ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ବେହାଲ ଦିଗପହଣ୍ଡି : ମୁଖ୍ୟ ରାସ୍ତାରେ ୩ ଫୁଟ୍‌ର ପାଣି, ବ୍ୟାଙ୍କ୍‌- ଘରେ ପଶିଲା ନର୍ଦ୍ଦମା ଜଳ

ଦିଗପହଣ୍ଡି, ୨୮।୧୦(ଅଶେଷ ନାଥ ମିଶ୍ର): ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ତୁହାକୁ ତୁହା ମୁଷଳଧାରାରେ ଲଗାଣ ବର୍ଷା ଯୋଗୁ ବୁଧବାର ଦିଗପହଣ୍ଡି ସହର ସମ୍ପୂର୍ଣ୍ଣ ଉବୁଟୁବୁ ହୋଇପଡ଼ିଛି। ବିଶେଷକରି ସହରର ବସଷ୍ଟାଣ୍ଡ, ୨ ନମ୍ବର ୱାର୍ଡର ସାହାଣୀ ସାହି, ବିଷ୍ଣୁପ୍ରିୟା ନଗର, କାଳିଆ ନଗର ଓ ଲକ୍ଷ୍ମୀନୃସିଂହ ନଗରର ବାସିନ୍ଦା ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ଗୁରୁବାର ମଧ୍ୟ ପ୍ରବଳ ବର୍ଷା ଜାରି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ସତର୍କ ସୂଚନା ଦିଆଯାଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଆତଙ୍କର ପରିବେଶ ସୃଷ୍ଟି ହୋଇଛି।

ବ୍ରହ୍ମପୁର ଭାୟା ଦିଗପହଣ୍ଡି ୧୭ ନମ୍ବର ରାଜ୍ୟ ରାଜପଥ—ଯାହା କୋରାପୁଟ, ରାୟଗଡ଼ା, କନ୍ଧମାଳ ଏବଂ ପଡ଼ୋଶୀ ଆନ୍ଧ୍ରପ୍ରଦେଶ, ଛତିଶଗଡ଼କୁ ସଂଯୋଗ କରୁଛି, ସେହି ରାସ୍ତାର ଦିଗପହଣ୍ଡି ବସଷ୍ଟାଣ୍ଡ ନିକଟରେ ପ୍ରାୟ ୩ ଫୁଟ୍‌ର ବର୍ଷାଜଳ ପ୍ରବାହିତ ହୋଇଛି। ଫଳରେ ରାସ୍ତାକଡ଼ରେ ଥିବା ୨ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ, ଏଟିଏମ୍, ବ୍ୟବସାୟିକ ପ୍ରତିଷ୍ଠାନ ଓ ଆବାସିକ ଘରଗୁଡ଼ିକରେ ଆଣ୍ଠୁଏ ଲେଖାଏଁ ନର୍ଦ୍ଦମା ପାଣି ପଶିଯାଇଛି। ସେହିପରି ଦିଗପହଣ୍ଡି-ଚିକିଟି ରାସ୍ତାର ଦଳିତ ସାହି ନିକଟରେ ୨ ଫୁଟ ଉଚ୍ଚର ପାଣି ଚାଲୁଥିବାରୁ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲା।

ପ୍ରବଳ ପବନ ଯୋଗୁ ଦିଗପହଣ୍ଡି-ଚିକିଟି ରାସ୍ତାର ପଦ୍ମନାଭପୁର ଶ୍ରୀ ଶନିମନ୍ଦିର ନିକଟରେ ଏକ ବିରାଟ ଗଛ ଉପୁଡ଼ି ପଡ଼ିବାରୁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଖବର ପାଇ ଦିଗପହଣ୍ଡି ଅଗ୍ନିଶମ ବାହିନୀ ପୂର୍ବାହ୍ନ ପ୍ରାୟ ୧୧ଟାରେ ଘଟଣାସ୍ଥଳରେ ପହଞ୍ଚି କଟର ମେସିନ୍ ସାହାଯ୍ୟରେ ଗଛ ଗଣ୍ଡି କାଟି ରାସ୍ତା ସାଫ୍ କରିବା ପରେ ଗମନାଗମନ ସ୍ୱାଭାବିକ ହୋଇଥିଲା।

ସୂଚନାଯୋଗ୍ୟ, ଗତ ମାସରେ ହୋଇଥିବା ଲଘୁଚାପ ବର୍ଷାରେ ମଧ୍ୟ ସମାନ ସ୍ଥିତି ଉପୁଜିଥିଲା। ସେତେବେଳେ ସ୍ଥାନୀୟ ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର, ବ୍ରହ୍ମପୁର ସାଂସଦ ଡ. ପ୍ରଦୀପ କୁମାର ପାଣିଗ୍ରାହୀ, ତହସିଲଦାର ଓ ପୂର୍ତ୍ତ ବିଭାଗ ଅଧିକାରୀମାନେ ପହଞ୍ଚି ଜଳ ନିଷ୍କାସନ ପାଇଁ ତୁରନ୍ତ ବ୍ରିଜ୍ ନିର୍ମାଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିବାରୁ ସ୍ଥାନୀୟ ବାସିନ୍ଦା ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି।

ଏହି ସମସ୍ୟା ନେଇ ତହସିଲଦାର ସନ୍ତୋଷ କୁମାର ସାହୁ କହିଛନ୍ତି ଯେ, ସୁଦୃଢ଼ ଡ୍ରେନେଜ୍ ବ୍ୟବସ୍ଥା ନଥିବାରୁ ପାହାଡ଼ି ଅଞ୍ଚଳ ଓ ପ୍ରାୟ ୫୦୦ ଏକର ଜମିର ବର୍ଷାଜଳ ବସଷ୍ଟାଣ୍ଡ ଅଞ୍ଚଳରେ ଜମା ହେଉଛି। ସ୍ଥାନୀୟ ଜମି ମାଫିଆ, ପ୍ଲଟ ବ୍ୟବସାୟୀ ଓ ପ୍ରଭାବଶାଳୀ ବ୍ୟକ୍ତିମାନେ ପ୍ରାକୃତିକ ଜଳଉତ୍ସ, ସରକାରୀ ପାଣି ନାଳ, ଗୋଚର ଓ ଶାଖା କେନାଲଗୁଡ଼ିକୁ ଜବରଦଖଲ କରି କୋଠା ନିର୍ମାଣ କରିଥିବାରୁ ଏହି କୃତ୍ରିମ ଜଳବନ୍ଦୀ ସୃଷ୍ଟି ହୋଇଛି। ତେବେ ବୈଷୟିକ ଟିମ୍ ସହାୟତାରେ ଏକ ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରାଯାଉଥିବା ସେ ପ୍ରକାଶ କରିଛନ୍ତି।

ଅପରପକ୍ଷରେ ଦିଗପହଣ୍ଡି ବିଡ଼ିଓ ଅନାମିକା ପାଣ୍ଡେ, ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର ଏବଂ କାଉନସିଲର ସୁଶାନ୍ତ କୁମାର ପାତ୍ର ପ୍ରଭାବିତ ଅଞ୍ଚଳ ବୁଲି ଦେଖିବା ସହ ପମ୍ପ୍ ସାହାଯ୍ୟରେ ଜଳ ନିଷ୍କାସନ ପାଇଁ ପ୍ରଚେଷ୍ଟା ଜାରି ରଖିଛନ୍ତି।

Dharitri – Odisha’s No.1 Odia Daily

Share