ଚୌକିର ମୋହ

ଡ. ଛାୟାକାନ୍ତ ଷଡ଼ଙ୍ଗୀ

 

ଶିଶୁକୁ ଏକ ଉପଯୁକ୍ତ ମଣିଷ ଭାବରେ ଗଢ଼ିବାରେ ଶିକ୍ଷକର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବାରୁ ଶିକ୍ଷକଙ୍କୁ ଶିଶୁର ଦ୍ୱିତୀୟ ପିତାର ମର୍ଯ୍ୟାଦା ଦିଆଯାଇଛି। ପୁଣି ମନୁ ସଂହିତାର ଦ୍ୱିତୀୟ ଅଧ୍ୟାୟରେ କୁହାଯାଇଛି- ”ଉତ୍ପାଦକବ୍ରହ୍ମଦାତ୍ରୋର୍ଗରୀୟାନ୍‌ ବ୍ରହ୍ମଦଃ ପିତା।“ ଅର୍ଥାତ୍‌ ଜନ୍ମଦାତା ଓ ବିଦ୍ୟାଦାତା ମଧ୍ୟରେ ବିଦ୍ୟାଦାତା-ପିତା ଅଧିକ ସମ୍ମାନନୀୟ। ସେଥିପାଇଁ ଭାରତୀୟ ପରମ୍ପରାରେ ରାଜା ମହାରାଜାମାନେ ମଧ୍ୟ ଗୁରୁଙ୍କୁ ସର୍ବୋଚ୍ଚ ସମ୍ମାନ ଦେଉଥିଲେ। ରାଜଦରବାରରେ ତାଙ୍କ ପାଇଁ ଏକ ସ୍ବତନ୍ତ୍ର ଆସନ ରହୁଥିଲା। ସେହି ଆସନରେ ଆଉ କାହାରି ବସିବାର ଅଧିକାର ନ ଥିଲା। ମନେପଡ଼େ ପ୍ରାୟ ତିରିଶ ବର୍ଷ ତଳର ଏକ ଘଟଣା। ସେତେବେଳେ ମୁଁ ମୟୂରଭଞ୍ଜ ଜିଲାର ଏକ ପୁରାତନ ମହାବିଦ୍ୟାଳୟରେ ଅଧ୍ୟାପନା କରୁଥାଏ। ସେହି ବିଦ୍ୟାଳୟର ସଭାପତି ଥା’ନ୍ତି ଜଣେ ଉଚ୍ଚ ପ୍ରଶାସନିକ ଅଧିକାରୀ। ସେଠାରେ ସେ ନୂଆ ଯୋଗଦେଇଥାନ୍ତି। ଦିନେ ଅଧ୍ୟକ୍ଷଙ୍କ ପ୍ରକୋଷ୍ଠରେ ମୁଁ ବସିଥିବା ବେଳେ ସେ ହଠାତ୍‌ ପ୍ରବେଶ କଲେ। ସେ ମହାବିଦ୍ୟାଳୟର ସଭାପତି ହୋଇଥିବାରୁ ଅଧ୍ୟକ୍ଷ ସୌଜନ୍ୟବଶତଃ ଉଠିପଡ଼ି ସେହି ଉଚ୍ଚ ପ୍ରଶାସନିକ ଅଧିକାରୀଙ୍କୁ ତାଙ୍କ ଆସନରେ ବସିବାକୁ ଅନୁରୋଧ କରନ୍ତେ ପ୍ରଶାସନିକ ଅଧିକାରୀ କହିଲେ, ”ସାର୍‌, ପ୍ରତ୍ୟେକ ପଦାଧିକାରୀଙ୍କ ପାଇଁ ନିର୍ଦ୍ଦିଷ୍ଟ ଆସନ ରହିଛି। ଆପଣ ମହାବିଦ୍ୟାଳୟର ଅଧ୍ୟକ୍ଷ। ଆପଣଙ୍କ ପାଇଁ ଉଦ୍ଦିଷ୍ଟ ଆସନରେ ବସିବାର ଅଧିକାର ମୋର ନାହିଁ।“ ଏହା କହି ସେ ଅଧ୍ୟକ୍ଷଙ୍କ ସାମ୍ନାରେ ଥିବା ଏକ ଚୌକିରେ ବସିପଡ଼ିଲେ।
