ଘାଇ ପଛର କାରଣ ଜାଣିବା ପାଇଁ ଆରମ୍ଭ ହେଲା ତନାଘନା

ଭବାନୀପାଟଣା/କୋକସରା,୧ା୮(ସ୍ବ.ପ୍ର/ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ମାଝିଗୁଡ଼ା ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ଇନ୍ଦ୍ରାବତୀ ମେଗା ଲିଫ୍ଟ କେନାଲରେ ଘାଇ ସୃଷ୍ଟି ହୋଇଥିଲା। ରବିବାର ଘଟଣାର ତଦନ୍ତ ପାଇଁ ଭୁବନେଶ୍ୱରରୁ ବିଭାଗୀୟ ଉଚ୍ଚପଦସ୍ତ ଅଧିକାରୀଙ୍କ ସମେତ ଇନ୍ଦ୍ରାବତୀ ଓ ଏଲ୍‌ଏଣ୍ଡଟି ଠିକା ସଂସ୍ଥା ଅଧିକାରୀ ପହଞ୍ଚତ୍ ସ୍ଥିତି ଅନୁଧ୍ୟାନ କରିଛନ୍ତି। କେଉଁ କାରଣରୁ କେନାଲ ହୁଡା ଭାଙ୍ଗିଲା ତାହା ଉପରେ ତଦନ୍ତ କରି ଫେରିଛନ୍ତି। ଭୁବନେଶ୍ୱରରୁ ଆସିଥିବା ଅଧିକାରୀ ଇଣ୍ଟରନାଲ ଇଞ୍ଜିନିୟର ଇନ୍‌ ଚିଫ୍‌ ସଚିବ ଭିଜିଲାନ୍ସ ଅସିମ କୁମାର ମହାପାତ୍ର, ଚିଫ୍‌ ଇଞ୍ଜିନିୟର କ୍ବାଲିଟି କଣ୍ଟ୍ରୋଲ ବ୍ରଜ ପରିଡା, ଅତିରିକ୍ତ ଚିଫ୍‌ ଇଞ୍ଜିନିୟର ଇନ୍ଦ୍ରାବତୀ ବିଭୁଚରଣ ମିଶ୍ର, ଅତିରିକ୍ତ ଚିଫ୍‌ ଇଞ୍ଜିନିୟର ୫ଟି ନୋଡାଲ ଅଧିକାରୀ ପଦ୍ମନାଭ ପଣ୍ଡା, ମେଗାଲିଫ୍ଟ କେନାଲ ନିର୍ବାହୀ ଯନ୍ତ୍ରୀ ଅଜିତ କୁମାର ପାତ୍ର ପ୍ରମୁଖ ଭାଙ୍ଗିଥିବା ଘାଇ ପରିଦର୍ଶନ କରିବା ସହ କ୍ଷତିଗ୍ରସ୍ତ ଅଞ୍ଚଳ ମଧ୍ୟ ବୁଲି ଦେଖିଥିଲେ। ୨ ଦିନ ମଧ୍ୟରେ କେନାଲ ଘାଇ ମରାମତି କରି କେନାଲରେ ପାଣି ଛାଡିବା ପ୍ରକ୍ରିୟା ସ୍ବାଭାବିକ କରିବା ନେଇ ସୂଚନା ଦେଇଛନ୍ତି। କେନାଲ ହୁଡା ଭାଙ୍ଗିବା ପଛରେ କାରଣ ଖୋଜିବା ସହ ଯେଉଁ ଅଧିକାରୀ ଦାୟିତ୍ୱରେ ଅବହେଳା କରିଛନ୍ତି ତାଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।