କୃଷି ବଜେଟର ଭିତିରି କଥା

ଆମ ଦେଶରେ କର୍ନାଟକ ସରକାର ପ୍ରଥମେ ୨୦୧୧-୧୨ରେ ସାଧାରଣ ବଜେଟ ସହିତ ସ୍ବତନ୍ତ୍ର କୃଷିବଜେଟ ପ୍ରସ୍ତୁତ କଲେ। ଓଡ଼ିଶା ୨୦୧୨-୧୩ ଆର୍ଥିକବର୍ଷଠାରୁ ସ୍ବତନ୍ତ୍ର କୃଷି ଓ ଆନୁଷଙ୍ଗିକ ବିଭାଗ ପାଇଁ ବଜେଟ ପ୍ରସ୍ତୁତ କରୁଛି। ଏହି ବଜେଟରେ କୃଷିବିଭାଗ, ଜଳସମ୍ପଦ ବିଭାଗ, ସମବାୟ ବିଭାଗ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ତଥା ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗଗୁଡିକ ସାମିଲ ହୋଇଥାଏ। କାରଣ ଏହିସବୁ ବିଭାଗର ସାମୂହିକ ଉଦ୍ୟମରେ କୃଷି ବିକାଶ ହୋଇଥାଏ।
ଚଳିତବର୍ଷ ରାଜ୍ୟ ସରକାର ମୋଟ ୩,୧୦,୦୦୦ କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି; ଯେଉଁଥିରେ କାର୍ଯ୍ୟକ୍ରମ ବାବଦରେ ୧,୮୦,୦୦୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ମୋଟ ବଜେଟ ମଧ୍ୟରୁ ୪୨,୪୯୨ କୋଟି ଟଙ୍କାର ସ୍ବତନ୍ତ୍ର କୃଷିବଜେଟ ଉପସ୍ଥାପନ କରାଯାଇଛି; ଯାହା ଗତବର୍ଷ ଅପେକ୍ଷା ୧୨.୩ ପ୍ରତିଶତ ଅଧିକ। ଏହି ବଜେଟରେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପାଇଁ ୧୪,୭୦୧ କୋଟି, ଜଳ ସମ୍ପଦ ବିକାଶ ବିଭାଗ ପାଇଁ ୧୬,୪୮୯ କୋଟି, ମତ୍ସ୍ୟ ଓ ପ୍ରାଣୀସମ୍ପଦ ଉନ୍ନୟନ ବିଭାଗ ପାଇଁ ୨୦୧୯ କୋଟି, ସମବାୟ ବିଭାଗ ପାଇଁ ୨୩୩୪ କୋଟି ଏବଂ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପାଇଁ ୧୯୦୭ କୋଟି ଟଙ୍କା ଅନ୍ତର୍ଭୁକ୍ତ। କୃଷି ବଜେଟ ପରିମାଣ ମୋଟ ବଜେଟର ୧୩.୭ ପ୍ରତିଶତ ଯଦିଓ ରାଜ୍ୟ ଜିଡିପିକୁ କୃଷିର ଅବଦାନ ୧୯.୫ ପ୍ରତିଶତ। ସୁତରାଂ କୃଷି ବଜେଟ ଆଉଟିକେ ଅଧିକ ହେବାର ଥିଲା । ତେବେ ଗ୍ରାମ୍ୟ ଉନ୍ନୟନ ବିଭାଗରେ ପରୋକ୍ଷ ଭାବରେ କୃଷିପାଇଁ କିଛି ବ୍ୟବସ୍ଥା ରହିଛି। ଯେପରି କି ମନରେଗା/ ବି ଭି ଜୀ ରାମ ଜୀ କାର୍ଯ୍ୟକ୍ରମ ମଧ୍ୟରେ ଜଳ ସୁରକ୍ଷା, ଗ୍ରାମୀଣ ଭିତ୍ତିଭୂମି, ଗ୍ରାମୀଣ ଜୀବିକାର୍ଜନ, ଜଳବାୟୁ ବିପର୍ଯ୍ୟୟ ପ୍ରଶମନ ପାଇଁ କେତେକ ବ୍ୟବସ୍ଥା ରହିଛି; ଯେଉଁଥିରେ ୫୫୭୫ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଏଥିପାଇଁ କେନ୍ଦ୍ର ସରକାରଙ୍କ ସହାୟତା ମଧ୍ୟ ରହିଛି। ସମୃଦ୍ଧ କୃଷକ ଯୋଜନାରେ ଧାନ ସଂଗ୍ରହ ପାଇଁ ସରକାର ସର୍ବନିମ୍ନ ସହାୟକ ମୂଲ୍ୟ ସହିତ ଅତିରିକ୍ତ ସହାୟତା ଇନପୁଟ ସବ୍‌ସିଡି କୁଇଣ୍ଟାଲ ପ୍ରତି ୮୦୦ ଟଙ୍କା ଦେଉଛନ୍ତି, ଯେପରି ଚାଷୀ କୁଇଣ୍ଟାଲ ପ୍ରତି ୩୧୦୦ ଟଙ୍କା ପାଇବେ। ଏ ବାବଦରେ ୬୯୮୮ କୋଟି ଟଙ୍କା ବ୍ୟୟ କରାଯିବ। ଅଧିକନ୍ତୁ ଖାଦ୍ୟ ଓ ଖାଉଟି କଲ୍ୟାଣ ବିଭାଗକୁ ଧାନ ଖରିଦ ପାଇଁ ୫୦୦୦ କୋଟି ଟଙ୍କାର ଆବର୍ତ୍ତନ ପାଣ୍ଠି ଦିଆଯାଇଛି। କୃଷକ ଆୟବୃଦ୍ଧି ପାଇଁ ସରକାର ଧାନ ସଂଗ୍ରହ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି, ଯାହା ପରିବେଶ ଦୃଷ୍ଟିକୋଣରୁ ସମୀଚୀନ ନୁହେଁ। କାରଣ ଏଥିରେ ପ୍ରୋତ୍ସାହିତ ହୋଇ ଚାଷୀ ଅଧିକ ଧାନଚାଷ କରିବେ ଓ ଅନ୍ୟ ଫସଲକୁ ଅଣଦେଖା କରିବେ। ଫଳରେ ଜଳସମ୍ପଦ ଉପରେ ଅଧିକ ଚାପ ପଡ଼ିବ ଓ ବାୟୁମଣ୍ଡଳକୁ ଧାନ ଜମିରୁ ମିଥେନ ବାଷ୍ପ ବାହାରି ଜଳବାୟୁ ପରିବର୍ତ୍ତନର ଏକ କାରଣ ହେବ। ସରକାର ବର୍ଷକୁ ପ୍ରାୟ ୬୦ ଲକ୍ଷ ଟନ ଧାନ ଆବଶ୍ୟକ କରୁଥିବା ସ୍ଥଳେ ୯୦ ଲକ୍ଷ ଟନ କିଣିବାକୁ ଯିବାରୁ ଭଣ୍ଡାର ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପ୍ରାଥମିକ ସେବା ସମବାୟ ସମିତି, ମିଲ ଗୋଦାମ ଓ ଭାରତୀୟ ଖାଦ୍ୟନିଗମ ପାଖରେ ଅଧିକ ଚାଉଳ ସାଇତି ରଖିବା ସମ୍ଭବ ନୁହେଁ। ଓଡ଼ିଶା ବେଶି ପରିମାଣରେ ଉଷୁନା ଚାଉଳ କରୁଥିବାରୁ ଏହାକୁ ଅନ୍ୟ ରାଜ୍ୟ ନେବାକୁ ପସନ୍ଦ କରୁ ନାହାନ୍ତି। ଓଡ଼ିଶାରେ ଅଧିକ ଧାନ କ୍ରୟ ନ କରି ଇନପୁଟ ସହାୟତା ଦେଇ ଡାଲି, ତୈଳବୀଜ, କପା ଇତ୍ୟାଦି କୃଷି ଉତ୍ପାଦ କ୍ରୟ କରାଗଲେ ଚାଷୀମାନେ ଫସଲ ବିବିଧିକରଣ ପାଇଁ ଅଧିକ ଉତ୍ସାହିତ ହୁଅନ୍ତେ। ଏହା ମଧ୍ୟ ଜଳବାୟୁ ସହନଶୀଳ କୃଷି ପାଇଁ ଏକ ମାର୍ଗ। ସେହିପରି ସି.ଏମ. କିଷାନ଼ ପାଇଁ ୨୦୩୦ କୋଟି ଟଙ୍କା ରଖାଯାଇଛି। ଏହା ଏକ ମାଗଣା ଯୋଜନା ପରି ଚାଷୀ ପରିବାରକୁ ୪୦୦୦ ଟଙ୍କା ଦୁଇଟି କିସ୍ତିରେ ଦିଆଯାଉଛି। ଚାଷୀ ଏହାକୁ କିଭଳି ବିନିଯୋଗ କରୁଛନ୍ତି କିଏ କହିବ? ନିକଟରେ ସୁପ୍ରିମ୍‌କୋର୍ଟ ମାଗଣା ସଂସ୍କୃତିକୁ କଡ଼ା ସମାଲୋଚନା କରିଛନ୍ତି। ଏହି ଅର୍ଥକୁ ଗୁରୁତ୍ୱପୂର୍ଣ୍ଣ କୃଷି ସାମଗ୍ରୀ ଆକାରରେ ଚାଷୀଙ୍କୁ ଯୋଗାଇ ଦେଲେ ହୁଏତ ଉତ୍ପାଦନ ବୃଦ୍ଧି ପାଆନ୍ତା।
