ନିଶାର ଦଶା

ଡ. ସତ୍ୟନାରାୟଣ ମିଶ୍ର

ଆଧୁନିକ ସଭ୍ୟତାରେ ନିଶା ସେବନ ହେଉଛି ଏକ ମାରାତ୍ମକ ସାମାଜିକ ବ୍ୟାଧି ଓ ଅପରାଧ। ଏହା କର୍କଟ ରୋଗ ଭଳି ଦିନକୁ ଦିନ କାୟା ବିସ୍ତାରକରି ଅନେକଙ୍କୁ ଆକ୍ରାନ୍ତ କରୁଛି। ନିଶା ହେଉଛି ଅକାଳ ମୃତ୍ୟୁର ନିମନ୍ତ୍ରଣ ପତ୍ର। ଏଥିରେ ଥରେ ନିମର୍ଜିତ ହେଲେ ସେଥିରୁ ମୁକୁଳିବା ଅସମ୍ଭବ ହୋଇଥାଏ। ତେଣୁ ନିଶା ସେବନ ଦ୍ୱାରା ବିଶେଷତଃ ସର୍ବାଦୌ ନିଜର ଧ୍ୱଂସ ହୋଇଥାଏ ଓ ତତ୍ପରେ ପରିବାରର। ପୁରାତନ ଯୁଗରେ ନିଶାକୁ ଜୀବନ ବଞ୍ଚାଇବା ପାଇଁ ଔଷଧ ରୂପେ ମାତ୍ରା ଅନୁଯାୟୀ ବ୍ୟବହାର କରାଯାଉଥିଲା। ରୋଗୀର ବ୍ୟଥାକୁ ଉପଶମ କରିବା ନିମନ୍ତେ ନିଶା ବ୍ୟବହାର କରାଯାଉଥିଲା। ସେତେବେଳେ ନିଶାର ଅପବ୍ୟବହାର କରାଯାଉ ନ ଥିଲା। ମାତ୍ର ବର୍ତ୍ତମାନ ନିଶା ଦ୍ୱାରା ମଣିଷ ଆକ୍ରାନ୍ତ ଓ ଶରୀର ରକ୍ଷା ପରିବର୍ତ୍ତେ ଶରୀରକୁ ବିସର୍ଜନ ପାଇଁ ନିଶା ଏକ ମାଧ୍ୟମ।
ଆଧୁନିକ ସହର ଜୀବନଶୈଳୀରେ ନିଜକୁ ଅତ୍ୟଧିକ ଆଧୁନିକତାର ସ୍ପର୍ଶରେ ମଣିଷ ନିଶା ସେବନକୁ ଜୀବନର ଏକ ବିଶେଷ ଅଙ୍ଗ ବୋଲି ମଣୁଥିବା ବେଳେ ଗ୍ରାମ୍ୟ ଜୀବନରେ ମଧ୍ୟ ଏହାର ପ୍ରଭାବ କିଛି କିଛି ମାତ୍ରାରେ ପରିଲକ୍ଷିତ ହେଲାଣି। ନିଶାସକ୍ତର ନମୁନା ଭାବରେ ଭାରତର ୮୮% ହେରୋଇନ ବ୍ୟବହାର କରୁଥିବା ନିଶାସକ୍ତ ବ୍ୟକ୍ତିମାନେ ହେଉଛନ୍ତି ୧୪ରୁ ୨୫ ବର୍ଷ ବୟସର ବ୍ୟକ୍ତିମାନେ। ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଯେଉଁ ସମୟରେ ଜ୍ଞାନ ଆହରଣ କରି ଭବିଷ୍ୟତ ନିର୍ମାଣ କରିବା ସମୟ ଉକ୍ତ ସମୟରେ ଉକ୍ତ ବର୍ଗର ଛାତ୍ର ଛାତ୍ରୀମାନେ ନିଶାର କରାଳ କାୟା ଦ୍ୱାରା କବଳିତ। ପୂର୍ବେ ଯୌଥ ପରିବାରରେ ମଣିଷ ପରିବାର ମଧ୍ୟରେ ଶାସନ ଓ ଅନୁଶାସନର ଶୃଙ୍ଖଳା ମଧ୍ୟରେ ଜୀବନ ନିର୍ବାହ କରୁଥିଲା ଓ ପରିବାରର ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କୁ ଯଥାମାନ୍ୟକରି ଶୃଙ୍ଖଳାର