କେସିଙ୍ଗାରେ ପ୍ରବଳ ଗ୍ରୀଷ୍ମପ୍ରବାହ; ଜନଜୀବନ ଅସ୍ତବ୍ୟସ୍ତ, ରାସ୍ତାଘାଟ ଜନଶୂନ୍ୟ

କେସିଙ୍ଗା,୨୩।୪(ତୁମେଶ୍ୱର ସାହୁ): ସମଗ୍ର ପଶ୍ଚିମ ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଦେଖାଯାଇଛି । ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ପୂର୍ବାହ୍ନ ସାଢେ଼ ଦଶଟାରେ ରାସ୍ତାଘାଟ ଜନଶୂନ୍ୟ ହୋଇଯାଇଛି । କେସିଙ୍ଗା ସହରରେ ଥିବା ଜାତୀୟ ରାଜପଥ ୨୬, କଲେଜ ରୋଡ଼, ବଲାଙ୍ଗୀର ଛକ, କେସିଙ୍ଗା ଟିଟିଲାଗଡ ଯିବା ମୁଖ୍ୟ ରାସ୍ତା ଓ ରେଲୱେ ଷ୍ଟେସନରେ କାଁଭାଁ ଲୋକ ଦେଖାଯାଉଛନ୍ତି । କଲେଜରୁ ଫେରିବା ବେଳେ ପ୍ରବଳ ଖରାରେ ଅସ୍ତବ୍ୟସ୍ତ ହେଉଥିବା କଥା କହିଛନ୍ତି ଛାତ୍ରୀ ।

କେସିଙ୍ଗା ସହରେ ଥିବା ମୁଖ୍ୟ ଜାତୀୟ ରାଜପଥ ୨୬ ପାର୍ଶ୍ବରେ ଥିବା ତରଭୁଜ ଦୋକାନୀ, ଆଖୁ ରସ ବିକାଳୀଙ୍କ ଦୋକାନରେ ଶୋଷ ମେଣ୍ଟାଇବା ପାଇଁ ଲୋକମାନଙ୍କର ଭିଡ଼ ଜମୁଛି। ପୂର୍ବାହ୍ନ ୧୦ଟା ରୁ ୧୧ଟା ସୁଦ୍ଧା ଦୋକାନ ବଜାର ବନ୍ଧ ରହୁଛି। କେସିଙ୍ଗା ସି ଡବ୍ଲୁସି କାର୍ଯ୍ୟାଳୟ ପକ୍ଷରୁ ଜଣାଯାଏ ଯେ ମାର୍ଚ୍ଚ ମାସରୁ ବର୍ତ୍ତମାନ ମେ ମାସ ୨୩ତାରିଖ ଯାଏ ୩୯, ୪୦, ୪୧, ୪୨ଡିଗ୍ରୀ ତାପମାତ୍ରା ରହୁଥିବାରୁ ଲୋକମାନେ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗ୍ରାମଞ୍ଚଳର ଲୋକମାନେ ଜଲଦି ହାଟ ବଜାର କରି ଘରକୁ ଶୀଘ୍ର ଫେରୁଛନ୍ତି । ମୁଖ୍ୟ ରାସ୍ତା ଗୁଡିକ ଜନଶୂନ୍ୟ ହୋଇ ପଡୁଛି । ଘରୁ ପଦାକୁ ବାହାରିଲେ ପ୍ରବଳ ଗରମ ହେଉଛି ।

କେସିଙ୍ଗା ବ୍ଲକର ପ୍ରତ୍ୟେକ ଗ୍ରାମରେ ଥିବା ନଇଁ ନାଳ, ପୋଖରୀ, ଚେକ ଡ୍ୟାମ, କୂପ ଶୁଖି ଯାଉଥିବାରୁ ପାନୀୟଜଳ ପାଇଁ ଜନଜୀବନ ସହ ଗୃହ ପାଳିତ ପ୍ରାଣୀଙ୍କ ମଧ୍ୟ ଘୋର ଅସୁବିଧା ହେଉଛି । ଏହି ଅଞ୍ଚଳରେ ଗ୍ରୀଷ୍ମପ୍ରବାହ ଯୋଗୁଁ ସ୍କୁଲ, ଅଙ୍ଗନବାଡି କେନ୍ଦ୍ର ସମ୍ପୁର୍ଣ୍ଣ ବନ୍ଦ ଥିବା ବେଳେ କଲେଜ କାହିଁକି ଖୋଲା ଯାଉଛି ବୋଲି କଲେଜ ଛାତ୍ରୀ ଛାତ୍ର ମାନେ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ତେଣୁ ସମସ୍ତ ସ୍କୁଲ,କଲେଜ, ଅଙ୍ଗନବାଡି କେନ୍ଦ୍ର ସମ୍ପୁର୍ଣ୍ଣ ବନ୍ଦ କରାଯାଉ ବୋଲି ଅଭିଭାବକ ଓ ଜନସାଧାରଣ ଅଭିଯୋଗ କରିଛନ୍ତି ।

ଏ ସଂକ୍ରାନ୍ତରେ କେସିଙ୍ଗା ଏନଏସିର ଅଧ୍ୟକ୍ଷ ନୃପରାଜ ଯାଦବଙ୍କୁ ପଚାରିବାରୁ ୧୨ଟି ୱାର୍ଡରେ ଏବଂ ମୁଖ୍ୟ ରାସ୍ତା ଗୁଡିକରେ ପାନୀୟଜଳର ସୁବିଧା କରାଯାଇଛି ବୋଲି ପ୍ରକାଶ କରିଛନ୍ତି ଏବଂ ଭଗବାନଙ୍କ ପ୍ରାକୃତିକ ଗ୍ରୀଷ୍ମପ୍ରବାହ ଓ ଅଂଶୁଘାତରୁ ରକ୍ଷା ପାଇବାପାଇଁ ଜନସାଧାରଣ ଙ୍କୁ ସଚେତନ କରାଯାଉଛି ବୋଲି କହିଛନ୍ତି । ଏ ନେଇ କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମେଡ଼ିକାଲ ଅଫିସ ଡା.ରବୀନ୍ଦ୍ର ନାଥ ଖଟୁଆଙ୍କୁ ପଚାରିବାରୁ ଗ୍ରୀଷ୍ମପ୍ରବାହରେ ଆହାତ ଅଂଶୁଘାତ ଲୋକଙ୍କ ପାଇଁ ଏସି ରୁମର ବ୍ୟବସ୍ଥା କରିବା ସହିତ ଶାଲାଇନ, ଓଆରଏସ ଭଳି ପ୍ରତ୍ୟେକ ମେଡିସିନର ସୁବିଧା କରାଯାଇଛି ବୋଲି କହିଛନ୍ତି ।

 

Dharitri – Odisha’s No.1 Odia Daily

Share
Tags: kesinga news