ମଧ୍ୟାହ୍ନଭୋଜନରେ ପୋକ

ଚାନ୍ଦବାଲି,୧୯।୧୧(କିଷାନ ପାତ୍ର)ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ପରମାନନ୍ଦପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶୁକ୍ରବାର ମଧ୍ୟାହ୍ନ ଭୋଜନ ସୋୟାବିନ ତରକାରିରେ   ପୁଳା ପୁଳା ଧଳା ଲାଙ୍ଗୁଡିଆ ପୋକ ବାହାରିଥିଲା। ଏଥିରେ ଅସନ୍ତୋଷ ପ୍ରକାଶ କରି ଛାତ୍ରୀଛାତ୍ର ଓ ଅଭିଭାବକମାନେ ଶନିବାର ସ୍କୁଲ ଆଗରେ ଧାରଣା ଦେଇଥିଲେ। ଉକ୍ତ ବିଦ୍ୟାଳୟରେ ଏହାକୁ ମିଶାଇ ତରକାରୀରେ ୩ ଥର ପୋକ ବାହାରିଲାଣି। କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତା ଯୋଗୁ ପିଲାଙ୍କୁ ନିମ୍ନମାନର ଖାଦ୍ୟ ଦିଆଯାଉଛି। ପୂର୍ବରୁ ଗତ ଅଗଷ୍ଟ ୧୭ରେ ମଧ୍ୟାହ୍ନ ଭୋଜନରେ ପୋକ ବାହାରିବା ପରେ ପିଲାମାନଙ୍କୁ  ବିସ୍କୁଟ ଖାଇବାକୁ ଦିଆଯାଇଥିଲା। ଏକଥା ଘରେ ଜଣାଇଲେ ପିଲାମାନଙ୍କୁ ତଣ୍ଟି ଚିପି ମାଡ଼ ମାରିବେ ବୋଲି ଧମକ ଦିଆଯାଇଥିଲା ବୋଲି ଛାତ୍ରୀଛାତ୍ରଙ୍କ ପକ୍ଷରୁ କୁହାଯାଇଥିଲା। ପ୍ରଧାନଶିକ୍ଷକଙ୍କୁ ବହିଷ୍କାର କରା ନ ଗଲେ ତାଙ୍କୁ ଏହି ବିଦ୍ୟାଳୟରେ ପଶିବାକୁ ଦିଆଯିବ ନାହିଁ ବୋଲ ଅଭିଭାବକମାନେ ଚେତାବନୀ ଦେଇଛନ୍ତି। ବ୍ଲକ ଶିକ୍ଷାଧିକାରୀ ଆନ୍ଦୋଳନ ସ୍ଥଳରେ ପହଞ୍ଚତ୍ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ଚାକିରିରୁ ବହିଷ୍କାର କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।
ଏହି ଆନ୍ଦୋଳନକୁ ସମର୍ଥନ ଜଣାଇ ଏସ୍‌ଏଫ୍‌ଆଇ ରାଜ୍ୟ ସାଙ୍ଗଠନିକ କମିଟି ସଭ୍ୟ ବିକାଶ ନାଥ, ଯୁବନେତା ଅଞ୍ଜନ ଦାସ, ଛାତ୍ର ନେତା ରାଜୀବ ଲୋଚନ ଯେନା, ଅଭିଭାବକ ଗୋବର୍ଦ୍ଧନ ପ୍ରଧାନ, ମନୋଜ ସେଠୀ, ନଳିନୀକାନ୍ତ ମହାଳିକ, ନାରଣ ସେଠୀ, ସୁବାସ ସେଠୀ, ସତୀଶ ପଣ୍ଡା, ରମାମଣୀ ସେଠୀ, ସଞ୍ଜୟ ସେଠୀ ପ୍ରମୁଖ ଛାତ୍ରୀଛାତ୍ରଙ୍କ ସହ ଧାରଣାରେ ସାମିଲ ଥିଲେ। ଏ ସମ୍ପର୍କରେ ବ୍ଲକ ଶିକ୍ଷା ଅଧିକାରୀ ଶୁଭେନ୍ଦୁ ମହାରାଜ କହିଛନ୍ତି, ଘଟଣାର ତଦନ୍ତ ପାଇଁ ସିଆର୍‌ସିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମଧ୍ୟାହ୍ନ ଭୋଜନ କମିଟି ରିପୋର୍ଟ ପ୍ରଦାନ କରିଛି। ଉକ୍ତ ରିପୋର୍ଟ ଅନୁଯାୟୀ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।