ଆଇଓସିଏଲ୍‌ ବସାଇବ ଗ୍ରାସ୍‌ରୁଟ ନିଡେଲ କୋକର ୟୁନିଟ୍‌

ଭୁବନେଶ୍ୱର,୩ା୯ : ଇଣ୍ଡିଆନ ଅଏଲ୍‌ କର୍ପୋରେଶନ ଲିମିଟେଡ(ଆଇଓସିଏଲ୍‌) ପକ୍ଷରୁ ଏହାର ପାରାଦୀପ ରିଫାଇନେରିଠାରେ ଗ୍ରାସ୍‌ରୁଟ୍‌ ନିଡେଲ କୋକର ୟୁନିଟ୍‌ ସ୍ଥାପନ କରାଯିବ। କମ୍ପାନୀ ବୋର୍ଡ ଏ ନେଇ ପ୍ରଥମ ପର୍ଯ୍ୟାୟ କାର୍ଯ୍ୟଧାରାକୁ ନିକଟରେ ମଞ୍ଜୁରୀ ପ୍ରଦାନ କରିଛି। ନିଜସ୍ବ ଗବେଷଣା ଏବଂ ବିକାଶ ବିଭାଗର ଜ୍ଞାନକୌଶଳକୁ ଉପଯୋଗ କରି କମ୍ପାନୀ ଏହି ୟୁନିଟ ସ୍ଥାପନ କରିବ ବୋଲି ଜଣାପଡିଛି। ଉକ୍ତ ଯୋଜନାରେ ପ୍ରାୟ ୧୨୬୮ କୋଟି ଟଙ୍କାର ପୁଞ୍ଜି ବିନିଯୋଗ ହେବ। ପ୍ରଧାନମନ୍ତ୍ରୀଙ୍କ ପୂର୍ବଭାରତ ବିକାଶ ଯୋଜନାରେ ଏଭଳି କାର୍ଯ୍ୟପନ୍ଥା ହାତକୁ ନିଆଯାଇଥିବା ଆଇଓସିଏଲ୍‌ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରସ୍ତାବିତ ୟୁନିଟ୍‌ର କାଲ୍‌ସାଇନ୍‌ଡ ନିଡେଲ କୋକ୍‌ (ସିଏନ୍‌ସି)ର ବାର୍ଷିକ ଉତ୍ପାଦନ କ୍ଷମତା ୫୬ କିଲୋଟନ୍‌ ରହିବ। ସିଏନ୍‌ସି ଉତ୍ପାଦନ ସହ ଏହି ବର୍ଗରେ କମ୍ପାନୀ ପ୍ରଥମ ଥର ଲାଗି ପ୍ରବେଶ କରିବ। ପ୍ରସ୍ତାବିତ ୟୁନିଟ୍‌ ଯୋଗୁ ପାରାଦୀପ ତୈଳ ବିଶୋଧନାଗାରର ଲାଭ ବୃଦ୍ଧି ପାଇବ ବୋଲି କମ୍ପାନୀର ଅଧ୍ୟକ୍ଷ ଏମ୍‌.ଏସ୍‌.ବୈଦ୍ୟ ସୂଚନା ଦେଇଛନ୍ତି। ୟୁନିଟ୍‌ କାର୍ଯ୍ୟକ୍ଷମ ହେଲେ ଉତ୍ପାଦନ ନିର୍ଭରତା କମିବା ସହ କମ୍ପାନୀ ଆତ୍ମନିର୍ଭର ହୋଇପାରିବ ବୋଲି ସେ ମତ ପ୍ରକାଶ କରିଛନ୍ତି।