ଆଜ୍ଞା ପାଳନ କରୁଥିଲା, ମାତ୍ର ଯେତେବେଳେ ଯୌଥ ପରିବାରରୁ ଏକାଙ୍ଗୀ ପରିବାରରେ ମଣିଷ ଜୀବନ ନିର୍ବାହ କଲା, ସେତେବେଳେ ସେ ନିଜକୁ ନିଜେ ସ୍ବେଚ୍ଛାଚାରିତା ମଧ୍ୟରେ ପ୍ରବେଶ କରି ନିଜର ରୋଜଗାରରେ ନିଜେ ସର୍ବମୟ କର୍ତ୍ତା ହୋଇ ନିଶାରେ ନିମର୍ଜିତ ରହିଲା। ମିଳିତ ଜାତିସଂଘର ପୃଷ୍ଠଭୂମିରେ ଆନ୍ତର୍ଜାତିକ ନିଶା ନିୟନ୍ତ୍ରଣ ବୋର୍ଡ ୨୦୧୮ରେ ଏକ ରିପୋର୍ଟ ପ୍ରଦାନ କରିଥିଲେ, ଯେଉଁଥିରେ ଉଲ୍ଲେଖ କରାଯାଇଥିଲା ଯେ, ଭାରତ ହେଉଛି ଅବୈଧ ନିଶା ସେବନ ଓ ବ୍ୟବସାୟର କ୍ଷେତ୍ର। ସମଗ୍ର ପୃଥିବୀର ୬% ବ୍ୟକ୍ତି ଭାରତରେ ଗଞ୍ଜା ବ୍ୟବହାର କରିଥାନ୍ତି, ଯାହା ୨୦୧୬ରେ ୩୦୦ ଟନ ଜବତ ହୋଇଥିଲା ବେଳେ ୨୦୧୭ରେ ୩୫୩ ଟନ ଗଞ୍ଜା ଭାରତରେ ଜବତ କରାଯାଇଥିଲା। ଭାରତରେ ଚରସର ବ୍ୟବହାର ମଧ୍ୟ କମ୍‌ ନୁହେଁ, ଯାହା ୨୦୧୭ରେ ୩.୨ଟନ ଜବତ କରାଯାଇଥିଲା। ବର୍ତ୍ତମାନ ଭାରତରେ ଅଧିକାଂଶ ବ୍ୟକ୍ତି ଇଣ୍ଟରନେଟ ପୃଷ୍ଠଭୂମିର ବ୍ୟବହାର କରି ଅନ୍‌ଲାଇନ ଦ୍ୱାରା ‘ଡାର୍କନେଟ’ ମାଧ୍ୟମରେ ନିଶା ଦ୍ରବ୍ୟର ଉପଲବ୍ଧି ହୋଇପାରୁଛି ଓ ତାହା ଅନାୟାସରେ ନିଶା ସେବନକାରୀ ନିକଟରେ ପହଞ୍ଚି ପାରୁଛି। ପୃଥିବୀରେ ଆଫଗାନିସ୍ତାନ ଓ ମ୍ୟାନ୍‌ମାରରେ ଅଧିକ ପରିମାଣର ନିଶାଦ୍ରବ୍ୟ ଉତ୍ପନ୍ନ ହୋଇଥାଏ। ଭାରତବର୍ଷରେ ଆନୁମାନିକ ୨.୬ କୋଟି ଲୋକ ନିଶା ବ୍ୟବହାର କରିଥାନ୍ତି ଓ ୬୦ ଲକ୍ଷ ବ୍ୟକ୍ତି ନିଶା ସେବନଜନିତ ମାନସିକ ଓ ଶାରୀରିକ ବିକାରଗ୍ରସ୍ତ ହୋଇଥାନ୍ତି। ବିଭିନ୍ନ ନିଶାଗୁଡ଼ିକ ମଧ୍ୟରୁ ମୁଖ୍ୟ ନିଶାଗୁଡ଼ିକ ହେଲା ଚରସ, ହେରୋଇନ, ଅଫିମ, ଗଞ୍ଜା, ଭାଙ୍ଗ। ଭାରତରେ ୬୩ ଲକ୍ଷ ବ୍ୟକ୍ତି ନିଜ ଶରୀରରେ ନିଜକୁ ନିଜେ ଇଞ୍ଜେକ୍ସନ ଦ୍ୱାରା ହେରୋଇନ ଆଦି ନିଶାକୁ ପ୍ରେରଣ କରିଥାନ୍ତି ଓ ଉକ୍ତ ଇଞ୍ଜେକ୍ସନ ଛୁଞ୍ଚିକୁ ଅନ୍ୟମାନଙ୍କୁ ବ୍ୟବହାର କରି ଆନନ୍ଦିତ ହୋଇଥାନ୍ତି; ଯଦ୍ଦ୍ବାରା ଏଡ୍‌ସ, ଏଚ୍‌ଆଇଭି ଭଳି ମାରାତ୍ମକ ରୋଗ ଯଥେଷ୍ଟ ମାତ୍ରାରେ ସଂକ୍ରମିତ ହୋଇଥାଏ। ସେହିପରି ୨୫ ଲକ୍ଷ ବ୍ୟକ୍ତି ଅଫିମ, ୫୦ ଲକ୍ଷ ବ୍ୟକ୍ତି ଗଞ୍ଜା ଓ ୪୦ ଲକ୍ଷ ବ୍ୟକ୍ତି ଭାଙ୍ଗ ଦ୍ୱାରା ଆସକ୍ତ। ଭାରତରେ ୧୬ କୋଟିରୁ ଊର୍ଦ୍ଧ୍ୱ ଲୋକ ମଦ ବ୍ୟବହାର କରିଥାନ୍ତି, ଯାହା ସମାଜରେ ଆଇନ ଶୃଙ୍ଖଳା ରକ୍ଷା କରିବାରେ ବାଧକ ସୃଷ୍ଟି କରିଥାଏ।
ଭାରତକୁ ନିଶା କ୍ଷେତ୍ରରେ ଭୌଗୋଳିକ ଦୃଷ୍ଟିକୋଣରୁ ସୁବର୍ଣ୍ଣ ତ୍ରିକୋଣ ବୋଲି ବିବେଚନା କରାଯାଇଥାଏ କାରଣ ଥାଇଲାଣ୍ଡ, ମ୍ୟାନ୍‌ମାର ଓ ଲାଓସେ ଭଳି ଦେଶରୁ ପ୍ରଚୁର ପରିମାଣରେ ନିଶା ଚୋରା କାରବାର ହୋଇଥାଏ। ପୁନଶ୍ଚ ଭାରତକୁ ନିଶା କ୍ଷେତ୍ରରେ ଗୋଲ୍ଡେନ କ୍ରିସେଣ୍ଟ ବୋଲି କୁହାଯାଏ; କାରଣ ଭାରତ, ପାକିସ୍ତାନ, ଆଫଗାନିସ୍ତାନ ଓ ଇରାନ ଭଳି ଦେଶ ଗୁଡ଼ିକଙ୍କ ଦ୍ୱାରା ନିଶା ବ୍ୟବହାରକାରୀମାନେ ଅନାୟାସରେ ବାହାରକୁ ଯାଇପାରନ୍ତି ଓ ନିଶାର ଚୋରା କାରବାର ଦିନକୁ ଦିନ ବଢ଼ି ବଢ଼ି ଚାଲିଛି। ତେଣୁ ନିଶାରୁ ପ୍ରଚୁର ଅର୍ଥ ସମ୍ବଳ ସଂଗ୍ରହ କରି ଦେଶଗୁଡ଼ିକରେ ଆତଙ୍କବାଦ, ସନ୍ତ୍ରାସବାଦ ଭଳି ମାରାତ୍ମକ ଦେଶଦ୍ରୋହୀ ଗୋଷ୍ଠୀ ସୃଷ୍ଟି ହେଉଛନ୍ତି ଓ ସେମାନଙ୍କର କାୟା ବିସ୍ତାର ହୋଇଚାଲିଛି।
ସମ୍ବିଧାନର ଧାରା ୪୭ ଅନୁଯାୟୀ ରାଜ୍ୟ ସରକାର ଜନସାଧାରଣଙ୍କ ହିତ ନିମନ୍ତେ ମାଦକ ଦ୍ରବ୍ୟ ଓ ନିଶା ସେବନକୁ ଔଷଧ ବ୍ୟବହାର ବ୍ୟତୀତ ଅନ୍ୟ ସମସ୍ତ ବ୍ୟବହାରରେ ସମ୍ପୂର୍ଣ୍ଣ ନିଷେଧ କରି ଦେଇପାରନ୍ତି; ଯାହା ଶରୀର ପ୍ରତି କ୍ଷତିକାରକ ତାହା ବର୍ଜନୀୟ ବୋଲି ଶାସ୍ତ୍ରରେ ନିର୍ଦ୍ଦେଶ ହୋଇଅଛି। ମାତ୍ର ନୀତି ନିୟମର ଧାରା ଏକ ସୁଚିନ୍ତିତ ମାର୍ଗରେ ଅନୁଧାବନ କରୁଥିବା ବେଳେ ତାହାର କାର୍ଯ୍ୟକାରିତା ଓ ପ୍ରୟୋଗ ଭିନ୍ନ ଦିଗରେ ହୋଇଥାଏ। ତେବେ ନିଶାସେବନ ପାଇଁ ସରକାରଙ୍କ କେତେକ ନିୟମାବଳୀ ନିର୍ଦ୍ଧାରିତ ହୋଇଥାଏ, ଯାହା ଦେଶର ଜନସାଧାରଣଙ୍କ ହିତ ନିମନ୍ତେ ପ୍ରଯୁଜ୍ୟ ହୋଇଥାଏ। ୧୯୮୫ରେ ଭାରତ ସରକାର ନିଶା ନିରୋଧ ଆଇନ ପ୍ରଣୟନ କରିଥିଲେ ଓ ଏଥିରେ କଠୋର ନିୟମ ମଧ୍ୟ ଅନ୍ତର୍ଭୁକ୍ତ ହେଲା, ଯାହା ଉକ୍ତ ନିୟମକୁ ଉଲ୍ଲଂଘନ କଲେ ଜାମିନ ବିହୀନ କାରାବରଣ ଓ ମୃତ୍ୟୁଦଣ୍ଡ ମଧ୍ୟ ହୋଇପାରେ ବୋଲି ନିୟମରେ ଲିପିବଦ୍ଧ ହେଲା। ଉକ୍ତ ନିୟମକୁ ଅଧିକ ଫଳପ୍ରଦ କରିବାକୁ ଯାଇ ଜୁଲାଇ ୪ ତାରିଖ ୧୯୮୮ରେ ୧୯୮୫ର ନିୟମକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଅଧିକ ଦଣ୍ଡ ବିଧାନର ବ୍ୟବସ୍ଥା ମଧ୍ୟ କରାଗଲା।
ନିଶା ସେବନ ବ୍ୟକ୍ତିଗତ ହୋଇପାରେ, ମାତ୍ର ଏହା ଏକ ସାମାଜିକ ସମସ୍ୟା। ଭାରତରେ ପ୍ରତି ବର୍ଷ ୧୫% ନିଶାସକ୍ତ ବ୍ୟକ୍ତି ବୃଦ୍ଧି ହେଉଛନ୍ତି। ନିଶାସକ୍ତ ବ୍ୟକ୍ତିମାନେ ସ୍ବାମୀ ବା ସ୍ତ୍ରୀଙ୍କୁ, ପିତା ମାତାଙ୍କୁ, ପିଲାମାନଙ୍କୁ, ସାଙ୍ଗ ସାଥୀଙ୍କୁ, ସହକର୍ମୀଙ୍କୁ ଓ ଆତ୍ମୀୟ ସ୍ବଜନଙ୍କୁ ବିଭିନ୍ନ ଦୃଷ୍ଟିକୋଣରୁ ଆଘାତ ଦେଇଥାନ୍ତି। ସାଂପ୍ରତିକ ଭୟାବହ ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଶ୍ୱସ୍ତରରେ ମାଦକ ଦ୍ରବ୍ୟ ସେବନ ବିରୋଧରେ ଆନ୍ତର୍ଜାତିକ ଦିବସ ୧୯୯୧ ଜୁନ୍‌ ୨୬ରୁ ପାଳନ କରି ଉକ୍ତ ମାରାତ୍ମକ ପରିସ୍ଥିତିରୁ ନିବୃତ୍ତ ହେବା ପାଇଁ ଏକ କର୍ମ ପନ୍ଥା କରାଯାଇ ଆସୁଅଛି। ମାତ୍ର ବ୍ୟକ୍ତିର ମନୋବୃତ୍ତିର ପରିବର୍ତ୍ତନ ନ ହେଲେ ଯେତେ ଆନ୍ତର୍ଜାତିକ ସଂଗଠନ ଓ ନିୟମ କଲେ ମଧ୍ୟ ତାହା ଫଳପ୍ରସୂ ହେବା ଅସମ୍ଭବ। ତେଣୁ ନିଶାର ଅନ୍ଧାର ଭବିଷ୍ୟତରୁ ଥରେ ନିର୍ଗମନ ହୋଇ ପ୍ରକୃତିର ସୁନେଲି ସୂର୍ଯ୍ୟ କିରଣକୁ ଉପଲବ୍ଧି କଲେ ମଣିଷ ଜୀବନର ସାର୍ଥକ ଉପଲବ୍ଧି ହୋଇପାରନ୍ତା। ନିଶାର ଦଶାରେ ଥାଏ କେବଳ ସର୍ବନାଶ। ସମୟ ଆସିଛି ନିଶାକୁ ପ୍ରତ୍ୟାଖ୍ୟାନ କରି ଜୀବନର ମୂଲ୍ୟବୋଧକୁ ଉପଲବ୍ଧି କରିବା ଓ ଜୀବନର ଉଦ୍ଦେଶ୍ୟକୁ ଚରିତାର୍ଥ କରିବା।
ମୋ -୯୯୩୭୩୪୫୯୦୦
satyanarayan_mishra2003@ yahoo.co.in


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri