ଅନ୍ତରଙ୍ଗ ସମନ୍ବୟକାରୀ

ଚଳଚ୍ଚିତ୍ର ଓ ଟେଲିଭିଜନ ଭଳି ମଞ୍ଚରେ ପ୍ରଦର୍ଶିତ ହେଉଥିବା ଅନ୍ତରଙ୍ଗ ମୁହୂର୍ତ୍ତର ଦୃଶ୍ୟକୁ ନେଇ ଦର୍ଶକଙ୍କ ମହଲରେ ସର୍ବଦା ଗୋଟେ ଉତ୍କଣ୍ଠା ଥାଏ। ଶୁଟିଂ ସମୟରେ ନାୟିକା ଓ ନାୟକ ଯେତେବେଳେ ପରସ୍ପରକୁ ଛୁଇଁଥାଆନ୍ତି, ସେମାନଙ୍କ ମଧ୍ୟରେ କି ପ୍ରକାର ଶିହରଣ ସୃଷ୍ଟି ହୋଇଥାଏ ତାହାକୁ ଭାବି ଦର୍ଶକ ରୋମାଞ୍ଚିତ ହୋଇଥାଆନ୍ତି। ମନୋରଞ୍ଜନ କାର୍ଯ୍ୟକ୍ରମ ଉପଭୋଗ କରିବା ପରେ ମଧ୍ୟ ଅନେକେ ଏ ବିଷୟରେ ଚର୍ଚ୍ଚା କରିଥାଆନ୍ତି। ଅତ୍ୟନ୍ତ ରୋମାଣ୍ଟିକ୍‌ ହେଉ ବା ଖଳନାୟକଙ୍କ ଦ୍ୱାରା ଯୌନ ଇଚ୍ଛାକୁ ପୂରଣ କରିବା ଲାଗି ଦୃଶ୍ୟମାନ ହେଉଥିବା ସିନ୍‌ ଭାରତୀୟ ମାନସିକତାକୁ ଜାବୁଡ଼ି ଧରିଥାଏ। ଏହାର ଊର୍ଦ୍ଧ୍ୱକୁ କମ୍‌ ଦର୍ଶକ ଯାଇ ଚିନ୍ତା କରିଥାଆନ୍ତି। ତେବେ ୨୦୧୮ରେ ଯେତେବେଳେ ବିଶ୍ୱବ୍ୟାପୀ ଯୌନ ଶୋଷଣ ବିରୋଧରେ ‘ମି ଟୂ’ ଅଭିଯାନ ନେଇ ଚହଳ ପଡ଼ିଲା, ସେଥିରେ ଭାରତର ବଲିଉଡ୍‌ ଦୁନିଆ ଚହଲି ଗଲା। କେତେକ ଅଭିନେତ୍ରୀ ଶୁଟିଂ ପୂର୍ବରୁ ବା ସେଟ୍‌ରେ ତାଙ୍କ ପ୍ରତି ପୁରୁଷ ନିର୍ଦ୍ଦେଶକ ହୁଅନ୍ତୁ ବା ଅଭିନେତା କିଭଳି ବ୍ୟବହାର କରିଥିଲେ ତାହାକୁ ପ୍ରକାଶ କରିବାରେ ଲାଗିଲେ। ଜଣେ ଜଣେ ଅଭିନେତ୍ରୀଙ୍କ ଅଭିଯୋଗ ସମଗ୍ର ଚଳଚ୍ଚିତ୍ର ଜଗତ ସହ ବାହ୍ୟ ଦୁନିଆକୁ ହଲଚଲ କରିଦେଇଥିଲା। ପାଶ୍ଚାତ୍ୟ ଜଗତରେ ଏଭଳି ସମସ୍ୟାର ମୂଳକୁ ଯାଇ ସମାଧାନ ଲାଗି ତତ୍ପରତା ପ୍ରକାଶ ପାଇଥାଏ। କିନ୍ତୁ ଭାରତରେ କେବଳ ତାହା ଚର୍ଚ୍ଚା ସ୍ତରରେ ରହିଯାଏ। ଅତି ବେଶିରେ ଲୋକେ ପ୍ରଦର୍ଶନକାରୀଙ୍କୁ ସମାଲୋଚନା କରିବାରେ ଖୁସି ପାଇଥାଆନ୍ତି। ଏଭଳି ଏକ ବାତାବରଣରେ କିଭଳି ପଦକ୍ଷେପ ନିଆଗଲେ ଦର୍ଶକଙ୍କ ନିକଟରେ ସକାରାତ୍ମକ ବାର୍ତ୍ତା ପହଞ୍ଚତ୍ପାରିବ ଏବଂ ଶୁଟିଂ ଶେଟ୍‌ରେ ଅନ୍ତରଙ୍ଗ ଦୃଶ୍ୟ ଥିଲେ ମହିଳା କଳାକାର କାର୍ଯ୍ୟ କଲା ବେଳେ ନିଜକୁ ସୁରକ୍ଷିତ ମଣିବେ, ସେହି ଦିଗରେ ଏକ ଚିନ୍ତା ଫିଲ୍ମ ସହିତ ଜଡ଼ିତ ଆସ୍ଥା ଖାନ୍ନାଙ୍କ ମୁଣ୍ଡକୁ ଜୁଟିଥିଲା। ପରେ ଅଭିଜ୍ଞତା ବଳରେ ସେ ବିଧିବଦ୍ଧ ଭାବେ ଭାରତର ପ୍ରଥମ ଇଣ୍ଟିମେସି କୋଅର୍ଡିନେଟର (ଆଇସି) ବା ଅନ୍ତରଙ୍ଗ ମୁହୂର୍ତ୍ତର ସମନ୍ବୟକାରୀ ଭୂମିକାରେ ଅବତୀର୍ଣ୍ଣ ହୋଇପାରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଆଇସି ହିଁ ଶୁଟିଂ ବେଳେ ମହିଳାଙ୍କ ପାଇଁ କିଭଳି ଏକ ଅନୁକୂଳ ପରିବେଶ ସୃଷ୍ଟି କରାଯାଇପାରିବ, ତାହା ଉପରେ କାର୍ଯ୍ୟ କରିଥାଆନ୍ତି। ଜଣେ ପ୍ରଶିକ୍ଷିତ ବୃତ୍ତିଧାରୀ ଭାବେ ଆସ୍ଥାଙ୍କ କାର୍ଯ୍ୟ ଏବେ ଲୋକଲୋଚନକୁ ଆସିବା ପରେ ତାଙ୍କ ବ୍ୟକ୍ତିତ୍ୱ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି।
ଆସ୍ଥା ମୁମ୍ବାଇରେ ଜନ୍ମ ହୋଇ ବଢ଼ିଛନ୍ତି। ପିଲାଟି ବେଳୁ ତାଙ୍କର ସିନେମା ପ୍ରତି ଦୁର୍ବଳତା ରହିଆସିଛି। ଏହି ଶିଳ୍ପ ସହ କାର୍ଯ୍ୟ କରିବା ଲକ୍ଷ୍ୟ ନେଇ ସେ ଇଂଲଣ୍ଡର ୟୁନିଭର୍ସିଟି ଅଫ୍‌ ୟର୍କରେ ବ୍ୟାଚେଲର୍‌ ଅଫ୍‌ ସାଇନ୍ସ ଅନର୍ସ ଇନ୍‌ ଫିଲ୍ମ ଆଣ୍ଡ୍‌ ଟେଲିଭିଜନ୍‌ ପ୍ରଡକ୍ସନ୍‌ରେ ସ୍ନାତକ ଡିଗ୍ରୀ ଅର୍ଜନ କରିଥିଲେ। ତା’ପରେ ବ୍ରିଟେନ୍‌ ଓ ଭାରତର ବିଭିନ୍ନ ଫର୍ମାଟ୍‌ରେ ସେ କାର୍ଯ୍ୟ କରିବାର ସୁଯୋଗ ପାଇଥିଲେ। ଭାରତରେ ଅତ୍ୟନ୍ତ ସଫଳତା ଅର୍ଜନ କରିଥିବା ତଥା ଜାତୀୟ ପୁରସ୍କାରପ୍ରାପ୍ତ ଶ୍ରୀରାମ ରାଘଓ୍ବନ୍‌ଙ୍କ ‘ଅନ୍ଧାଧୂନ୍‌’ ସମେତ ପ୍ରାୟ ଏକ ଡଜନ୍‌ରୁ ଊର୍ଦ୍ଧ୍ୱ ଫିଚର ଫିଲ୍ମରେ ସହକାରୀ ନିର୍ଦ୍ଦେଶକ ଭାବେ ସେ କାମ କରି ପ୍ରଶଂସିତ ହୋଇଛନ୍ତି। ସେହିପରି ଭାଏକମ୍‌ ୧୮, ନେଟ୍‌ଫ୍ଲିକ୍ସ, ଆର୍‌ଏସ୍‌ଭିପି ଏବଂ ଧର୍ମା ପ୍ରଡକ୍ସନ ଭଳି ଷ୍ଟୁଡିଓରେ ଚାଲିଥିବା ଏକାଧିକ ଶୁଟିଂରେ ଆସ୍ଥା ପ୍ରଦର୍ଶନକାରୀ ଓ ପ୍ରଯୋଜକଙ୍କ ମଧ୍ୟରେ ଯେଭଳି ସମନ୍ବୟ ରକ୍ଷା କରିଛନ୍ତି, ତାହା ମନୋରଞ୍ଜନ ଶିଳ୍ପ ସହ ଜଡ଼ିତ ବ୍ୟକ୍ତିଙ୍କୁ ପ୍ରଭାବିତ କରିଛି।
ଆସ୍ଥା କହନ୍ତି ଯେ, ଶୁଟିଂ ବେଳେ ମହିଳା କଳାକାରମାନେ ନିଜକୁ ସୁରକ୍ଷିତ ମଣିବା ଭଳି ପରିବେଶ ରହିଛି ବୋଲି ମାନସିକ ସ୍ତରରେ ଭାବି ନେଲେ ସବୁକିଛି ଠିକ୍‌ଠାକ୍‌ ଚାଲେ। ତାଙ୍କ ପୂର୍ବରୁ ଆଇସି ଭୂମିକାରେ କେତେକେ ଅବତୀର୍ଣ୍ଣ ହୋଇଥାଇପାରନ୍ତି। କିନ୍ତୁ ବିଧିବଦ୍ଧ ଭାବେ କର୍ମଶାଳା ଆୟୋଜନ କରାଯାଇ ଏ ଦିଗରେ ସଚେତନମୂଳକ କାର୍ଯ୍ୟକ୍ରମ ହୋଇ ନ ଥିବାରୁ ଆଜିର ସ୍ଥିତିରେ ତାହାର ଆବଶ୍ୟକତା ବଢ଼ିଯାଇଛି। ଏଥିପାଇଁ ତାଙ୍କୁ ହଲିଉଡ୍‌ର ଜଣାଶୁଣା ଆଇସି ଅମନ୍ଦା ବ୍ଲୁମେନ୍ଥାଲ୍‌ଙ୍କଠାରୁ ପ୍ରଶିକ୍ଷଣ ନେବାକୁ ପଡ଼ିଛି। ଆଇସିକୁ ‘ସେକ୍ସ ପୋଲିସ’ ଆଖ୍ୟା ଦିଆଯାଇପାରିବ। ଅନ୍ତରଙ୍ଗ ମୁହୂର୍ତ୍ତର ଦୃଶ୍ୟକୁ କିଭଳି ଭାବେ ପରିଚାଳନା କରାଯାଇ ଚଳଚ୍ଚିତ୍ର ନିର୍ମାଣକୁ ସ୍ବୟଂସମ୍ପନ୍ନ କରାଯିବ ତାହାକୁ ପ୍ରାଧାନ୍ୟ ଦିଆଯାଇଥାଏ। ସେହି ସମୟରେ ସର୍ବଦା ପ୍ରଦର୍ଶନକାରୀଙ୍କ ସମ୍ମତିକୁ ସର୍ବାଧିକ ଗୁରୁତ୍ୱ ଦେବାକୁ ସେ ଚେଷ୍ଟା କରିଥାଆନ୍ତି ବୋଲି କହିଛନ୍ତି। ସାଧାରଣତଃ ଭାରତରେ ଅନ୍ୟର ପିଲାମାନଙ୍କୁ ଦେଖି କେହି କେହି ତା’ ଗାଲରେ ହାତ ମାରି ଦେଇଥାଆନ୍ତି। ସେହିଭଳି ଅଭ୍ୟାସ କେତେକଙ୍କଠାରେ ଥିବାରୁ ଶୁଟିଂ ସେଟ୍‌ରେ ତାହା ପ୍ରତିଫଳିତ ହୋଇଥାଏ। ଶିଶୁ କଳାକାରଙ୍କୁ ମଧ୍ୟ ସେ ଅଧିକ ଧ୍ୟାନ ଦେଇଥାଆନ୍ତି ବୋଲି କହିଛନ୍ତି। ବିଶେଷକରି ନାୟିକା ଓ ନାୟକଙ୍କ ମଧ୍ୟରେ ଅନ୍ତରଙ୍ଗ ମୁହୂର୍ତ୍ତକୁ କିଭଳି ଶୁଟିଂ କରାଯାଇ ପରିବେଶକୁ ଶାନ୍ତ ଓ ସୁନ୍ଦର କରାଯାଇପାରିବ ତାହାର କଳାତ୍ମକ ଅଭିବ୍ୟକ୍ତି ଜଣେ ଆଇସିଙ୍କୁ ସମ୍ମାନଜନକ ସ୍ତରକୁ ନେଇଥାଏ। କିଭଳି ସେ ଆଇସି ହେଲେ ତାହା ବର୍ଣ୍ଣନା କରିବାକୁ ଯାଇ ଆସ୍ଥା କହନ୍ତି-୨୦୨୦ ପ୍ରାରମ୍ଭରେ ଚଳଚ୍ଚିତ୍ର ନିର୍ମାତା ଶକୁନ୍‌ ବାତ୍ରାଙ୍କ ଫିଲ୍ମରେ ସହକାରୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ। ନିର୍ଦ୍ଦେଶକ ତାଙ୍କୁ ଜଣେ ଆଇସି ଆବିଷ୍କାର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଭଳି ବ୍ୟକ୍ତିଙ୍କୁ ଭଡ଼ାରେ ଆଣିବା ପାଇଁ ସେ ଅତ୍ୟନ୍ତ ପରିଶ୍ରମ କଲେ। କିନ୍ତୁ ଅନୁଭବ କଲେ ସେହି ଭୂମିକା ଭାରତରେ ଅନୁପସ୍ଥିତ। ତେଣୁ ନିଜ ଅଭିଜ୍ଞତାକୁ ପୁଞ୍ଜି କରି ଫିଲ୍ମ ଓ ଟେଲିଭିଜନ୍‌ ଶିଳ୍ପରେ ଖାଲିଥିବା ଏହି ସ୍ଥାନଟିକୁ ପୂରଣ କରିବାକୁ ଆଗେଇ ଆସିଲେ।

-ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri