ଭୁବନେଶ୍ୱର,୨୯ା୧୨(ସୁଚିସ୍ମିତା ସାହୁ):ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନ ତଥା ରାଜଧାନୀର ସର୍ବପୁରାତନ ବକ୍ସି ଜଗବନ୍ଧୁ ବିଦ୍ୟାଧର ସ୍ବୟଂଶାସିତ ମହାବିଦ୍ୟାଳୟ ହଷ୍ଟେଲରେ ଦିଆଯାଉଛି ନିମ୍ନମାନର ଖାଦ୍ୟ ଦିଆଯାଉଛି। କେତେବେଳେ ଭାତରୁ ପୋକ ତ ପୁଣି କେତେବେଳେ ତରକାରି ଓ ଉପମାରୁ ପୋକ, ମାଛି, ତେଲଗୁଣି ବାହାରୁଛି। ଏଭଳି ନିମ୍ନମାନର ଓ ଅସ୍ବାସ୍ଥ୍ୟକର ଖାଦ୍ୟକୁ ନେଇ ହଷ୍ଟେଲ ଅନ୍ତେବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ଏନେଇ ସେମାନେ ବାରମ୍ବାର କଲେଜ କର୍ତ୍ତୃପକ୍ଷ ଓ ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ଅଭିଯୋଗ କରୁଥିଲେ ମଧ୍ୟ କିଛି ସୁଫଳ ନ ମିଳିବାରୁ ସେମାନଙ୍କ ସହ କେତେଜଣ ଅଭିଭାବକ ଗଣମାଧ୍ୟମରେ ଅଭିଯୋଗ କରିଛନ୍ତି। କାଳେ ସେମାନେ କଲେଜ କର୍ତ୍ତୃପକ୍ଷଙ୍କ ଆକ୍ରୋଶର ଶିକାର ହେବେ, ସେହି ଭୟରେ ସେମାନେ ଅଭିଯୋଗ ସମୟରେ ନାମ ଗୋପନ ରଖିଛନ୍ତି।
ଅଭିଯୋଗ ଅନୁସାରେ, କଲେଜ ପରିସରରେ ଥିବା ଅଶୋକା ଛାତ୍ର ନିବାସରେ ଗତ ୩ ମାସ ହେବ ଏଭଳି ନିମ୍ନମାନର ଖାଦ୍ୟ ଦିଆଯାଇ ଛାତ୍ରଙ୍କ ସ୍ବାସ୍ଥ୍ୟ ସହ ଖେଳ ଖେଳାଯାଉଛି। ଏହି ହଷ୍ଟେଲରେ ପାଖାପାଖି ୩ଶହରୁ ଅଧିକ ଛାତ୍ର ରହୁଛନ୍ତି। ଅଧିକାଂଶ ପିଲାଙ୍କ କହିବା କଥା, ଏଠାରେ ଭଲ ଖାଦ୍ୟ ଦିଆଯାଉ ନାହିଁ। ଖାଇବା ବାବାଦକୁ ମାସିକ ୩ହଜାର ଟଙ୍କା ଲେଖାଏ ଦେଉଛୁ। ହେଲେ ସେହି ପରିମାଣର ଖାଇବା ମିଳୁନାହିଁ। ଭାତରେ ଉଙ୍କୁଣିଆ ଓ ଧଳା ପୋକ ବାହାରୁଛି। ଗତ କିଛିଦିନ ତଳେ ଜଣେ ପିଲାଙ୍କ ଚିକେନ ତରକାରିରୁ ତେଲଗୁଣି ବାହାରିଥିଲା। ସେହିପରି ବିଭିନ୍ନ ସମୟରେ ବାଇଗଣ ସିଝାରେ ପୋକ, ତରକାରିରେ ମାଛି, ଉପମାରେ କଳା କଳା ପୋକ ବାହାରୁଛି। ମାଛ ପିସ୍ କାଗଜଭଳି ପତଳା କରିଦିଆଯାଉଥିବାବେଳେ ସେହିଦିନ ଆସୁଥିବା ମାଛର ମୁଣ୍ଡଙ୍କୁ ରଖି ଦୁଇଦିନ ପରେ ଘାଣ୍ଟ ତରକାରି କରି ଦିଆଯାଉଛି। ଆମ୍ବେଦକର ହଷ୍ଟେଲରେ ପିଲାଙ୍କୁ କମ୍ ଟଙ୍କାରେ ୩ ବେଳାର ଖାଦ୍ୟ ଦିଆଯାଉଥିବା ବେଳେ ଆମେ କିନ୍ତୁ ଅଧିକ ଟଙ୍କା ଦେଉଛୁ। ହେଲେ ଆମକୁ ଦିଆଯାଉଥିବା ନିମ୍ନମାନର ଖାଦ୍ୟକୁ ନେଇ ଅଭିଯୋଗ କଲେ କିଛିଦିନ ଠିକ୍ଠାକ ଚାଲୁଛି। ଟେଣ୍ଡର ନେଇଥିବା କ୍ୟାଟରିଂ ବାଲା ଭଲ ଖାଇବା ଦେଉଛି। ତା’ପରେ ଯାହାକୁ ସେୟା।
ଏ ସମ୍ପର୍କରେ ହଷ୍ଟେଲ ସୁପରିଟେଣ୍ଡେଣ୍ଟ ସୁଜିତ ମିଶ୍ରଙ୍କୁ ପରାରିବାରୁ ସେ କହିଲେ, ଗତ କିଛିଦିନ ତଳେ ଏଭଳି ଅଭିଯୋଗ ଆସିଥିଲା। ଏନେଇ ଖାଦ୍ୟ ଦେଉଥିବା ସଂସ୍ଥାକୁ ତାଗିଦ କରାଯାଇଛି। ପିଲାଙ୍କୁ ଯେପରି ଭଲ ଖାଇବା ଦିଆଯିବ ସେନେଇ ମଧ୍ୟ ଆଲୋଚନା ହୋଇଛି। ତୁରନ୍ତ ଏହି ସମସ୍ୟାର ସମାଧାନ କରାଯାଇଛି।
ବିଜେବି କଲେଜ ପ୍ରିନ୍ସିପାଲ ଝୁମକି ରଥ କହିଛନ୍ତି, ଏବେ ମୋ ପାଖକୁ ଏଭଳି ଅଭିଯୋଗ ଆସିନାହିଁ। ମଝିରେ ପିଲାମାନେ ଖାଦ୍ୟରେ ପୋକ ବାହାରୁଛି ବୋଲି ଜଣାଇଥିଲେ। ଆମେ ଟେଣ୍ଡର ନେଇଥିବା ସଂସ୍ଥା ସହିତ ଆଲୋଚନା କରି ତା’ର ସମାଧାନ କରିଛୁ। ଏହି ହଷ୍ଟେଲର ସମସ୍ତ ସିଟ୍ ପୂରଣ ହୋଇନାହିଁ। ସବୁ ସିଟ୍ ପୂରଣ ପରେ ପିଲାଙ୍କୁ ଆହୁରି ସୁବିଧା ମିଳିଯିବ। ଯଦି ଏଭଳି ପୋକ ବାହାରୁଥିବା ଘଟଣା ସମ୍ପର୍କରେ କିଛି ଅଭିଯୋଗ ଆସେ ତେବେ ତୁରନ୍ତ ଏହାର ସମାଧାନ କରାଯିବ ବୋଲି ସେ କହିଛନ୍ତି।
Dharitri – Odisha’s No.1 Odia Daily


