ଅଗ୍ନି-୪ର ରାତ୍ରକାଳୀନ ସଫଳ ପରୀକ୍ଷଣ

ବାଲେଶ୍ୱର ଅଫିସ, ୬ା୬: ଆଣବିକ ଶକ୍ତିସମ୍ପନ୍ନ ଅଗ୍ନି-୪ କ୍ଷେପଣାସ୍ତ୍ରର ରାତ୍ରକାଳୀନ ପରୀକ୍ଷଣ କରାଯାଇଛି। ଏହି ପରୀକ୍ଷଣ ସଫଳ ହୋଇଥିବା ନେଇ ଡିଆରଡିଓ(ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ) ପକ୍ଷରୁ କୁହାଯାଇଛି। ସୋମବାର ସନ୍ଧ୍ୟା ୭ଟା ୨୫ ମିନିଟ୍‌ରେ ଭଦ୍ରକ ଅବଦୁଲ କଲାମ ଦ୍ୱୀପରୁ ଏହି କ୍ଷେପଣାସ୍ତ୍ରର ପରୀକ୍ଷଣ ହୋଇଥିଲା। ପରୀକ୍ଷଣ ସମୟରେ ବୈଷୟିକ ଏବଂ ଆନୁଷଙ୍ଗିକ ସମସ୍ତ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଇଥିଲା। ମଧ୍ୟମ ଦୂରଗାମୀ ଏହି କ୍ଷେପଣାସ୍ତ୍ର ୩୫୦୦ରୁ ୪୦୦୦ କି.ମି. ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରିବ। ଏହାର ଲମ୍ବ ୨୦ ମିଟର ହୋଇଥିବା ବେଳେ ୧ଟନ୍‌ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରଖିଛି। ତେବେ ଏହି କ୍ଷେପଣାସ୍ତ୍ରର ପରୀକ୍ଷଣ ସଫଳ ହେବା ପରେ ଭାରତର ପ୍ରତିରକ୍ଷା ଶକ୍ତି ବୃଦ୍ଧି ପାଇଥିବା ନେଇ ସମ୍ପୃକ୍ତ ବିଭାଗ ପକ୍ଷରୁ କୁହାଯାଇଛି।