୍କୋର କରିଥିଲେ। ଭୁବନେଶ୍ୱର କୁମାର ତଥା ଇନିଂସର ଅନ୍ତିମ ଓଭରର ୩ୟ ବଲ୍‌ରେ ୨ ରନ ନେବାକୁ ଯାଇ ରନଆଉଟ ହୋଇ ଯାଇଥିଲେ ଏହି ଦକ୍ଷିଣ ଆଫ୍ରିକୀୟ ଖେଳାଳି। ଶିବମ୍‌ ଦୁବେଙ୍କ ବ୍ୟାଟ୍‌ରେ ବଲ୍‌ ଠିକ୍‌ଭାବେ ସଂଯୋଗ ହୋଇ ନ ଥିଲା। ଶେଷ ଭାଗରେ ବଡ଼ ଶଟ୍‌ ଆବଶ୍ୟକ ହେଉଥିବାବେଳେ ସେ ୮ ବଲ୍‌ ଖେଳ ମାତ୍ର ୭ ରନ କରିବାକୁ ସକ୍ଷମ ହୋଇଥିଲେ। ୨୦ତମ ଓଭରର ଅନ୍ତିମ ବଲ୍‌ ସହ ବ୍ୟାଟ୍‌ ବାଜି ନ ଥିଲେ ହେଁ ସେ ରନ୍‌ ନେବାକୁ ଚେଷ୍ଟା କରିଥିଲେ। ତେବେ ନନ୍‌ ଷ୍ଟ୍ରାଇକର ଜୋଶ୍‌ ଫିଲିପ୍‌ ଆଗ୍ରହ ଦେଖାଇ ନ ଥିଲେ। ଫଳରେ ଶିବମ୍‌ଙ୍କୁ ଉଇକେଟ କିପର ଜନି ବେୟାରଷ୍ଟୋ ରନଆଉଟ କରି ଦେଇଥିଲେ। ପ୍ରତିପକ୍ଷ ଅଧିନାୟକ ଡେଭିଡ ଓ୍ବାର୍ନର ୭ ବୋଲରଙ୍କୁ ଆକ୍ରମଣରେ ଲଗାଇଥିଲେ। ସେମାନଙ୍କ ମଧ୍ୟରୁ ନଟରାଜନ, ବିଜୟ ଶଙ୍କର ଓ ଅଭିଷେକ ଶର୍ମା ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ମିଚେଲ ମାର୍ଶ ଆହତ
ମ୍ୟାଚରେ ବୋଲିଂ ଅବସରରେ ଆହତ ହୋଇଛନ୍ତି ସନ୍‌ରାଇଜର୍ସର ଅଷ୍ଟ୍ରେଲିଆନ ବୋଲର ମିଚେଲ ମାର୍ଶ। ବାଙ୍ଗାଲୋର ଇନିଂସର ୫ମ ଓଭରରେ ଫଲୋଥ୍ରୁରେ ବଲ୍‌ ରୋକିବାକୁ ଉଦ୍ୟମ କରୁଥିବାବେଳେ ତାଙ୍କ ଗୋଇଠି ମକଚି ହୋଇ ଯାଇଥିଲା। ଫଳରେ ସେ ତତ୍‌କ୍ଷଣାତ ପଡ଼ିଆ ଛାଡ଼ିଥିଲେ। ସେ ମାତ୍ର ୪ଟି ବଲ୍‌ ପକାଇଥିବାରୁ ଅବଶିଷ୍ଟ ୨ଟି ବଲ୍‌ ପକାଇ ବିଜୟ ଶଙ୍କର ଓଭର ପୂରଣ କରିଥିଲେ। ବ୍ୟାଟିଂ ସମୟରେ ଦଳର ୮ମ ଉଇକେଟ ପତନ ପରେ କ୍ରିଜ୍‌କୁ ଆସିଥିଲେ ହେଁ ଡକ୍‌(୦)ରେ ଆଉଟ ହୋଇଥିଲେ।
ସଂକ୍ଷିପ୍ତ ସ୍କୋର
ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୨୦ ଓଭରରେ ୧୬୩/୫(ପଡିକାଲ-୫୬, ଡିଭିଲର୍ସ-୫୧, ଫିଞ୍ଚ୍‌-୨୯, ନଟରାଜନ-୧/୩୪, ବିଜୟ ଶଙ୍କର-୧/୧୪, ଅଭିଷେକ-୧/୧୬)। ସନ୍‌ରାଇଜର୍ସ ହାଇଦ୍ରାବାଦ ୧୯.୪ ଓଭରରେ ୧୫୩/ଅଲଆଉଟ (ବେୟାରଷ୍ଟୋ-୬୧, ମନୀଷ-୩୪, ଚହଲ-୩/୧୮, ନବଦୀପ-୨/୨୫, ଶିବମ-୨/୧୫, ଡେଲ୍‌ ଷ୍ଟେଇନ୍‌-୧/୩୩)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି-୨୦ ବିଶ୍ୱକପରୁ ବାଦ୍‌ ପଡିଲେ ଏହି ୩ ଷ୍ଟାର ଖେଳାଳି, ଆଇପିଏଲ ନିଲାମରେ କୋଟି କୋଟି ଟଙ୍କା ମିଳି ମଧ୍ୟ…

ନୂଆଦିଲ୍ଲୀ,୩୦।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଇଂଲଣ୍ଡର ଦଳ ଘୋଷଣା କରାଯାଇଛି। ଇସିବି ଅସ୍ଥାୟୀ ଦଳ ପ୍ରକାଶ କରିଛି। ଦଳରେ ହ୍ୟାରି ବ୍ରୁକ (ଅଧିନାୟକ), ଜୋଫ୍ରା...

ବଲିଉଡ ଅଭିନେତ୍ରୀଙ୍କ ବିସ୍ଫୋରକ ବୟାନ, ବିବାହିତ ସୂରିୟାଙ୍କୁ ନେଇ ଚର୍ଚ୍ଚା

ମୁମ୍ବାଇ,୩୦।୧୨: ଭାରତୀୟ ଟି-୨୦ କ୍ରିକେଟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ଚାଞ୍ଚଲ୍ୟକର ଦାବି କରିଛନ୍ତି ବଲିଉଡ ଅଭିନେତ୍ରୀ। ପୂର୍ବରୁ ଅନେକ ଅଭିନେତ୍ରୀଙ୍କ ସହିତ କ୍ରିକେଟରଙ୍କ...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କଲା ଇଂଲଣ୍ଡ, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୩୦।୧୨: ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB) ଭାରତରେ ହେବାକୁ ଥିବା ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଏହାର ଦଳ ଘୋଷଣା କରିଛି। ଆଶ୍ଚର୍ଯ୍ୟଜନକ...

ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦେହାନ୍ତ ଯୋଗୁ ହଠାତ୍‌ ସ୍ଥଗିତ ରହିଲା ୨ଟି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌

ଢାକା,୩୦।୧୨: ଆଜି ସକାଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ପରଲୋକ ଯୋଗୁ ବାଂଲାଦେଶ କ୍ରିକେଟ ବୋର୍ଡ ମଙ୍ଗଳବାର, ଡିସେମ୍ବର ୩୦, ୨୦୨୫ରେ ହେବାକୁ ଥିବା ଉଭୟ...

IPL 2026 ପୂର୍ବରୁ CSKକୁ ବଡ଼ ଝଟକା!

ନୂଆଦିଲ୍ଲୀ,୩୦।୧୨:ଝାଡ଼ଖଣ୍ଡ ଏବଂ ପୁଡୁଚେରୀ ବିଜୟ ହଜାରେ ଟ୍ରଫି ୨୦୨୫-୨୫ର ଗ୍ରୁପ ପର୍ଯ୍ୟାୟରେ ସୋମବାର, ଡିସେମ୍ବର ୨୯, ୨୦୨୫ରେ ମୁହାଁମୁହିଁ ହୋଇଥିଲେ, ଯେଉଁଥିରେ ଝାଡ଼ଖଣ୍ଡ ୧୨୩ ରନର...

ଗୌତମ ଗମ୍ଭୀରଙ୍କର ହେବ ନାହିଁ କୌଣସି କ୍ଷତି, ସମର୍ଥନରେ ବାହାରିଲେ ବିସିସିଆଇ ଅଧିକାରୀ

ନୂଆଦିଲ୍ଲୀ,୩୦।୧୨: ଘରୋଇ ଟେଷ୍ଟ ସିରିଜରେ ବିପର୍ଯ୍ୟୟଜନକ ପରାଜୟ ପରେ, ଭାରତୀୟ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ନେଇ ଅନେକ କଳ୍ପନାଜଳ୍ପନା ଚାଲିଛି। ରିପୋର୍ଟରେ ଏହା ମଧ୍ୟ...

ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ୍‌ ପୂର୍ବରୁ ହଠାତ୍‌ ସନ୍ନ୍ୟାସ ନେଇ ଚମକାଇଲେ ଏହି ଅଲରାଉଣ୍ଡର, କ୍ରିକେଟ ଜଗତରେ ଚହଳ

ନୂଆଦିଲ୍ଲୀ,୨୯।୧୨: ନ୍ୟୁଜିଲାଣ୍ଡର ଅଲରାଉଣ୍ଡର ଡଗ ବ୍ରାସୱେଲ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି। ବ୍ରାସୱେଲ ୬୯ଟି ଅନ୍ତର୍ଜାତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡ ଦଳର ପ୍ରତିନିଧିତ୍ୱ କରିଥିଲେ, ୧୨୦...

ମେଲବୋର୍ନ ପିଚ୍‌କୁ ନେଇ ବଢିଲା ଅସନ୍ତୋଷ: ମିଳିଲା ଡିମେରିଟ୍‌ ପଏଣ୍ଟ

ଦୁବାଇ, ୨୯ା୧୨: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଚତୁର୍ଥ ଆଶେସ ଟେଷ୍ଟ ଖେଳାଯାଇଥିବା ମେଲବୋର୍ନ ପିଚ୍‌କୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଶୃଙ୍ଖଳାଗତ ପଦକ୍ଷେପ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri