ବଲାଙ୍ଗୀର ଅଫିସ, ୪ା୧୧:ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ବିସ୍ତୃତ ଅଞ୍ଚଳରେ ଦୀର୍ଘବର୍ଷ ହେଲା ଚାଷୀ ଉତ୍ସାହିତ ହୋଇ ଅର୍ଥକରୀ କପାଚାଷ କରୁଛନ୍ତି। ଧଳାସୁନାର ଅଞ୍ଚଳ ଭାବେ ପରିଚିତ ଏହି ଇଲାକାର ଅନୁକୂଳ ଜଳବାୟୁ ଏବଂ ଭୂମିରୂପ କପାକୁ ସୁହାଉଛି। ଏଠାକାର ଉତ୍କୃଷ୍ଟ କପା ଦେଶ ବିଦେଶକୁ ରପ୍ତାନି ହେଉଛି। ସମଗ୍ର ଓଡ଼ିଶାରେ ବାର୍ଷିକ ୧ ହଜାର କୋଟିରୁ ଊର୍ଦ୍ଧ୍ୱ ଟଙ୍କାର କାରବାର କେବଳ ଏହି କ୍ଷେତ୍ରରୁ ଆସୁଛି। ସାଧାରଣତଃ କପା କିଆରିରେ କୀଟ ଲାଗିଲେ କୀଟନାଶକ ଦ୍ୱାରା ଚାଷୀ ନିସ୍ତାର ପାଇଥାଏ। ମାତ୍ର ସରକାରୀସ୍ତରରେ ଉପଯୁକ୍ତ ପଦକ୍ଷେପ ଅଭାବରୁ ଅମଳ ପୂର୍ବରୁ ଧଳାସୁନାରେ ଆନ୍ଧ୍ରପ୍ରଦେଶ ଓ ମହାରାଷ୍ଟ୍ରର ଦଲାଲମାନେ କୀଟ ଭଳି ଲାଗିଯାଉଛନ୍ତି।

ପଶ୍ଚିମ ଓଡ଼ିଶାର ବଲାଙ୍ଗୀର, କଳାହାଣ୍ଡି, ନୂଆପଡ଼ା, ସୁବର୍ଣ୍ଣପୁର, ବୌଦ୍ଧ, ବରଗଡ଼ ଏବଂ ଦକ୍ଷିଣ ଓଡ଼ିଶାର ରାୟଗଡ଼ା, କୋରାପୁଟ, ଗଜପତି ଜିଲାରେ ଗତ କିଛିବର୍ଷ ହେଲା କପାଚାଷ ବୃଦ୍ଧି ପାଇଛି। ଏକ ତଥ୍ୟ ମୁତାବକ ୧୯୮୦ ମସିହାରେ ଓଡ଼ିଶାରେ ମାତ୍ର ୫ ହଜାର ହେକ୍ଟର ଜମିରେ କପାଚାଷ କରାଯାଉଥିଲାବେଳେ ୨୦୨୨ ବେଳକୁ ଏହା ୨ ଲକ୍ଷ ହେକ୍ଟରକୁ ପରିବ୍ୟାପ୍ତ ହୋଇଛି। ଅନ୍ତର୍ଜାତୀୟ ବଜାର ଅନୁଯାୟୀ କପାମୂଲ୍ୟ ଆକଳନ ହେଉଥିବାରୁ ଜାତୀୟସ୍ତରରେ ସରକାର କପାର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ନିର୍ଦ୍ଧାରିତ କରିଥାନ୍ତି। ତେବେ ବଜାରରେ ଚାହିଦା ଯୋଗୁ ଏମ୍‌ଏସ୍‌ପିଠାରୁ ଢେର ଅଧିକ ଦରରେ କପା ବିକ୍ରି ହେଉଛି।
୨୦୨୧ ବର୍ଷରେ କପା ଏମ୍‌ଏସ୍‌ପି କୁଇଣ୍ଟାଲ ପିଛା ମୂଲ୍ୟ ୬,୦୨୫ ଟଙ୍କା ଧାର୍ଯ୍ୟ ହୋଇଥିଲା। ତେବେ ଗତବର୍ଷ କୁଇଣ୍ଟାଲ ପିଛା ସର୍ବାଧିକ ୧୨ ହଜାର ଟଙ୍କା ପର୍ଯ୍ୟନ୍ତ କପା ବିକ୍ରି ହୋଇଥିବା ଜଣାପଡ଼ିଛି। ଗତ ଋତୁରେ ବଲାଙ୍ଗୀର ଜିଲାରେ ରାଜ୍ୟ ବାହାରର ବ୍ୟବସାୟୀ (ବିଡର୍ସ)ଙ୍କୁ କପାକ୍ରୟ ସୁଯୋଗ ଦିଆଯାଇଥିଲା। ଫଳରେ କପା କୁଇଣ୍ଟାଲ ପିଛା ମୂଲ୍ୟ ଦ୍ୱିଗୁଣିତ ହୋଇଥିବା ବେଳେ ଜିଲାର ଚାଷୀମାନେ ଲାଭବାନ୍‌ ହୋଇଥିବା କୁହାଯାଇଥିଲା। ସ୍ଥୂଳଦୃଷ୍ଟିରେ ଏଇ ତଥ୍ୟ ଅନେକାଂଶରେ ସତ୍ୟ ପ୍ରତୀତ ହୋଇଥିଲେ ମଧ୍ୟ ବାସ୍ତବ କ୍ଷେତ୍ରରେ ତୃଣମୂଳସ୍ତରରେ ଏଥିରେ ବିସଙ୍ଗତି ରହିଛି। ପୂର୍ବାପେକ୍ଷା ପ୍ରକୃତ ଚାଷୀ ଅଧିକ ଲାଭବାନ୍‌ ହୋଇଥିଲେ ମଧ୍ୟ ଦଲାଲ ବା ମଧ୍ୟସ୍ଥଙ୍କଠାରୁ ଯେ କମ୍‌ ଲାଭବାନ ହେଉଛି ଏହା ସ୍ପଷ୍ଟ ଦେଖାଯାଉଛି। କପା ଏକ ଅର୍ଥକରୀ ଫସଲ ହୋଇଥିବାରୁ ଏହି ଚାଷ ଓ ବ୍ୟବସାୟରେ ଚାଷୀଙ୍କ ଅପେକ୍ଷା ଦଲାଲଙ୍କ ସକ୍ରିୟତା ବଢ଼ି ଚାଲିଛି। କପାକ୍ରୟ ଦିଗରେ ସରକାରୀ ନୀତି ଏବଂ ବ୍ୟବସ୍ଥା ଭିତର ଫାଙ୍କରେ ଦଲାଲମାନେ ସହଜରେ ଗଳିଯାଇ ଚାଷୀଙ୍କ ଲାଭରୁ ବାଟମାରଣା କରୁଛନ୍ତି। ଫଳରେ ରାଜ୍ୟ ବାହାର ବିଡର୍ସ, ସ୍ଥାନୀୟ ମିଲର୍ସ ଓ ଦଲାଲ ଅତ୍ୟଧିକ ଫାଇଦା ଉଠାଉଛନ୍ତି। ପ୍ରକୃତ ଚାଷୀ କୁଇଣ୍ଟାଲ ପିଛା ଗତବର୍ଷ ୭ ହଜାର ଟଙ୍କା ପାଇଥିବାବେଳେ ଚାଷୀଙ୍କଠାରୁ କପାକିଣି ଦଲାଲମାନେ କୁଇଣ୍ଟାଲ ପିଛା ୧୦ରୁ ୧୨ ହଜାର ଟଙ୍କା ପାଇଥିବା ଜଣାପଡିଛି। ବିଡର୍ସ ବ୍ୟବସ୍ଥା କରି କପା କ୍ରୟମୂଲ୍ୟ ବୃଦ୍ଧି କରିବାରେ ସଫଳ ହୋଇଥିଲେ ମଧ୍ୟ ପ୍ରଶାସନ ଦଲାଲଙ୍କ ସକ୍ରିୟତା ରୋକିବାରେ ଫେଲ ମାରିଛି। ବେଲପଡା ବ୍ଲକ ସିହିନୀ ଗଁାର ଚାଷୀ ରାଜେନ୍ଦ୍ର ବେହେରା କହିଛନ୍ତି ଯେ, ପୂର୍ବାପେକ୍ଷା ଗତବର୍ଷ କପା କୁଇଣ୍ଟାଲ ପିଛା ଅଧିକ ଟଙ୍କା ମିଳିଛି। ମାତ୍ର ମିଲର୍ସ ବଦଳରେ ସରକାର ନିଜେ ଚାଷୀଙ୍କଠାରୁ ମଣ୍ଡି ଜରିଆରେ ଅଧିକ ଟଙ୍କାରେ କିଣନ୍ତୁ। ଧାନ ପରି କପାର ମଣ୍ଡି ବ୍ୟବସ୍ଥା କରାଯାଉ।
ସରକାରଙ୍କ କପାକ୍ରୟ ନୀତିରେ ତ୍ରୁଟି ଏବଂ ଉଦାସୀନତା ଯୋଗୁ ଚାଷୀ ପ୍ରକୃତ ଲାଭରୁ ବଞ୍ଚତ୍ତ ହେଉଛନ୍ତି। ଚଳିତବର୍ଷ କଟନ କର୍ପୋରେଶନ୍‌ ଅଫ୍‌ ଇଣ୍ଡିଆ (ସିସିଆଇ) ପକ୍ଷରୁ ସର୍ବନିମ୍ନ କପା ମୂଲ୍ୟ କୁଇଣ୍ଟାଲ ପିଛା ୬,୩୮୦ ଟଙ୍କା ଧାର୍ଯ୍ୟ କରାଯାଇଛି। ନଭେମ୍ବର ପ୍ରଥମ ସପ୍ତାହରୁ ବଲାଙ୍ଗୀର ସମେତ ଅନ୍ୟ ଜିଲାରେ କପା ଅମଳ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ହେଲେ ଏ ଯାଏ ଜିଲାରେ କପା କ୍ରୟ କମିଟି (ଡିଏଲ୍‌ପିସି) ବୈଠକ ବସିନାହିଁ। କପା ଅମଳ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବାରୁ ଏବେ ଗଁା ଗଁାରେ ଦଲାଲ ବା ମଧ୍ୟସ୍ଥ ସକ୍ରିୟ ହୋଇଗଲେଣି। ବିଭିନ୍ନ ସ୍ଥାନରୁ ରାଜ୍ୟ ବାହାରକୁ କପା ଚାଲାଣ ଆରମ୍ଭ ହୋଇଗଲାଣି। ଦାଦନ ଶ୍ରମିକଙ୍କ ଭଳି କପାଚାଷରେ ବି ବଇନା ବା ଅଗ୍ରିମ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଥାଏ। ବ୍ୟବସାୟୀ ଓ ଦଲାଲମାନେ ଚାଷୀଙ୍କୁ ଅଗ୍ରିମ ଟଙ୍କା, ମଞ୍ଜି, ସାର ଓ କୀଟନାଶକ ଦେଇ ଚୁକ୍ତି ଅନୁସାରେ କପାଚାଷ କରାଇଥାନ୍ତି। ଚଳିତବର୍ଷ ମଧ୍ୟ ଦଲାଲମାନେ ସେହି ପନ୍ଥାରେ ଚାଷୀଙ୍କଠାରୁ କପା ନେବା ଆରମ୍ଭ କରିଛନ୍ତି।
ସରକାରୀସ୍ତରରେ କପାଚାଷୀଙ୍କୁ ପ୍ରୋତ୍ସାହନ କଥା କୁହାଯାଉଥିଲେ ମଧ୍ୟ ଦଲାଲଙ୍କ ଶୋଷଣ ରୋକିବା ଦିଗରେ ବାସ୍ତବ ନିୟମ ନାହିଁ। ଏଭଳି ସ୍ଥିତିରେ ଚାଷୀ ଅପେକ୍ଷା ଦଲାଲମାନେ ଲାଭବାନ ହେବା ଦେଖାଯାଉଛି। ବଲାଙ୍ଗୀର ଜିଲାରେ ମାତ୍ର ତିନୋଟି ଆର୍‌ଏମ୍‌୍‌ସି ରହିଛି। ଆର୍‌ଏମ୍‌ସି ବ୍ୟତୀତ ଅନ୍ୟସ୍ଥାନରେ ମଣ୍ଡି ଖୋଲାଯାଉନାହିଁ। ଏମ୍‌ଏସ୍‌ପି ଠାରୁ ଢେର ଅଧିକ ଦରରେ କପାକ୍ରୟ ହେଉଥିବାରୁ ସିସିଆଇ ହସ୍ତକ୍ଷେପର ଆବଶ୍ୟକତା ପଡୁନାହିଁ। ଦଲାଲମାନେ ଏମ୍‌ଏସ୍‌ପି ଠାରୁ ସାମାନ୍ୟ ଅଧିକ ଟଙ୍କା ଦେଇ ସିଧାସଳଖ ଚାଷୀଙ୍କଠାରୁ କପା କିଣିନେଉଛନ୍ତି। ଧାନଚାଷ ଭଳି କପାଚାଷୀଙ୍କ ପଞ୍ଜୀକରଣ ବ୍ୟବସ୍ଥା ନ ଥିବାରୁ କିଏ ଚାଷୀ କିଏ ଦଲାଲ ଚିହ୍ନିବା ମୁସ୍କିଲ। ଏଭଳି କ୍ଷେତ୍ରରେ ପ୍ରକୃତ ଚାଷୀଙ୍କୁ କପାର ଉଚିତ ମୂଲ୍ୟ ଓ ଲାଭ ମିଳିବା କଷ୍ଟକର ହୋଇପଡିଛି। ଏବେ ଅନ୍ତର୍ଜାତୀୟ ବଜାରରେ କପାମୂଲ୍ୟ ବୃଦ୍ଧି ଯୋଗୁ ଏମ୍‌ଏସ୍‌ପିଠାରୁ ଅଧିକ ମୂଲ୍ୟରେ ବିକ୍ରି ହେଉଛି। ସରକାର ଏ ଦିଗରେ ଏବେଠୁ ସଜାଗ ନ ହେଲେ ରାଜ୍ୟର କପାଚାଷୀ ପ୍ରଭାବିତ ହେବା ଆଶଙ୍କା ଦେଖାଯାଇଛି। ଅପରପକ୍ଷରେ ରାଜ୍ୟ ବାହାରକୁ କପା ଚାଲିଯାଉଥିବାରୁ ରାଜ୍ୟର ଜିନିଂମିଲ୍‌ ମଧ୍ୟ ପ୍ରଭାବିତ ହେବା ଆଶଙ୍କା ଦେଖାଯାଇଛି। ଏନେଇ ବଲାଙ୍ଗୀର ଜିଲାପାଳ ଚଞ୍ଚଳ ରାଣାଙ୍କୁ ପଚରାଯିବାରୁ କପାଚାଷୀଙ୍କୁ ଯେଭଳି ଅଧିକ ଆର୍ଥିକ ଲାଭ ମିଳିବ ସେ ଦିଗରେ ପ୍ରଶାସନ ବ୍ୟବସ୍ଥା କରୁଛି। ଚାଷୀ ଥରେ କପାର ମାର୍କେଟ ମୂଲ୍ୟ ସମ୍ପର୍କରେ ସଚେତନ ହୋଇଗଲେ ମଧ୍ୟସ୍ଥ ବା ବ୍ୟବସାୟୀ କେହି ତାଙ୍କୁ ଆଉ ଠକିପାରିବେ ନାହିଁ। ଏବେ କପା ଅଧିକ ମୂଲ୍ୟରେ ବିକ୍ରୟ ହେଉଛି। ଏହି ସମୟରେ ଚାଷୀ କିଭଳି ଅଧିକ ମୂଲ୍ୟ ପାଇବେ ସେ ଦିଗକୁ ପ୍ରାଥମିକତା ଦେଉଛୁ। ଏଦିଗରେ ଅନ୍ୟ କୌଣସି ସମସ୍ୟା ଉପୁଜିଲେ ତା’ର ସମାଧାନ ଦିଗରେ ଠୋସ୍‌ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।
ପ୍ରକାଶଯୋଗ୍ୟ ଯେ, ୨୦୦୬-୦୭ ମସିହା ତଥ୍ୟ ଅନୁଯାୟୀ ଅବିଭକ୍ତ କଳାହାଣ୍ଡି ଜିଲାରେ ୨୨ ହଜାର ୧୨୦ ହେକ୍ଟର, ବଲାଙ୍ଗୀର ଜିଲାରେ ୨୦ ହଜାର ୬ ଶହ ହେକ୍ଟର ଏବଂ ଅବିଭକ୍ତ କୋରାପୁଟ ଜିଲାରେ ୧୫ ହଜାର ୬୨୦ ହେକ୍ଟର ଜମିରେ କପାଚାଷ ହୋଇଥିଲା। ଚଳିତ ୨୦୨୨-୨୩ ଖରିଫ ଋତୁରେ କଳାହାଣ୍ଡି ଜିଲାରେ ୭୦ ହଜାର ୭୮୦ ହେକ୍ଟର, ନୂଆପଡା ଜିଲାରେ ୧୫ ହଜାର ୬୨୯ ହେକ୍ଟର, ବଲାଙ୍ଗୀର ଜିଲାରେ ୬୨ ହଜାର ୪୩୩ ହେକ୍ଟର ଏବଂ ସୁବର୍ଣ୍ଣପୁର ଜିଲାରେ ୫ ହଜାର ୩୨୩ ହେକ୍ଟର, ବୌଦ୍ଧ ଜିଲାରେ ୫ ହଜାର ୩୪୧ ହେକ୍ଟର, ବରଗଡ ଜିଲାରେ ୨ ହଜାର ୭୯୫ ହେକ୍ଟର ଜମିରେ କପାଚାଷ କରାଯାଇଛି। ସେହିପରି ରାୟଗଡା ଜିଲାରେ ଚଳିତବର୍ଷ ୪୫ ହଜାର ୯୬୭ ହେକ୍ଟର, କୋରାପୁଟ ଜିଲାରେ ୧ ହଜାର ୬୩୫ ହେକ୍ଟର ଏବଂ ଗଜପତି ଜିଲାରେ ୨ ହଜାର ୩୭୮ ହେକ୍ଟର ଜମିରେ କପାଚାଷ କରାଯାଇଛି।

ବୀରେନ୍ଦ୍ର କୁମାର ଝାଙ୍କର

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?