ମେଟାର ବଡ଼ ନିଷ୍ପତ୍ତି : ରାତି ୧୨ଟାରୁ ସକାଳ ୬ଟା ଯାଏ ଆଉ ଚାଲିବନି ଇନଷ୍ଟା-ଫେସବୁକ୍‌

ନୂଆଦିଲ୍ଲୀ,୨୭।୮: ଶିଶୁ ଓ କିଶୋରମାନଙ୍କୁ ସୋସିଆଲ ମିଡିଆ ନିଶାରେ ପକାଉଥିବା ଅଭିଯୋଗରେ ଛନ୍ଦି ହୋଇଥିବା ଫେସବୁକ-ଇନଷ୍ଟାଗ୍ରାମର ମାଲିକାନା ସଂସ୍ଥା ‘Meta’ ଏକ ଐତିହାସିକ ନିଷ୍ପତ୍ତି ନେଇଛି। ଆମେରିକାରେ ଚାଲିଥିବା ଏକ ବଡ଼ ଆଇନଗତ ମାମଲାକୁ ଶେଷ କରିବା ପାଇଁ କମ୍ପାନୀ ପ୍ରାୟ ୧୭ ବିଲିୟନ ଡଲାର (ପ୍ରାୟ ୧.୪ ଲକ୍ଷ କୋଟି ଟଙ୍କାରୁ ଅଧିକ) ପରିଶୋଧ କରିବାକୁ ସମ୍ମତି ପ୍ରକାଶ କରିଛି। ଏହାସହ ଶିଶୁଙ୍କ ସୁରକ୍ଷା ପାଇଁ ଆପଗୁଡ଼ିକରେ କେତେକ ବଡ଼ ଧରଣର ପରିବର୍ତ୍ତନ କରିବାକୁ ରାଜି ହୋଇଛି। ତେବେ ଏହି ବୁଝାମଣାରେ ମେଟା ନିଜର କୌଣସି ଭୁଲ ସ୍ବୀକାର କରିନାହିଁ। ଏହି ବୁଝାମଣା ଅନୁସାରେ କମ୍ପାନୀ ପ୍ରାୟ ୧୭ ବିଲିୟନ ଡଲାର ପର୍ଯ୍ୟନ୍ତ ଦେବା ସହ Facebook ଓ Instagramରେ ଶିଶୁମାନଙ୍କ ପାଇଁ ଅନେକ ନୂଆ ସୁରକ୍ଷା ବ୍ୟବସ୍ଥା ଲାଗୁ କରିବ।

ନୂଆ ବ୍ୟବସ୍ଥା ଅନୁସାରେ Facebook ଓ Instagramକୁ ମିଶାଇ ଦିନକୁ ଦୁଇ ଘଣ୍ଟାର ଡିଫଲ୍ଟ ବ୍ୟବହାର ସୀମା ରହିବ। ଏହା ସହିତ ରାତି ୧୨ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଶିଶୁ ଓ କିଶୋରମାନଙ୍କ ପାଇଁ ଆପ୍‌ ବ୍ୟବହାର ଉପରେ ରୋକ ଲଗାଯିବ।

୨୦୨୩ରେ ଆମେରିକାର ଅନେକ ରାଜ୍ୟର ଆଟର୍ଣ୍ଣି ଜେନେରାଲ Meta ବିରୋଧରେ ମାମଲା ଦାୟର କରିଥିଲେ। ଅଭିଯୋଗ ଥିଲା, Facebook ଓ Instagramରେ ଏପରି ଫିଚର ଡିଜାଇନ କରାଯାଇଛି ଯାହା ଶିଶୁ ଓ କିଶୋରମାନଙ୍କୁ ଦୀର୍ଘ ସମୟ ଧରି ଆପ୍‌ ବ୍ୟବହାର କରିବାକୁ ଉତ୍ସାହିତ କରୁଛି। ରାଜ୍ୟଗୁଡ଼ିକର ଅଭିଯୋଗ ଅନୁସାରେ, ଏହା ଶିଶୁମାନଙ୍କ ମାନସିକ ଓ ଶାରୀରିକ ସ୍ବାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ। ଏହା ସହିତ ଏହି ବିପଦ ସମ୍ପର୍କରେ ଅଭିଭାବକ ଓ ବ୍ୟବହାରକାରୀଙ୍କୁ କମ୍ପାନୀ ଯଥେଷ୍ଟ ସୂଚନା ଦେଇନଥିବା ମଧ୍ୟ ଅଭିଯୋଗ ହୋଇଥିଲା। ଅଗଷ୍ଟ ୨୦୨୬ରେ କାଲିଫର୍ଣ୍ଣିଆର ଏକ ଫେଡେରାଲ କୋର୍ଟରେ ମାମଲାର ଶୁଣାଣି ଆରମ୍ଭ ହୋଇଥିଲା। ବୁଝାମଣା ପରେ ଏବେ ଏହା ଟ୍ରାୟାଲ ଭାବେ ଆଗକୁ ବଢ଼ିବ ନାହିଁ। ତେବେ ବୁଝାମଣାକୁ ଅନ୍ତିମ ମଞ୍ଜୁରି ଅଦାଲତ ଦେବାକୁ ବାକି ଅଛି।

ଫେସବୁକ-ଇନଷ୍ଟାରେ କ’ଣ ବଦଳିବ?

ସବୁଠାରୁ ବଡ଼ ପରିବର୍ତ୍ତନ ୧୮ ବର୍ଷରୁ କମ ବୟସର ୟୁଜର୍ସମାନଙ୍କ ପାଇଁ ହେବ

ଦିନକୁ ୨ ଘଣ୍ଟାର ସୀମା: ଫେସବୁକ ଓ ଇନଷ୍ଟାଗ୍ରାମକୁ ମିଶାଇ ପ୍ରତିଦିନ ୨ ଘଣ୍ଟାର ଡିଫଲ୍ଟ ବ୍ୟବହାର ସୀମା ରହିବ। ଏହି ସୀମା ହଟାଇବା ପାଇଁ ଅଭିଭାବକଙ୍କ ଅନୁମତି ଆବଶ୍ୟକ ହେବ। ଉଭୟ ଆପ୍‌ରେ ବିତାଉଥିବା ସମୟ ଏହି ମୋଟ ସୀମାରେ ଗଣନା କରାଯିବ।

ରାତିରେ ଆପ୍‌ ବନ୍ଦ: ରାତି ୧୨ଟାରୁ ସକାଳ ୬ଟା ପର୍ଯ୍ୟନ୍ତ କିଶୋରମାନେ ଫେସବୁକ ଓ ଇନଷ୍ଟାଗ୍ରାମ ବ୍ୟବହାର କରିପାରିବେ ନାହିଁ।

ସ୍କୁଲ ସମୟରେ ନୋଟିଫିକେସନ ବନ୍ଦ: ସକାଳ ୮ଟାରୁ ଦିନ ୩ଟା ପର୍ଯ୍ୟନ୍ତ ଡିଫଲ୍ଟ ଭାବେ ନୋଟିଫିକେସନ ମ୍ୟୁଟ ରହିବ। ତେବେ ସିଧାସଳଖ ମେସେଜ ଏବଂ ସୁରକ୍ଷା ସମ୍ବନ୍ଧୀୟ ଜରୁରୀ ଆଲର୍ଟ ଆସିପାରିବ।

ନିୟମିତ ବ୍ରେକ୍‌ ପାଇଁ ରିମାଇଣ୍ଡର: ଲଗାତାର ଆପ୍‌ ବ୍ୟବହାର ସମୟରେ କିଶୋରମାନଙ୍କୁ ନିୟମିତ ବିରତି ନେବା ପାଇଁ ରିମାଇଣ୍ଡର ଦିଆଯିବ।

Odisha’s No.1 Odia Daily

Share