ଖୋର୍ଦ୍ଧା ଝିଅ ସମୀକ୍ଷାଙ୍କୁ ଆମନ୍ତ୍ରଣ

ଖୋର୍ଦ୍ଧା ଅଫିସ, ୯ା୮: ଅନ୍ତର୍ଜାତୀୟ ଚିତ୍ରକଳା ପ୍ରତିଯୋଗିତାରେ ଖୋର୍ଦ୍ଧାର ଝିଅ ସୁଶ୍ରୀ ସମୀକ୍ଷା ପଣ୍ଡା ଭାଗ ନେବେ। ସମୀକ୍ଷାଙ୍କୁ ଆମନ୍ତ୍ରଣ କରିଛନ୍ତି ଇଂଲଣ୍ଡ କ୍ରିକେଟ ଦଳର ଅଧିନାୟକ ଜୋ ରୁଟ୍‌। ଏହି ପ୍ରତିଯୋଗିତାରେ ବିଶ୍ୱର ୧୦ ଦେଶରୁ ୩ଶହ ପ୍ରତିଯୋଗୀ ଅଂଶଗ୍ରହଣ କରିବେ। ଏଥିରେ ଭାରତରୁ ଏକମାତ୍ର ପ୍ରତିଯୋଗୀ ଭାବେ ଓଡ଼ିଆ ଝିଅ ସମୀକ୍ଷା ସାମିଲ ହେବେ। ଏଥିଲାଗି ସମୀକ୍ଷାଙ୍କୁ ପ୍ରଖ୍ୟାତ ଚଳଚ୍ଚିତ୍ର ଅଭିନେତା ଅମିତାଭ ବଚ୍ଚନ, ଶାହରୁଖ ଖାନ୍‌, ସଲମାନ ଖାନ୍‌, ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି, ଟୋକିଓ ଅଲିମ୍ପିକ୍ସରେ ସ୍ବର୍ଣ୍ଣପଦକ ବିଜେତା ନୀରଜ ଚୋପ୍ରା ଏବଂ ବ୍ରୋଞ୍ଜପଦକ ବିଜେତା ପି. ଭି. ସିନ୍ଧୁଙ୍କ ପରି ଅନେକ ସେଲିବ୍ରିଟି ଶୁଭେଚ୍ଛା ଜଣାଇଛନ୍ତି। ସମୀକ୍ଷା ନିଜ କାନ୍‌ଭାସ୍‌ରେ ସେଲିବ୍ରିଟିମାନଙ୍କ ଫଟୋ ଅତି ନିଖୁଣ ଭାବେ ଆଙ୍କି ସେମାନଙ୍କ ପ୍ରଶଂସକ (ଫ୍ୟାନ୍‌) ପାଲଟି ଯାଇଛନ୍ତି।
ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ୍‌ ଅଗ୍ରୱାଲଙ୍କ ଚିତ୍ର ଆଙ୍କି ପ୍ରଂଶସା ସାଉଁଟିଥିଲେ ସମୀକ୍ଷା। ନିଜ ଚିତ୍ର ଦେଖିବା ପରେ ସମୀକ୍ଷାଙ୍କ ଫ୍ୟାନ୍‌ ହୋଇଯାଇଥିଲେ ଲବ୍‌। ଏହି ପ୍ରତିଯୋଗିତାକୁ ସମୀକ୍ଷାଙ୍କୁ ପଠାଇବା ପାଇଁ ଲବ୍‌ଙ୍କ ସମେତ ଆଇସିଏମ୍‌ଆର୍‌ ମୁଖ୍ୟ ବଳରାମ ଭାର୍ଗବ ଉଦ୍ୟମ କରିଛନ୍ତି। ଏନେଇ ସମୀକ୍ଷା କହିଛନ୍ତି, ମୁଁ ଅତ୍ୟନ୍ତ ଖୁସି। ଅନ୍ତଜାର୍ତୀୟ ଆର୍ଟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବି ବୋଲି ଆଶା କରି ନ ଥିଲି। ଆନ୍ତର୍ଜାତୀୟ ଚିତ୍ରଶିଳ୍ପୀଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବା ସହଜ କଥା ନୁହେଁ। ଏଥିରେ ପ୍ରଥମ ତିନିଜଣଙ୍କ ମଧ୍ୟରେ ନ ଆସିଲେ ବି ଟପ୍‌ ଟେନ୍‌ରେ ରହିବାକୁ ଚେଷ୍ଟା କରିବି। ଭାରତରୁ ମୁଁ ଏକମାତ୍ର ପ୍ରତିଯୋଗୀ ଭାବେ ମନୋନୀତ ହୋଇଥିବା ଜାଣିବା ପରେ ଅତ୍ୟନ୍ତ ଖୁସି ଅଛି। ଏଥିଲାଗି ମୁଁ ନିଜକୁ ପ୍ରସ୍ତୁତ କରୁଛି। ଲବ୍‌ ଅଗ୍ରୱାଲ ମୋତେ ଏକ ଭିଡିଓ ମେସେଜ କରିଥିଲେ, ଯେଉଁଥିରେ ଜୋ ରୁଟ୍‌ ଅନ୍ତର୍ଜାତୀୟ ଚିତ୍ରକଳା ପ୍ରତିଯୋଗିତାରେ ଭାଗନେବାକୁ ଆମନ୍ତ୍ରଣ କରିଛନ୍ତି। ପ୍ରଥମେ ମୁଁ ଏହାକୁ ବିଶ୍ୱାସ କରିପାରି ନ ଥିଲି। ଏକଥା ପରିବାର ଲୋକଙ୍କୁ ଜଣାଇଥିଲି। ପରେ ଲବ୍‌ ଅଗ୍ରୱାଲଙ୍କ ସହ କଥା ହୋଇଥିଲି। ସେ କହିଲେ, ଏହି ପ୍ରତିଯୋଗିତାରେ ସଫଳତା ହାସଲ କରିବା ଯେତିକି ଗୁରୁତ୍ୱପୂର୍ଣ୍ଣ ନୁହେଁ, ତୁମ ଭାଗନେବା ତା’ଠୁ ଅଧିକ ଗୁରୁତ୍ୱ ବହନ କରେ। ପୂର୍ବରୁ ଏକ ଟିମ୍‌ ସହ ଅନ୍ତର୍ଜାତୀୟସ୍ତରରେ ଆୟୋଜିତ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାର ସୁଯୋଗ ପାଇଛି। ପ୍ରଥମ ଥର ପାଇଁ ଏକାକୀ ଜଣେ ଭାରତୀୟ ଭାବେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ ଲାଗି ମନୋନୀତ ହେବା ପରେ ମୁଁ ଉତ୍ସାହିତ। ଦିନକୁ ପାଠପଢ଼ା ସହ ୨ରୁ ୩ ଘଣ୍ଟା ଚିତ୍ର ଅଭ୍ୟାସ କରେ। ପିଲାବେଳୁ ଏଥିପ୍ରତି ମୋର ଆଗ୍ରହ ରହିଥିଲା। ଏବେ ତାହା ସଫଳ ହୋଇଛି।