ଧରାପଡ଼ିଲେ ଅନ୍ତର୍ଦ୍ଦେଶୀୟ ଲୁଟେରା ଗ୍ୟାଙ୍ଗ୍‌

ବଲାଙ୍ଗୀର ଅଫିସ,୨୫ା୧: ନେପାଳ ସୀମାକୁ ଲାଗିଥିବା ବିହାରରୁ ୩୦ଲକ୍ଷ ଟଙ୍କାର ଚୋରି ମୋବାଇଲ ଜବତ କରିବା ସହ ଏକ ଅନ୍ତର୍ଦ୍ଦେଶୀୟ ଲୁଟେରା ଗ୍ୟାଙ୍ଗ୍‌ର ୩ ଲୁଟେରାଙ୍କୁ ଗିରଫ କରିଛି ବଲାଙ୍ଗୀର ପୋଲିସ। ଏ ସଂକ୍ରାନ୍ତରେ ବଲାଙ୍ଗୀର ଏସ୍‌ପି ନୀତିନ କୁଶଲକର ସୋମବାର ଜିଲା ପୋଲିସ କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି ସବିଶେଷ ସୂଚନା ଦେଇଛନ୍ତି। ପୋଲିସ ଟିମ୍‌ ୧୧୩ଟି ଚୋରି ମୋବାଇଲ ଜବତ କରିବା ସହ ବିହାର ରୋହତକ ଜିଲା ଦେହରୀ ଥାନା ଅନ୍ତର୍ଗତ ରୁଦ୍ରପରା ଗ୍ରାମର କହ୍ନେୟା କୁମାର (୫୦), ପୂର୍ବ ଚମ୍ପାରଣ ଜିଲା ଘୋଡାସାହାନ ଥାନା ଆଠମୁହାନ୍‌ ଗ୍ରାମର ମେରାଜ୍‌ ଅନ୍‌ସାରୀ (୫୦) ଓ କୌସାର ଆଲମ୍‌ (୨୦)ଙ୍କୁୁ ଗିରଫ କରିଛି।
ଗତ ୧୪ ତାରିଖ ରାତିରେ ବଲାଙ୍ଗୀର ରମାଇ ଟକିଜ୍‌ ନିକଟ ମୋବାଇଲ ଷ୍ଟୋର୍‌ରୁ ଲୁଟେରାମାନେ ଅଭିନବ ଢଙ୍ଗରେ ପ୍ରାୟ ୫୦ଲକ୍ଷ ଟଙ୍କାର ମୋବାଇଲ ଚୋରିକରି ନେଇଥିଲେ। ଲୁଟେରାମାନେ ପ୍ରଥମେ ଏହି ଅଞ୍ଚଳର ସିସିଟିଭି କ୍ୟାମେରା ଭାଙ୍ଗିଥିଲେ। ଏହାପରେ ଉକ୍ତ ଷ୍ଟୋର୍‌ ଭିତରେ ପଶି ଲୁଟେରାମାନେ ପ୍ୟାକେଟ୍‌ ଚିରି ପ୍ରାୟ ୧୮୦ଟି ଦାମୀ ମୋବାଇଲ ନେଇଥିଲେ। ୧୫ ତାରିଖ ସକାଳେ ଦୋକାନ ମାଲିକ ଶୋଭାକର ମେହେର ଷ୍ଟଲ ଖୋଲିବାକୁ ଆସିବା ପରେ ଚୋରି ହୋଇଥିବା ସନ୍ଦେହ କରି ଟାଉନ୍‌ ଥାନା ପୋଲିସକୁ ଖବର କରିଥିଲେ। ପୋଲିସ ଉପସ୍ଥିତିିରେ ଉକ୍ତ ଷ୍ଟଲର ତାଲା ଭଙ୍ଗାଯିବା ପରେ ଉକ୍ତ ଦୋକାନରୁ ୧୮୦ଟି ଦାମୀ ମୋବାଇଲ ଚୋରି ହୋଇଥିବା ଜଣାପଡିଥିଲା। ଚୋରି ମୋବାଇଲର ଆନୁମାନିକ ମୂଲ୍ୟ ପ୍ରାୟ ୫୦ ଲକ୍ଷ ଟଙ୍କା ହେବ ବୋଲି କୁହାଯାଇଥିଲା। ମେହେରଙ୍କ ଅଭିଯୋଗ ପରେ ଟାଉନ୍‌ ଥାନାରେ ଏକ ମାମଲା (୨୭/୨୨) ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା। ଏସ୍‌ପି କୁଶଲକର ସଦର ଏସ୍‌ଡିପିଓ ତୋଫାନ୍‌ ବାଗ, ଟାଉନ୍‌ ଥାନା ଆଇଆଇସି ପ୍ରିୟଙ୍କା ରାଉତରାୟ, ସବ୍‌ଇନ୍ସପେକ୍ଟର କିରନ୍‌ କୁମାର ଜାନୀ ପ୍ରମୁଖଙ୍କୁ ନେଇ ଏକ ଟିମ୍‌ ଗଠନ କରିଥିଲେ। ଟାୱାର ଡମ୍ପିଂ, ସାଇଣ୍ଟିଫିକ୍‌ ଇନ୍‌ପୁଟ ସହାୟତାରେ ତଦନ୍ତ ଆଗେଇଥିଲା। ଲୁଟେରାମାନେ ଲୁଟ୍‌ କରିବା ପରେ ବିହାରର ନେପାଳ ସୀମାକୁ ଯାଇଥିବା ଜଣାପଡ଼ିବା ପରେ ତଦନ୍ତକାରୀ ଟିମ୍‌ ଘୋଡାସାହାନ୍‌ରେ ପହଞ୍ଚତ୍ ତଦନ୍ତ କରିଥିଲେ। ନେପାଳ ସୀମାକୁ ଚୋରା ମୋବାଇଲ ଚାଲାଣ ହେବାର କିଛି ସମୟ ପୂର୍ବରୁ ଏହି ଟିମ୍‌ ଘୋଡାସାହାନ୍‌ ମୋବାଇଲ ଲୁଟେରା ଗ୍ୟାଙ୍ଗ୍‌ର ତିନି ସଦସ୍ୟଙ୍କୁ ଗିରଫ କରିଥିଲେ। ସେଠାକାର କୋର୍ଟରେ ହାଜର କରିବା ପରେ ଟ୍ରାନ୍‌ଜିଟ୍‌ ରିମାଣ୍ଡରେ ଗିରଫ ଅଭିଯୁକ୍ତଙ୍କୁ ପୋଲିସ ବଲାଙ୍ଗୀର ଆଣିଥିଲା। ସେମାନଙ୍କଠାରୁ ୧୧୩ ମୋବାଇଲ ଉଦ୍ଧାର ହୋଇଥିଲା। ଏହାର ଆନୁମାନିକ ମୂଲ୍ୟ ୩୦ ଲକ୍ଷରୁ ଊର୍ଦ୍ଧ୍ୱ ହେବ ବୋଲି କୁହାଯାଇଛି। ଅଭିଯୁକ୍ତଙ୍କୁ ଜେରା ପରେ ଏଥିରେ ସଂଶ୍ଳିଷ୍ଟ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଏସ୍‌ପି କୁଶଲକର କହିଛନ୍ତି।