ତିରିଶ ବର୍ଷ ପରେ ଏହି ଘଟଣାଟି ମନେପଡ଼ିବାର ଏକ କାରଣ ଅଛି। କିଛିଦିନ ତଳେ ଜଣେ ଉପଖଣ୍ଡସ୍ତରୀୟ ସର୍ବୋଚ୍ଚ ପ୍ରଶାସନିକ ଅଧିକାରୀ ପଶ୍ଚିମ ଓଡ଼ିଶାର ଏକ କଲେଜକୁ କୌଣସି ଏକ କାମରେ ଯାଇ ଅଧ୍ୟକ୍ଷଙ୍କ ଚୌକିରେ ବସିପଡ଼ିଲେ। ତାହା ଶୁଣି ମୋ ମନରେ ପୁନର୍ଜୀବିତ ହୋଇଥିଲା ତିରିଶ ବର୍ଷ ତଳର ମହାବିଦ୍ୟାଳୟ ସଭାପତି ଥିବା ସେହି ଉଚ୍ଚ ପ୍ରଶାସନିକ ଅଧିକାରୀଙ୍କ କଥା। ଭାବୁଥିଲି ଦୁଇଜଣଙ୍କ ମଧ୍ୟରେ କେତେ ପାର୍ଥକ୍ୟ। ପଦବୀର ଅହଂକାର ଆଜି କିଛି ପ୍ରଶାସନିକ ଅଧିକାରୀଙ୍କୁ ଅନ୍ଧ କରିଦେଇଛି। ମନେପଡ଼ିଥିଲା ଆଉ ଏକ ଘଟଣା। ଇଂଲଣ୍ଡର ରାଜା ପଞ୍ଚମ ଜର୍ଜଙ୍କ ସମୟର କଥା। ଥରେ ସେ ଏକ ପବ୍ଲିକ ସ୍କୁଲ ପରିଦର୍ଶନରେ ଯାଇଥିଲେ। ଅଧ୍ୟକ୍ଷଙ୍କ ପ୍ରକୋଷ୍ଠକୁ ସେ ପ୍ରବେଶ କରନ୍ତେ ଅଧ୍ୟକ୍ଷ ଛିଡ଼ାହୋଇ ଏକ ସୁନ୍ଦର ଚୌକିରେ ତାଙ୍କୁ ବସିବାକୁ ଅନୁରୋଧ କଲେ, ମାତ୍ର ନିଜ ଆସନ ଛାଡ଼ିଲେ ନାହିଁ। ରାଜା ଅସମ୍ମାନିତ ବୋଧକରି ମନେ ମନେ ଭୀଷଣ ରାଗୁଥିଲେ। ମାତ୍ର କ୍ରୋଧ ପ୍ରକାଶ କରିପାରୁ ନ ଥିଲେ। ସ୍କୁଲ ପରିଦର୍ଶନ କାର୍ଯ୍ୟ ସରିଲା। ରାଜା ସ୍କୁଲ ପରିସର ବାହାରକୁ ଆସିବା ପରେ ଅଧ୍ୟକ୍ଷ ନତଜାନୁ ହୋଇ ରାଜାଙ୍କୁ ସମ୍ମାନ ପ୍ରଦର୍ଶନ କରନ୍ତେ ରାଜା କହିଲେ, ”ଆପଣ କକ୍ଷ ମଧ୍ୟରେ ମୋତେ ଅସମ୍ମାନିତ କରିସାରିଛନ୍ତି। ଏଠାରେ ଏହି ସମ୍ମାନ ପ୍ରଦର୍ଶନର କୌଣସି ମୂଲ୍ୟ ନାହିଁ।“ ମାତ୍ର ବିଦ୍ୟାଳୟ ଅଧ୍ୟକ୍ଷ ନମ୍ର ଭାବରେ କହିଲେ, ”ମହାରାଜ! ସ୍କୁଲ ପରିସର ମଧ୍ୟରେ ମୋର ଛାତ୍ରୀଛାତ୍ରଙ୍କ ଦୃଷ୍ଟିରେ ମୁଁ ସର୍ବୋଚ୍ଚ ସମ୍ମାନର ଅଧିକାରୀ। ସେମାନଙ୍କ ସମ୍ମୁଖରେ ମୁଁ ଯଦି ଆପଣଙ୍କୁ ସମ୍ମାନ ଜଣାଇ ମୋ ଆସନ ଛାଡ଼ିଦେଇଥା’ନ୍ତି, ସେମାନେ ଭାବିଥାନ୍ତେ ଶିକ୍ଷକ ବଡ଼ ନୁହନ୍ତି, ତାଙ୍କଠାରୁ ବଡ଼ ରାଜା। ମାତ୍ର ସ୍କୁଲ ପରିସର ବାହାରେ ମୁଁ ଆପଣଙ୍କ ପ୍ରଜା।“ ପ୍ରଜାଙ୍କ ଦୃଷ୍ଟିରେ ରାଜା ହିଁ ସର୍ବୋଚ୍ଚ ସମ୍ମାନର ଅଧିକାରୀ। ଶିକ୍ଷକଙ୍କ କଥାର ଯଥାର୍ଥତା ବୁଝିପାରି ସେଦିନ ରାଜା ଶାନ୍ତମନରେ ଚାଲିଯାଇଥିଲେ।