ସରକାର ଶ୍ରୀ ଅନ୍ନ ଅଭିଯାନ ପାଇଁ ୪୦୦ କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି, ଯାହା ପୁଷ୍ଟିଶସ୍ୟ ଫସଲଗୁଡିକର ଉନ୍ନତି ପାଇଁ ସହାୟକ ହୋଇପାରିବ। ଏହି ଅର୍ଥରେ ମାଣ୍ଡିଆ ଜାତୀୟ ଫସଲ ସଘନ ଚାଷ ପାଇଁ ହେକ୍ଟର ପ୍ରତି ୫୦୦୦ ଟଙ୍କା ପର୍ଯ୍ୟନ୍ତ ଓ ଧାଡ଼ି ବୁଣା କିମ୍ବା ରୁଆ ପାଇଁ ୨୫୦୦ ଟଙ୍କାର ସହାୟତା ରହିଛି। ମାଣ୍ଡିଆକୁ ସାଧାରଣ ବଣ୍ଟନ ବ୍ୟବସ୍ଥା, ସମନ୍ବିତ ଶିଶୁବିକାଶ ଯୋଜନା ଓ ମଧ୍ୟାହ୍ନଭୋଜନରେ ବ୍ୟବହାର କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲେ ମଧ୍ୟ ଏହା ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ ହେଉନାହିଁ।
ଜୈବିକ ଚାଷ ପାଇଁ ୨୮ କୋଟି ଟଙ୍କାର ବ୍ୟୟବରାଦ ବହୁତ କମ। ସରକାର ୨ ଲକ୍ଷ ହେକ୍ଟର ଜମିରେ ଜୈବିକ ଚାଷ କରିବା ପାଇଁ ସ୍ଥିର କରି ତିନି ବର୍ଷରେ ହେକ୍ଟର ପାଇଁ ୩୨୫୦୦ ଟଙ୍କାର ସହାୟତା ଘୋଷଣା କରିବା ସତ୍ତ୍ୱେ ବ୍ୟୟବରାଦ ଅର୍ଥ ଆହୁରି ବୃଦ୍ଧି କରିବା ଉଚିତ ହୋଇଥାଆନ୍ତା। ଫସଲ ବିବିଧତା ପାଇଁ ୪୭୯ କୋଟି, ସାତଟି ଜିଲାରେ କଫିଚାଷ ପାଇଁ ୧୫୦ କୋଟି ଏବଂ ଆଖୁଚାଷ ପାଇଁ ୨୭ କୋଟି ଟଙ୍କା ପ୍ରାବଧନ କରାଯାଇଛି। ତେବେ ଏହାକୁ ଆହୁରି ଅଧିକ କରାଯାଇଥିଲେ ଚାଷୀ ଅଧିକ ଉତ୍ସାହିତ ହୋଇଥାଆନ୍ତେ। ରାଜ୍ୟର ତିନିଟି ମୁଖ୍ୟ ବ୍ୟବସାୟିକ ଫସଲ ହେଉଛି ଆଖୁ, କପା ଓ ଝୋଟ। ଏହି ତିନି ଫସଲର ପୁନରୁଦ୍ଧାର ସହିତ ଅଚଳାବସ୍ଥାରେ ଥିବା ମିଲ୍‌ଗୁଡ଼ିକ ସଚଳ କରିବା ପାଇଁ ବଜେଟରେ କୌଣସି ବ୍ୟବସ୍ଥା ନାହିଁ। ସରକାର ରାଜ୍ୟରେ ୫୮ ଗୋଟି ଶୀତଳ ଭଣ୍ଡାର ପାଇଁ ନିଷ୍ପତ୍ତି ନେଇଛନ୍ତି, କିନ୍ତୁ ଗୋଟିଏ ହେଲେ ବି ସମ୍ପୂର୍ଣ୍ଣ ହୋଇ ନାହିଁ। ଏବାବଦରେ ବଜେଟ ଆଶାନୁରୂପ ହେବା ଉଚିତ। କୃଷି ଶିକ୍ଷା ବିକାଶ ପାଇଁ ପ୍ରାୟ ୫୦ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି। ଏଥିରେ ମୟୂରଭଞ୍ଜ ଓ ବଲାଙ୍ଗୀର ଜିଲାରେ କୃଷି କଲେଜ, ସୋନପୁରରେ ମତ୍ସ୍ୟ କଲେଜ ଓ ଚିପିଲିମାରେ ପ୍ରାଣୀ ଚିକିତ୍ସା କଲେଜ ଆରମ୍ଭ କରିବାର ଯୋଜନା ଅଛି। ଭଲ କଥା। କିନ୍ତୁ ଓଡ଼ିଶା କୃଷି ବିଶ୍ୱବିଦ୍ୟାଳୟରେ ପ୍ରଫେସର ଅଭାବ ଓ ଗବେଷଣା ପାଇଁ ଅର୍ଥାଭାବ ରହିଛି। ଏଥିପାଇଁ ଅଧିକ ବ୍ୟୟ ବରାଦର ଆବଶ୍ୟକତା ରହିଛି। ଓଡ଼ିଶାରେ କୃଷି ସମ୍ପ୍ରସାରଣ ପାଇଁ ପଞ୍ଚାୟତ ସ୍ତରରେ ଗ୍ରାମ କୃଷିକର୍ମୀ ନାହାନ୍ତି। ଅନ୍ତତଃ ପ୍ରତି ଗ୍ରାମପଞ୍ଚାୟତର ଜଣେ ଲେଖାଏ ଗ୍ରାମ୍ୟ କୃଷି କର୍ମୀ ଅବସ୍ଥାପିତ ହେବା କଥା। ଏଥିପାଇଁ ସ୍ବତନ୍ତ୍ର ବଜେଟର ଆବଶ୍ୟକତା ରହିଛି। ଗ୍ରାମ୍ୟ ସ୍ତରରେ କୃଷି କର୍ମୀ ନ ଥିଲେ ଚାଷୀଙ୍କୁ ଶିକ୍ଷା ଦେବ କିଏ?
ରାଜ୍ୟର ନୀଳ ଅର୍ଥନୀତି ସୁଦୃଢ଼ କରିବା ପାଇଁ ପ୍ରୟାସ କରାଗଲେ ମଧ୍ୟ ଆଖିଦୃଶିଆ ବ୍ୟୟ ବରାଦ ଆବଶ୍ୟକ। ରାଜ୍ୟରେ ୩୩ ଲକ୍ଷ ଟନ ମାଛ, ବର୍ଷକୁ ୧୦୦୦ କୋଟି ଅଣ୍ଡା ଓ ଦୈନିକ ୧୬୫ ଲକ୍ଷ ଲିଟର କ୍ଷୀର ଉତ୍ପାଦନ ପାଇଁ ବ୍ୟବସ୍ଥା ସ୍ବାଗତଯୋଗ୍ୟ। ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ସହାୟକ ହୋଇପାରେ। ସମବାୟ ବିଭାଗ ପାଇଁ ଯେଉଁ ବ୍ୟୟବରାଦ କରାଯାଇଛି ସେଥିରୁ କୃଷି ରଣ ଉପରେ ରିହାତି ପାଇଁ ୧୦୭୦ କୋଟି ଟଙ୍କା, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ପାଇଁ ୫୦୦ କୋଟି ଟଙ୍କା ଓ ମଡେଲ ମଣ୍ଡି ପାଇଁ ୧୦୦ କୋଟି ଟଙ୍କା ରଖାଯାଇଛି। ଶୀତଳ ଭଣ୍ଡାର କିମ୍ବା ଗ୍ରାମୀଣ ଭଣ୍ଡାର ଓ ପ୍ରାଥମିକ ସେବା ସମବାୟ ସମିତି ଗୋଦାମ ପାଇଁ ବ୍ୟୟବରାଦ ଆବଶ୍ୟକ ଥିଲା। ମୋଟ ଉପରେ କହିବାକୁ ଗଲେ ରାଜ୍ୟର କୃଷି ବଜେଟ ଯେତିକି ରଖାଯାଇଛି ତାକୁ ସମ୍ପୃକ୍ତ ବିଭାଗ କ୍ୱାର୍ଟର୍ଲି ବଜେଟାରି ନର୍ମରେ ସମ୍ପୂର୍ଣ୍ଣ ବିନିଯୋଗ କରିବା ସହିତ ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିବା ପାଇଁ ଅଧିକ ସଜାଗ ହେବା ଆବଶ୍ୟକ। ଏଥିପାଇଁ ସରକାର ସ୍ବତନ୍ତ୍ର ପର୍ଯ୍ୟବେକ୍ଷକ ଓ ମୂଲ୍ୟାୟକ ନିଯୁକ୍ତ କରିବାରେ ଅବହେଳା କରିବା ଉଚିତ ନୁହେଁ।
କଳିଙ୍ଗନଗର, ଭୁବନେଶ୍ବର
ମୋ: ୯୪୩୭୦୭୧୧୯୦

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଝିଅ ଅନ୍ୟଜାତିରେ ବିବାହ କରିବାରୁ ମଲାପରେ ବାପାଙ୍କୁ ମିଳିଲାନି ଚାରି କାନ୍ଧ, ବଡ଼ ପୁଅ ବି ଆସିଲେନି…

ନବରଙ୍ଗପୁର,୨୫।୨(ସଦାଶିବ ପ୍ରହରାଜ): ଆଜିର ସଭ୍ୟ ସମାଜରେ ଜାତିପ୍ରଥା ଭଳି ପରମ୍ପରା ବଞ୍ଚିରହିଛି । ଜାତିପ୍ରଥା ଯୋଗୁ ଶବକୁ ମିଳିଲାନି ଚାରି କାନ୍ଧ । ଏପରିକି ବଡ଼ ପୁଅ…

ବିଜେଡିର ତୁମ୍ବିତୋଫାନ: ପ୍ରସଙ୍ଗ ଏକ, ବିଚାର ଭିନ୍ନ

ଭୁବନେଶ୍ୱର,୨୫।୨(ରବିନାରାୟଣ ଜେନା):ବିଧାନସଭାର ବଜେଟ ଅଧିବେଶନରେ ବିରୋଧୀ ବିଜେଡି ଏବଂ କଂଗ୍ରେସର ଭିନ୍ନ ବିଚାର ଧାରା ଦେଖିବାକୁ ମିଳିଛି। ୨ ଦଳ ଚାଷୀ ପ୍ରସଙ୍ଗକୁ ନେଇ ସରକାରଙ୍କୁ ହରଡ଼ଘଣାରେ…

ଶୌଚ ହେବାକୁ ଯାଇଥିବାବେଳେ ହାତୀ ହାବୁଡ଼ରେ ପଡିଗଲେ ବ୍ୟକ୍ତି, ଦଳିଦେଲା ହାତୀ

ନିରାକାରପୁର, ୨୫।୨(ମାନସ ଚନ୍ଦ୍ର ପଟ୍ଟନାୟକ ): ଖୋର୍ଦ୍ଧା ଜିଲା ଟାଙ୍ଗୀ ବନାଞ୍ଚଳ ଅଧୀନସ୍ଥ ନରମାନବି ଗ୍ରାମର ବାବୁଲି ପରିଡା (୪୫)ଙ୍କ ମୃତ୍ୟୁ ଘଟିଛି । କିଛି ଗ୍ରାମବାସୀଙ୍କ…

କଦଳୀ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ: ୫ ଲକ୍ଷରୁ ଉର୍ଦ୍ଧ୍ୱ ସମ୍ପତ୍ତି ଜଳିପୋଡି ପାଉଁଶ

ବାଲେଶର, ୨୫।୨( ବାଞ୍ଛାନିଧି ଦେ ): କଦଳୀ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ। ବାଲେଶ୍ୱର ସହଦେବଖୁଣ୍ଟା ଥାନା ଫାଣ୍ଡି ଛକ ନିକଟ ଏକ କଦଳୀ ଗୋଦାମରେ ନିଆଁ ଲାଗି…

ରାଷ୍ଟ୍ର ହିତରେ ନା କ୍ୟାଡର: ଏମାନଙ୍କ ସମ୍ଭାବନାକୁ ଏଡ଼ାଯାଇ ନ ପାରେ

ଭୁବନେଶ୍ୱର, ୨୫।୨(ସୁନିତ୍‌ ମିଶ୍ର):ଦେଶର ୧୦ ରାଜ୍ୟର ମୋଟ୍‌ ୩୭ଟି ରାଜ୍ୟ ସଭା ଆସନ ଲାଗି ଆସନ୍ତା ମାର୍ଚ୍ଚ ୧୬ରେ ନିର୍ବାଚନ ହେବ। ଏନେଇ ଗତ ସପ୍ତାହରେ ବିଜ୍ଞପ୍ତି…

ଅସ୍ମିତାର ପ୍ରଥମ ପରିଚୟ

ପିଲାଟି ଯେତେବେଳେ ମାତୃଭାଷା ଛାଡି ଅନ୍ୟଭାଷାରେ ବିଶେଷ କରି ଇଂରାଜୀରେ ଦୁଇପଦ କହିଥାଏ ସେତେବେଳେ ତା’ମା’ବାପା ଖୁସିରେ ଫାଟି ପଡନ୍ତି। ଭାବନ୍ତି ପିଲାଟି କେତେ ଆଗେଇଲାଣି। ଆମ…

ମାତାପିତାଙ୍କୁ କାଉନ୍‌ସେଲିଂ

ପ୍ରତ୍ୟେକ ପିଲା ଅଦ୍ୱିତୀୟ। ଜଣଙ୍କୁ ଅନ୍ୟ ସହ ତୁଳନା କରିବା ଉଚିତ ନୁହେଁ। ଏବେ ଦେଖାଯାଉଛି ଅନେକ ମାତାପିତା, ଅଭିଭାବକ ଓ ଶିକ୍ଷୟିତ୍ରୀଶିକ୍ଷକ ପିଲାମାନଙ୍କୁ ମାର୍କ ମେଶିନ୍‌ରେ…

ପଞ୍ଚାୟତ ନିର୍ବାଚନକୁ ନେଇ ବଡ଼ ବୟାନ ଦେଲେ ମନ୍ତ୍ରୀ: ଆଗୁଆ…

ଭୁବନେଶ୍ୱର,୨୫।୨ (ରବିନାରାୟଣ ଜେନା):ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଅବଧି ପୂର୍ବରୁ ହେବନାହିଁ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ ସ୍ପଷ୍ଟ କରିଛନ୍ତି। ମଙ୍ଗଳବାର ବିଧାନସଭାରେ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri