ପାଟ୍ରୋଲିଂ ବେଳେ କାର୍‌ ଡିକିରୁ ଆସିଲା ଛେଳି ଗନ୍ଧ, ଧରାପଡ଼ିଲେ ୪ ଚୋର; କାର୍‌-ଖଣ୍ଡା ଜବତ…

ଦିଗପହଣ୍ଡି,୭|୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଅନ୍ତର୍ଗତ ଜକର ପଞ୍ଚାୟତ ତେଣ୍ଟୁଆପଡ଼ା ଗ୍ରାମର ଜଣେ ଚାଷୀଙ୍କ ଗୁହାଳରୁ ଛେଳି ଚୋରି ଘଟଣାରେ ପୋଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୁକ୍ତମାନଙ୍କ ଜାମିନ ଆବେଦନ ଖାରଜ ହେବାରୁ ସେମାନଙ୍କୁ ଦିଗପହଣ୍ଡି ସବ୍‌-ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି।

ଅଭିଯୁକ୍ତମାନେ ହେଲେ ଧରାକୋଟ ଥାନା ଜାହାଡ଼ା ଗ୍ରାମର ଅନୁଜୟ ସ୍ୱାଇଁ, ଗାଙ୍ଗପୁର ଥାନା ଗୋବରା ଗ୍ରାମର ସଂଗ୍ରାମ ସାହୁ ଓ ଅରମନ ନାୟକ ଏବଂ ଶେରଗଡ଼ ଗ୍ରାମର ଦୀପକ କୁମାର ସାହୁ। ପୋଲିସ ସେମାନଙ୍କ ନିକଟରୁ ଚୋରିରେ ବ୍ୟବହୃତ ଏକ ମାରୁତି କାର୍‌ (OD 33 AY 2787) ଏବଂ ଡିକି ଭିତରୁ ଗୋଟିଏ ଖଣ୍ଡା ଜବତ କରିଛି।

ପ୍ରକାଶ ଯେ, ଗତ ଅଗଷ୍ଟ ୧୬ ତାରିଖ ବିଳମ୍ବିତ ରାତିରେ ତେଣ୍ଟୁଆପଡ଼ା ଗ୍ରାମର ଚାଷୀ ବାଙ୍କନିଧି ଗୌଡ଼ଙ୍କ ଗୁହାଳରୁ ୧୮ଟି ଛେଳି ଚୋରି ହୋଇଯାଇଥିଲା। ବାଙ୍କନିଧିଙ୍କ ଏତଲା ଭିତ୍ତିରେ କେ.ନୂଆଗାଁ ଥାନା ଆଇଆଇସି ବିଶ୍ୱଜିତ ନାୟକ ମାମଲା (ନଂ. ୧୮୭/୨୬) ରୁଜୁ କରିଥିଲେ। ତଦନ୍ତକାରୀ ଅଧିକାରୀ ଏଏସ୍‌ଆଇ ସୁବାସ ଚନ୍ଦ୍ର ବାୟକ ମଙ୍ଗଳବାର ରାତିରେ ନୂଆପଡ଼ା ଅଞ୍ଚଳରେ ନାକାବନ୍ଦୀ ଓ ପାଟ୍ରୋଲିଂ କରୁଥିବା ବେଳେ ଏକ ସନ୍ଦିଗ୍ଧ ମାରୁତି କାର୍‌କୁ ଅଟକାଇ ଯାଞ୍ଚ କରିଥିଲେ।

କାର୍‌ ଡିକିରୁ ଖଣ୍ଡା ଜବତ ହେବା ସହ ଛେଳି-ମେଣ୍ଢା ଗନ୍ଧ ଆସିବାରୁ ପୋଲିସ ସନ୍ଦେହରେ ସଂଗ୍ରାମ ସାହୁଙ୍କୁ ପଚରାଉଚୁରା କରିଥିଲା। ପୋଲିସର ଜେରା ଆଗରେ ସେମାନେ ଛେଳି ଚୋରି କରିଥିବା ସ୍ୱୀକାର କରିବା ସହ କେ.ନୂଆଗାଁ ଓ ଜରଡ଼ା ଥାନା ଅଞ୍ଚଳରେ ପୂର୍ବରୁ ମଧ୍ୟ ଅନେକ ଗୁହାଳରୁ ଛେଳି-ମେଣ୍ଢା ଚୋରି କରିଥିବା କହିଛନ୍ତି। ସେମାନଙ୍କ ସୂଚନା ଆଧାରରେ ପୋଲିସ ଅନ୍ୟ ଅଭିଯୁକ୍ତମାନଙ୍କୁ ଉଠାଇ ଆଣି ବୁଧବାର ଜେଲ୍‌ ପଠାଇଛି।

Dharitri – Odisha’s No.1 Odia Daily

Share