ଆଜି ଭଲ ପାଠ ପଢ଼ି ନିଜ ମେଧାର ପରିଚୟ ଦେଇ ଯେଉଁମାନେ ଉଚ୍ଚ ଆସନର ଅଧିକାରୀ ହୋଇଛନ୍ତି ସେମାନେ ଭୁଲିଯିବା ଉଚିତ୍‌ ନୁହେଁ ଯେ ସେମାନଙ୍କୁ ମେଧାବୀ ଛାତ୍ର ଭାବେ ଗଢ଼ିତୋଳିଛନ୍ତି ଶିକ୍ଷକମାନେ। ମାତ୍ର ଉଚ୍ଚ ପ୍ରଶାସନିକ ପଦରେ ଅଧିଷ୍ଠିତ ହେବାପରେ ସେମାନଙ୍କ ଦୃଷ୍ଟିରେ ଏହି ଶିକ୍ଷକମାନେ ନୂ୍ୟନ ପରିଗଣିତ ହୁଅନ୍ତି। ପଦବୀର ଅହଂକାର ତାଙ୍କୁ କବଳିତ କରିନିଏ। ସେମାନେ ଭୁଲିଯିବା ଉଚିତ୍‌ ନୁହେଁ ଯେ ଯେଉଁ ପଦକୁ ନେଇ ସେମାନେ ନିଜକୁ ବଡ଼ ବୋଲି ଭାବନ୍ତି, ସେହି ପଦ କ୍ଷଣସ୍ଥାୟୀ। ପଦ ଚାଲିଗଲା ପରେ ସେମାନେ ସମାଜରେ ଆଉ ପୂର୍ବ ସମ୍ମାନର ଅଧିକାରୀ ହୋଇପାରନ୍ତିନାହିଁ। ଯେଉଁମାନେ ଦିନେ ତାଙ୍କୁ ଉଚ୍ଚ ସମ୍ମାନରେ ବସାଉଥିଲେ ସେମାନେ ହିଁ ତାଙ୍କୁ ଏଡ଼େଇ ଯାଆନ୍ତି, କାରଣ ସେମାନେ ତାଙ୍କ ବ୍ୟକ୍ତିତ୍ୱକୁ ସମ୍ମାନ ଜଣାଉଥିଲେ, ସମ୍ମାନ ଜଣାଉଥିଲେ ସେମାନଙ୍କ ପଦକୁ। ଏହି ପ୍ରସଙ୍ଗରେ ମନେପଡ଼େ ଏକ କ୍ଷୁଦ୍ର କାହାଣୀ। ଥିଲେ ଜଣେ ବୃଦ୍ଧ ଖ୍ୟାତିସମ୍ପନ୍ନ ସାଧୁ। ଜଣେ ଗୃହସ୍ଥ ଶିଷ୍ୟ ତାଙ୍କୁ ଭେଟିଦେଇଥିଲା ଏକ ଗଧ। ସାଧୁ ଶିଷ୍ୟମାନଙ୍କ ଘରକୁ ଯିବାବେଳେ ସେହି ଗଧକୁ ବାହନ ଭାବରେ ବ୍ୟବହାର କରୁଥିଲେ। ସେ ଜଣେ ଖ୍ୟାତିସମ୍ପନ୍ନ ସାଧୁ ହୋଇଥିବାରୁ ସେ ଯେତେବେଳେ ସହର ମଧ୍ୟ ଦେଇ ଗଧ ଉପରେ ବସି ଯାଆନ୍ତି ଲୋକେ ତାଙ୍କ ଉପରେ ପୁଷ୍ପ ବୃଷ୍ଟି କରନ୍ତି ଓ ମୁଣ୍ଡିଆ ମାରନ୍ତି। ଲୋକମାନଙ୍କର ଏ ପ୍ରକାର ହାବଭାବ ଦେଖି ଗଧଟି ନିଜକୁ ଗର୍ବିତ ମନେ କରୁଥିଲା। ସେ ଭାବୁଥିଲା ଯେଉଁସବୁ ଅଭ୍ୟର୍ଥନା ମିଳୁଥିଲା, ସେସବୁ ବୃଦ୍ଧ ସାଧୁଙ୍କୁ ନୁହେଁ, ବରଂ ତାକୁ ମିଳୁଥିଲା। ଦିନେ ଅପରାହ୍ନରେ ବୃଦ୍ଧ ସାଧୁ ବିଶ୍ରାମ ନେବା ସମୟରେ ଗଧଟି ସେହି ଭାବନାକୁ ମନରେ ଧରି ଏକା ଏକା ସହର ପରିକ୍ରମା କଲା। କିନ୍ତୁ ସେ ଲକ୍ଷ୍ୟକଲା କେହି ବି ତାକୁ ଗୁରୁତ୍ୱ ଦେଉ ନ ଥିଲେ। ଏପରି କି ତା’ ଆଡ଼କୁ କେହି ସୁଦ୍ଧା ଅନାଉ ନ ଥିଲେ। ଲୋକମାନଙ୍କ ଏ ପ୍ରକାର ଆଚରଣରେ ସେ ବିସ୍ମିତ ହେଲା। ଶେଷରେ ଲୋକମାନଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ସେ ଯେତେବେଳେ ବୋବାଇବାକୁ ଆରମ୍ଭକଲା, ସେତେବେଳେ ଲୋକମାନେ ତାକୁ ପ୍ରବଳ ମାଡ଼ ଦେଇ ବିଦା କରିଦେଲେ। ମାଡ଼ଖାଇ ମନଦୁଃଖରେ ଗଧଟି ଫେରିଆସିଲା ବିଶ୍ରାମ ନେଉଥିବା ସାଧୁଙ୍କ ପାଖକୁ ଓ ତା’ର ଅଭିଜ୍ଞତା ବର୍ଣ୍ଣନା କରି ପଚାରିଲା, ହଠାତ୍‌ ଲୋକଙ୍କ ଆଚରଣରେ ଏପରି ପରିବର୍ତ୍ତନ କାହିଁକି ହେଲା। ସାଧୁ କହିଲେ, ”ଜୀବନରେ ସବୁଠାରୁ ବଡ଼କଥା ହେଲା ସମ୍ପୃକ୍ତି, ତୁମେ କାହା ସଙ୍ଗରେ ଅଛ? ଅନେକ ସମୟରେ ନିଜର କିଛି ସ୍ବତନ୍ତ୍ର ଗୁଣ ନ ଥିଲେ ବି ଉଚ୍ଚପଦ ସହ ସମ୍ପୃକ୍ତି ଥିଲେ ଜଣେ ସମ୍ମାନ ପାଏ। ମାତ୍ର ଯେଉଁଦିନ ପଦ ଚାଲିଯାଏ, ନିଜର ବ୍ୟକ୍ତିତ୍ୱ ନ ଥିଲେ ପୂର୍ବ ସମ୍ମାନ ଆଉ ମିଳେନାହିଁ।“ ଆଜି ଯେଉଁମାନେ ନିଜ ପଦର ଅହଂକାରକୁ ନେଇ ଫୁଲି ଉଠୁଛନ୍ତି ସେମାନଙ୍କ ପାଇଁ ଏହି କାହାଣୀଟି ତୀବ୍ର ଚେତାବନୀ। ବ୍ରିଟିଶ୍‌ ଶାସନ ସମୟରେ ରାଧାନାଥ ଲେଖିଥିବା କେତେକ ପଙ୍‌କ୍ତି ଏବେ ବି ସତ୍ୟ।
କେହୁ ବୋଲେ ମୁହିଁ ଉଚ୍ଚ ପଦଧାରୀ।
ଉଚ୍ଚ ଆସନର ମୁହିଁ ଅଧିକାରୀ।
ଆନ ବୋଲେ ମୁହିଁ ଉଚ୍ଚ ବଂଶଧର।
ତୁ ସିନା ଅଢ଼େଇ ଦିନିଆ ଚାକର।
ଲାଗିଛି ଏପରି ଅହମିକା ଖେଳ।
ଅହମିକା ସିନ୍ଧୁ ହୋଇଛି ଉଦ୍‌ବେଳ।
ଅହମିକା ବାୟୁ ଗ୍ରସ୍ତ ହୋଇ ବ୍ୟସ୍ତେ।
ମୁଁ ମୁଁ କରି ଆହା ମରନ୍ତି ସମସ୍ତେ ।
ମୋ: ୯୪୩୭୩୨୯୨୬୩


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri