ଧାର୍ଯ୍ୟ ସମୟରେ କାମ ସାରିବାକୁ ନିର୍ଦ୍ଦେଶ

ବଲାଙ୍ଗୀର ଅଫିସ, ୧୪ା୧୦: ପୂର୍ତ୍ତ ବିଭାଗ ପ୍ରଧାନ ସଚିବ ବୀର ବିକ୍ରମ ଯାଦବ ଗୁରୁବାର ବଲାଙ୍ଗୀର ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପ ବୁଲି ଦେଖିବା ସହ କାର୍ଯ୍ୟର ସମୀକ୍ଷା କରିଥିଲେ। ସଚିବ ଯାଦବ ପ୍ରଥମେ ଗନ୍ଧରେଲଠାରେ ନିର୍ମାଣାଧୀନ ୬୫୦ ଶଯ୍ୟା ବିଶିଷ୍ଟ ନୂଆ ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲ କୋଠା ପରିଦର୍ଶନରେ ଯାଇ ନିର୍ମାଣ କାମ ତଦାରଖ କରିଥିଲେ। ସେଠାରେ ଜିଲାପାଳ ଚଞ୍ଚଳ ରାଣା, ହସ୍ପିଟାଲ ଡିନ୍‌ ଡା ସବିତା ମହାପାତ୍ର, ଅନ୍ୟ ଅଧିକାରୀ ଓ ଯନ୍ତ୍ରୀ ଉପସ୍ଥିତ ଥିଲେ। ଜୁନ୍‌ ୨୦୨୩ ସୁଦ୍ଧା ଏହି ହସ୍ପିଟାଲ ନିର୍ମାଣ କାମ ଶେଷ ହୋଇ ଲୋକାର୍ପିତ କିଭଳି ହେବ ସେଦିଗରେ ତଦାରଖ କରିଥିଲେ। ନିର୍ମାଣ କାର୍ଯ୍ୟ ତ୍ୱରାନ୍ବିତ କରି ଧାର୍ଯ୍ୟ ସମୟରେ ଏହି ପ୍ରକଳ୍ପ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେଠାରୁ ବଲାଙ୍ଗୀର-ସମ୍ବଲପୁର-ଟିଟିଲାଗଡ ରାସ୍ତାକୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗ ବାଇପାସ୍‌ ରାସ୍ତା ତଦାରଖ କରିଥିଲେ। ବୋଟଲିଂ ପ୍ଳାଣ୍ଟ ନିକଟ ଚାନ୍ଦଲି ପାହାଡ ପାଦଦେଶକୁ ଯାଇ ସେଠାରେ ଯନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ। ତୁରନ୍ତ ଟେଣ୍ଡର ଆହ୍ବନ କରି ରାସ୍ତା ନିର୍ମାଣ କାମ ଆରମ୍ଭ କରିବାକୁ କହିଥିଲେ। ଏହି ରାସ୍ତାରେ ଜଙ୍ଗଲ ଜମି ଅନୁମତି ଲୋଡା ପଡୁଥିବାରୁ ଏଦିଗରେ ବିଭାଗ କ’ଣ କରିଛି ପଚାରି ବୁଝିଥିଲେ। ଜଙ୍ଗଲ ଜମି ଅନୁମତି ପାଇଁ ବିଭାଗ ଆବେଦନ କରିଥିବା ଜଣାଇଥିଲେ। ଏନେଇ ମଧ୍ୟ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ସଚିବ ଯାଦବ ଯନ୍ତ୍ରୀ ଓ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ସଚିବ ଯାଦବ ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥ ବାଇପାସ୍‌ ସାଇଡ ପରିଦର୍ଶନ କରିଥିଲେ। ଏହି କାମ ଟେଣ୍ଡର ପ୍ରକ୍ରିୟାରେ ରହିଥିବା ବିଭାଗୀୟ ଅଧିକାରୀ ଓ ଯନ୍ତ୍ରୀମାନେ ସୂଚନା ଦେଇଥିଲେ। ଟେଣ୍ଡର ପ୍ରକ୍ରିୟା ସରିବା ପରେ ରାସ୍ତା ନିର୍ମାଣ କାମକୁ ତ୍ୱରାନ୍ବିତ କରିବାକୁ ପରାମର୍ଶ ଦେଇଥିଲେ। ଜିଲାପାଳ ରାଣା ଏହି ଦୁଇ ବାଇପାସ ରାସ୍ତାର ଆବଶ୍ୟକତା ଏବଂ ମେଡିକାଲ କଲେଜ ହସ୍ପିଟାଲ କୋଠା ନିର୍ମାଣ କାର୍ଯ୍ୟ ଉପରେ ଅବଗତ କରିଥିଲେ। ଏହାପରେ ସଚିବ ଯାଦବ ନୂଆପଡା ଜିଲା ଅଭିମୁଖେ ଯାଇଥିଲେ। ସଚିବଙ୍କ ଗସ୍ତ ସମୟରେ ପୂର୍ତ୍ତ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ମନୋରଞ୍ଜନ ମିଶ୍ର, ନିର୍ବାହୀ ଯନ୍ତ୍ରୀ ନରେନ୍ଦ୍ର ଘଡେଇ, ଜାତୀୟ ରାଜପଥ ନିର୍ବାହୀ ଯନ୍ତ୍ରୀ ଜୟନ୍ତ ନାଏକ ପ୍ରମୁଖ ଉପସ୍ଥିତ ଥିଲେ। ସଚିବ ଯାଦବ, ସର୍ବୋଚ୍ଚ ଯନ୍ତ୍ରୀ ମିଶ୍ରଙ୍କ ଗସ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧିଙ୍କୁ କୌଣସି ସୂଚନା ଦିଆଯାଇ ନ ଥିଲା। ସଚିବଙ୍କ ଗସ୍ତ କାର୍ଯ୍ୟକ୍ରମକୁ ଜାଣିଶୁଣି ଗଣମାଧ୍ୟମଠାରୁ ଦୂରେଇ ରଖାଯାଇଥିବା ଚର୍ଚ୍ଚାର ବିଷୟ ହୋଇଛି।